ଋଣ ପ୍ରଦାନର ୭ ଦିନ ମଧ୍ୟରେ ପ୍ରକାଶ ପାଇବ ତାଲିକା, ସ୍ବଚ୍ଛତା ଆଣିବା ପାଇଁ ମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ଏଣିକି ଖରିଫ ଓ ରବି ଫସଲ ପାଇଁ ଋଣ ପ୍ରଦାନର ୭ ଦିନ ମଧ୍ୟରେ ଋଣ ନେଇଥିବା ଚାଷୀମାନଙ୍କର ତାଲିକା ସର୍ବସାଧାରଣରେ ପ୍ରକାଶ ପାଇବ। ଏ ନେଇ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମବାୟ ନିବନ୍ଧକ, ସମବାୟ ସମିତି ସମୂହ ସମସ୍ତ ଡିଭିଜନର ଡିଆରସିଏସ୍ ଏବଂ ସମସ୍ତ ସର୍କଲର ଏଆରସିଏସଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) ଓ ବହୁମୁଖୀ ବୃହଦକାୟ ସମବାୟ ସମତି ( ଲ୍ୟାମ୍ପସ)ରୁ ଫସଲ ଋଣ ନେଇ ନ ଥିବା ଚାଷୀମାନଙ୍କ ନାମରେ ସମ୍ପୃକ୍ତ ସମବାୟ ସମିତି ଖାତାରେ ଋଣ ନେଇଥିବା ନେଇ ଅଭିଯୋଗ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫସଲ ଋଣ ପ୍ରଦାନ କରୁଥିବା ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଋଣ ଗ୍ରହୀତାମାନଙ୍କର ତାଲିକା ପ୍ରସ୍ତୁତ କରିବେ। ତାଲିକାରେ ଉଭୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମବାୟ ସମିତିର ସଭାପତିଙ୍କର ଦସ୍ତଖତ ରହିବ। ଏହି ତାଲିକାକୁ ସମବାୟ ସମିତିର ନୋଟିସ ବୋର୍ଡ଼ରେ ଲଗାଯିବା ସହିତ ଏପରି ସ୍ଥାନରେ ପ୍ରଦର୍ଶିତ ହେବ ଯଦ୍ବାରା ସାଧାରଣ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇବେ। ତାଲିକାରେ ଗ୍ରାମର ନାମ, ଫସଲ ଋଣର ପରିମାଣ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ସମବାୟ ସମିତିର ସଭ୍ୟ ହୋଇଥିବା ଚାଷୀମାନେ ଏହି ତାଲିକା ଦେଖିପାରିବେ ଏବଂ ତାଲିକାରେ ଯଦି କୌଣସି ତ୍ରୁଟି ପାଆନ୍ତି ତେବେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନଜରକୁ ଆଣିଲେ ତ୍ରୁଟିର ସଂଶୋଧନ କରାଯିବ। ଏଥିପାଇଁ ସମ୍ପୃକ୍ତ ଏଆରସିଏସ କିମ୍ବା ଡିଆରସିଏସ ଏହି କାର୍ଯ୍ୟର ତଦାରଖ କରିବା ସହିତ ବିବାଦର ସମାଧାନ ଦିଗରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ। ଏହି ତାଲିକାକୁ ‘ସକ୍ଷମ’ ପୋର୍ଟାଲରେ ମଧ୍ୟ ଅପଲୋଡ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ସମବାୟ ସମିତି ଦ୍ବାରା ଏକ ରେଜିଷ୍ଟରରେ ଅଭିଯୋଗ ଓ ଏହାର ପ୍ରତିବିଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ଉଲ୍ଲେଖ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର