ନଭେମ୍ବର୨୦ରୁ କଳା ବ୍ୟାଜ୍‌ ପିନ୍ଧିବେ, ଡିସେମ୍ବର ୧ରୁ ସମୂହ ଛୁଟି

ଆନ୍ଦୋଳକୁ ଓହ୍ଲାଇବେ ଶ୍ରମ ଅଧିକାରୀ

ଭୁବନେଶ୍ୱର : ଶ୍ରମ ଅଧିକାରୀମାନଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ କରିବା, ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କ ଭଳି ଦରମା ଓ ଚାକିରି ସର୍ତ୍ତାବଳୀର ପରିବର୍ଦ୍ଧନ ନ କରିବା, ତଳ ପାହ୍ୟାକୁ ଖସାଇବା ଏବଂ ସୁବିଧା ସୁଯୋଗ ଅପସାରଣ କରିବା ପ୍ରତିବାଦରେ ଶ୍ରମ ଅଧିକାରୀମାନେ ଧର୍ମଘଟକୁ ଓହ୍ଲାଇବେ ବୋଲି ଓଡ଼ିଶା ଶ୍ରମ ପ୍ରଶାସନିକ ସେବା ସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଶା ଶ୍ରମ ପଶାସନିକ ସେବା ସଂଘର ଏକ ସ୍ୱତନ୍ତ୍ର ସାଧାରଣ ଅଧିବେଶନ ଯୁଗ୍ମ ଶ୍ରମ କମିସନର ଉପେନ୍ଦ୍ର କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ୨୧ତାରିଖରେ ଦିଆଯାଇଥିବା ତିନି ଦଫା ଦାବି କ୍ୟାଡର ପୁର୍ନଗଠନ, ଦରମା ଅସଂଗତି ଦୂରୀକରଣ, ନୂତନ ପଦବି ସୃଷ୍ଟି ନେଇ କିଛି ନିଷ୍ପତ୍ତି ନିଆଯାଇ ନ ଥିବାରୁ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛି। ପଦକ୍ଷେପ ସ୍ୱରୂପ ଶ୍ରମ ଅଧିକାରୀମାନେ ଆସନ୍ତା ନଭେମ୍ବର ୨୦ତାରିଖରୁ କଳା ବ୍ୟାଜ୍‌ ପିନ୍ଧିବା ସହ ଡିସେମ୍ବର ୧ରୁ ସମୂହ ଛୁଟିରେ ଯିବେ ବୋଲି ସଂଘର ସାଧାରଣ ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ ଶିଳ୍ପ ଓ ପ୍ରତିଷ୍ଠାନଗୁଡ଼ିକରେ ଧର୍ମଘଟଠକୁ ପ୍ରତିହିତ କରି ଶାନ୍ତି ବଜାୟ ରଖୁଥିବା ଶ୍ରମ ବିଭାଗର ଅଧିକାରୀମାନଙ୍କୁ ସରକାର ଅବହେଳା କରୁଛନ୍ତି। ପ୍ରାୟ ଅଢେଇ କୋଟିରୁ ଅଧିକ କୃଷି ଶ୍ରମିକ, କୃଷି ଶ୍ରମିକ, ଶିଳ୍ପ ନିର୍ମାଣ, ସମ୍ବାଦପତ୍ର, ବିଡ଼ି ତିଆରି, ଅସଂଗଠିତ ଓ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଶ୍ରମ ଅଧିକାରୀଙ୍କୁ ସେମାନଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି। ତେଣୁ ଆମେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛୁ।

ସମ୍ବନ୍ଧିତ ଖବର