ମଦଭାଟି ଭଙ୍ଗା ବେଳେ ତୁମୁଳକାଣ୍ଡ

ରାସଗୋବିନ୍ଦପୁର/ମାଣିଦା: ସରକାରୀ ଲାଇସେନ୍ସରେ ଚାଲିଥିବା ଦେଶୀ ମଦ ଭାଟି ବନ୍ଦ କରିବାକୁ କେନ୍ଦ୍ରକରି ଆଜି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଡାହିସାହିରେ ଆନ୍ଦୋଳନକାରୀ ମହିଳା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଖଣ୍ଡଯୁଦ୍ଧ ହୋଇଛି। ଟେକାପଥର ମାଡ଼ରେ ବେତନଟୀ ଏସ୍‌ଡିପିଓ ଧୀରେନଚନ୍ଦ୍ର ନନ୍ଦଙ୍କ ମୁଣ୍ଡ ଫାଟିଛି। ଏହି ଘଟଣାରେ ୮ ଜଣ ପୁଲିସ ମଧ୍ୟ ଆହତ ହୋଇଛନ୍ତି। ପୁଲିସର ଲାଠିମାଡ଼ରେ ୧୦ରୁ ଅଧିକ ମହିଳା ମଧ୍ୟ ଆହତ ହୋଇଛନ୍ତି।

ଦେବଶୋଳ ପଞ୍ଚାୟତର ଡାହିସାହିର କଳ୍ପନା ପୃଷ୍ଟିଙ୍କ ନାମରେ ଥିବା ଏହି ସରକାରୀ ଦେଶୀ ମଦଭାଟିକୁ ଆରମ୍ଭରୁ ବିରୋଧ ହୋଇ ଆସୁଛି। ଭାଟିକୁ ବନ୍ଦ କରିବା ଲାଗି ମଦ ବିରୋଧୀ ମହିଳାମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ। ମାତ୍ର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ପରିଣତି ହେଉଛି ଆଜି ୫ଶହରୁ ଊର୍ଦ୍ଧ୍ୱ ମହିଳା ଠେଙ୍ଗା, ବାଡ଼ି ଧରି ମଦ ଭାଟି ନିକଟରେ ଦିନ ପ୍ରାୟ ୧୧ଟାରେ ପହଞ୍ଚିଥିଲେ। ସେମାନେ ଭାଟିରେ ପଶି ଭଙ୍ଗାରୁଜା କରିବା ସହ ଗଚ୍ଛିତ ମଦ ଢାଳି ଦେଇଥିଲେ। ଏତିକି ବେଳେ ପୁଲିସ ପହଞ୍ଚି ସେମାନଙ୍କୁ ବାଧା ଦେବାକୁ ଯାଇ ମହିଳାମାନଙ୍କ ଆକ୍ରୋଶର ଶିକାର ହୋଇଥିଲା।

ଉତ୍ତ୍ୟକ୍ତ ମହିଳାମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ଏସଡିପିଓ ଧୀରେନଚନ୍ଦ୍ର ନନ୍ଦ, ରାସଗୋବିନ୍ଦପୁର ଆଇଆଇସି ରଂଜନ କୁମାର ସେଠୀ, ଏଏସ୍‌ଆଇ ଶ୍ରୀମତୀ ମଲ୍ଲିକ, ପ୍ରହ୍ଲାଦ ନାଏକ, ନିରୁପମା ବେହେରା, ରୂପଶ୍ରୀ ବେହେରା, ଏନ୍‌କେ ହାଁସଦା, ସୁକାନ୍ତ ସାହୁ ଆହତ ହୋଇଛନ୍ତି। ଆହତମାନଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସେହିପରି ପୁଲିସର ଲାଠି ମାଡ଼ରେ ଆନ୍ଦୋଳନକାରୀ ମହିଳା ଚମ୍ପାବତୀ ରାଉତ, ପ୍ରମିଳା ବେହେରା, ଗୌରୀମଣି ପାତ୍ର, ଯଶୋଦା ଦେହୁରୀ, ଋକ୍ମଣୀ ଦେହୁରୀ ଓ ଗୁରୁବାରୀ ବେହେରାଙ୍କ ସହ ୧୦ରୁ ଅଧିକ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ରାସଗୋବିନ୍ଦପୁର ତହସିଲଦାର ରବୀନ୍ଦ୍ର କୁମାର ମଲ୍ଲିକ ଓ ଅତିରିକ୍ତ ତହସିଲଦାର ପହଞ୍ଚିଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତିର ଅନୁଧ୍ୟାନ ଜାରି ରହିଛି।
ଖବର ପାଇ କଂଗ୍ରେସ ଓ ବିଜେପି ନେତାମାନେ ରାସଗୋବିନ୍ଦପୁରରେ ପହଞ୍ଚିଛନ୍ତି। ମହିଳାଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ରାସଗୋବିନ୍ଦପୁର ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର