ନିର୍ବାଚନ ବଢାଇଲା ମଦ ବେପାର, ଗତବର୍ଷ ଏପ୍ରିଲ ଅପେକ୍ଷା ୧୦୧ କୋଟି ଅଧିକ ସଂଗ୍ରହ

ଭୁବନେଶ୍ବର : ଆଉ କେଇଦିନ ପରେ ରାଜ୍ୟରେ କ୍ଷମତାସୀନ ହେବେ ନୂଆ ସରକାର। ‘ଫନି’ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ସମ୍ବଳର ଆବଶ୍ୟକତା ରହିଥିବାବେଳେ ବିଦାୟୀ ସରକାରଙ୍କ ଅବକାରୀ ନୀତି ନିର୍ବାଚନ ମାସ ଏପ୍ରିଲରେ ହିଁ ଅବକାରୀ ରାଜସ୍ବରେ ଆଖଦୃଶିଆ ବୃଦ୍ଧି କରିଛି। ଗତବର୍ଷ ଅପେକ୍ଷା ଅବକାରୀ ରାଜସ୍ବ ଆଦାୟରେ ବର୍ଷ ଆରମ୍ଭରୁ ସରକାରଙ୍କୁ ମିଳିଛି ସଫଳତା। ଖୋଦ ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସରକାର ଅବକାରୀ ରାଜସ୍ବ ବାବଦରେ ୪ ହଜାର ୬୦୦ କୋଟି ଟଙ୍କା ଆଦାୟ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟର ୭.୬୨% ରାଜସ୍ବ ଆଦାୟ ହୋଇପାରିଛି। ସେଥିରୁ ଗତ ଏପ୍ରିଲ ମାସରେ ନିର୍ବାଚନ ପାଇଁ କଟକଣା ସତ୍ତ୍ବେ ମଦ ଓ ଅନ୍ୟ ନିଶା ଦ୍ରବ୍ୟ ବିକ୍ରିରେ କୌଣସି ପ୍ରଭାବ ପଡ଼ିଲାନି। ଅଥଚ ଏପ୍ରିଲ ମାସରେ ମଦ କାରବାର ବୃଦ୍ଧି ଯୋଗୁଁ ସରକାରଙ୍କୁ ରାଜସ୍ବ ବାବଦରେ ୩୫୦ କୋଟି ୪୮ ଲକ୍ଷ ଟଙ୍କା ମିଳିଛି। ଗତବର୍ଷ ଏହି ଏପ୍ରିଲ ମାସରେ ସରକାର ୨୪୯ କୋଟି ୨୩ ଲକ୍ଷ ଟଙ୍କା ପାଇଥିଲେ। ଅର୍ଥାତ୍ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ସରକାରଙ୍କୁ ଗତବର୍ଷ ଅପେକ୍ଷା ୧୦୧ କୋଟି ୨୫ ଲକ୍ଷ ଟଙ୍କା ଅଧିକ ଅବକାରୀ ରାଜସ୍ବ ପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର