ଓଡ଼ିଶା ବଜାରରେ ମିଳୁଥିବା ଲିଚୁରେ ବିଷାକ୍ତ ଉପାଦାନ ନାହିଁ: ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା ଲିଚୁରେ କୌଣସି ବିଷାକ୍ତ ଉପାଦାନ ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ରିପୋର୍ଟରୁ ଜଣାପଡ଼ିଛି।
‘କନକ ନ୍ୟୁଜ୍‌’ପକ୍ଷରୁ ଓଡ଼ିଶା ବଜାରରେ ମିଳୁଥିବା ଲିଚୁର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ପ୍ରଥମ ରିପୋର୍ଟ ଏବେ ‘କନକ ନ୍ୟୁଜ୍‌’ର ହସ୍ତଗତ ହୋଇଛି।
ବିହାରରେ ଚମକୀ ଜ୍ୱର ବା ଏନ୍‌ସେଫାଲିଟିସ ରୋଗରେ ଶତାଧିକ ଶିଶୁଙ୍କର ମୃତ୍ୟୁ ହେବା ପରେ ଲିଚୁ ଯୋଗୁଁ ଏହି ରୋଗ ହେଉଥିବାର ସନ୍ଦେହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବଜାରରୁ ‘କନକ ନ୍ୟୁଜ୍‌’ପକ୍ଷରୁ ଲିଚୁ ନମୂନା ସଂଗ୍ରହ କରି ସନ୍ଦେହ ମୋଚନ ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା।

ମିଳିଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାର ଲିଚୁ ନମୂନାର ଗୁଣବତ୍ତା ସନ୍ତୋଷଜନକ। ଏଥିରେ କୌଣସି ବିଷାକ୍ତ ଉପାଦାନ ନାହିଁ। ଲିଚୁକୁ ଆକର୍ଷଣୀୟ କରିବା ପାଇଁ କୌଣସି କୃତ୍ରିମ ରାସାୟନିକ ଦ୍ରବ୍ୟ ମିଶାଯାଇ ନାହିଁ। ଏହି ଫଳରେ ମିଠା ଅଂଶ ବଢ଼ାଇବା ପାଇଁ କୌଣସି କୃତ୍ରିମ ପଦାର୍ଥ ବ୍ୟବହାର କରାଯାଇ ନାହିଁ ବୋଲି ପରୀକ୍ଷା ରିପୋର୍ଟରୁ ଜଣାଯାଇଛି।
ସାକାରିନ୍‌,ଡଲସିନ୍‌ ବା ସାଇକ୍ଲୋମେଟ ଏଥିରେ ମିଶାଯାଇ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ବି.କେ.ମିଶ୍ରଙ୍କ କହିବା ଅନୁଯାୟୀ ବିହାରରେ ଲିଚୁ ତୋଳିବା ପାଇଁ ନିୟୋଜିତ ଶିଶୁମାନେ ହୁଏତ ଭୋକିଲା ରହୁଥିବେ। ଭୋକିଲା ପେଟରେ ତଳେ ପଡ଼ିଥିବା ଲିଚୁ ଖାଇ ଏହାର ରାସାୟନିକ ପ୍ରତିକ୍ରିୟା ହୋଇଥାଇପାରେ।

ସମ୍ବନ୍ଧିତ ଖବର