ବଜ୍ରାଘାତରେ ୧୧ ଗୋରୁ ମୃତ

ଠାକୁରମୁଣ୍ଡା : ବଜ୍ରାଘାତ ଆଜି ଠାକୁରମୁଣ୍ଡା ପଞ୍ଚାୟତର ଚମକପୁର ମୌଜା (ଜୁଆଳିକଟା) ଗାଁରେ ୧୧ ଗୋରୁଙ୍କ ପ୍ରାଣ ନେଇଛି। ମୃତ ଗୋରୁଙ୍କ ମଧ୍ୟରେ ୪ଟି ବଳଦ ଓ ୭ଟି ଗାଈ ଅଛନ୍ତି। ଆଜି ମଧ୍ୟାହ୍ନରେ ଘଟିଛି ଏହି ଅଘଟଣ। ଏତେ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି। ଖୋଲା ପଡ଼ିଆରେ ଘଟିଥିଲା ଏହି ଅଘଟଣ। ଆଜି ମଧ୍ୟାହ୍ନରେ ଜୁଆଳିକଟା ଗାଁର ସୁଦର୍ଶନ ଲୁଗୁନ ଓ ତାଙ୍କ ପତ୍ନୀ ନାନୀ ଲୁଗୁନ ଗ୍ରାମବାସୀଙ୍କ ବଳଦ ଓ ଗାଈ ଚରାଉଥିଲେ। ଦିନ ସାଢ଼େ ୧୨ଟା ବେଳେ ହଠାତ୍‌ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା। ଗାଈଆଳମାନେ ବଦଳ ଓ ଗାଈଙ୍କୁ ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛ ମୂଳେ ଛାଡ଼ି ନିକଟସ୍ଥ ଏକ ଘରେ ଆଶ୍ରୟ ନେଇଥିଲେ। ବର୍ଷାବେଳେ ମହୁଲଗଛ ମୂଳେ ୧୧ଟି ଗାଈ ଓ ବଳଦ ରହିଥିଲେ। ସେତିକି ବେଳେ ବଜ୍ରାଘାତ ସେମାନଙ୍କ ପ୍ରାଣ ନେଇଥିଲା। ଖବରପାଇ ଠାକୁରମୁଣ୍ଡା ଆରଆଇ ସତ୍ୟବାଦୀ ବେହେରା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ମୃତୁ ଗାଈ ଓ ବଳଦ ମାଲିକମାନେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର