ଅଇଁଠାପାଲିରେ ହାଜତ ମୃତ୍ୟୁ : ଥାନା ଜାଳିଦେଲେ

୨ ଡିଏସ୍‌ପିଙ୍କ ସମେତ ୨୪ ଆହତ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଥାନା ଆକ୍ରମଣ କରି ପୁଲିସକୁ ମାରପିଟ କରିବା ସହିତ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଛି। ପୁଲିସ ଓ ଜନତା ମୁହାଁମୁହିଁ ହେବା ଦ୍ୱାରା ସମଗ୍ର ଅଂଚଳ ଅଶାନ୍ତ ହୋଇ ପଡ଼ିଛି। ପୁଲିସକୁ ଲାଠି ଚାଳନା ସାଂଗକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ପୁଲିସ ଉପରକୁ ପ୍ରବଳ ଢ଼େଲା ମାଡ଼ କରିଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ଅଭିଯୁକ୍ତ୍‍ ଆତ୍ମହତ୍ୟା କରିଛି ବୋଲି ପୁଲିସ କହୁଥିବା ବେଳେ ଲୋକମାନେ ଅଭିଯୋଗ କରିଛନ୍ତି ଯେ ତାକୁ ପୁଲିସ ପିଟିପିଟି ମାରିଦେଇଛି।

ଏହାକୁ ନେଇ ସମ୍ବଲପୁରରେ ବିସ୍ଫୋରକ ପରିସ୍ଥିତି ଜାରି ରହିଥିବା ବେଳେ କର୍ତବ୍ୟରେ ଅବହେଳା ପାଇଁ ଥାନା ଅଧିକାରୀଙ୍କ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଜତ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ ପ୍ରକାଶ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ପିଟି ମାରି ଦେଇଥିବା ଅଭିଯୋଗ

୧୯ ଗାଡ଼ି ଜାଳିଦେଲେ

କମ୍ପ୍ୟୁଟର, କାଗଜପତ୍ର ସବୁ ସ୍ୱାହା

ଆଇଆଇସିଙ୍କ ସମେତ ୩ ନିଲମ୍ବିତ

ପୁଲିସର ଫାଙ୍କା ଗୁଳିଚାଳନା

ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ

ମୃତକଙ୍କ ପରିବାରକୁ ୫ ଲକ୍ଷ

ଚୋରି ଅଭିଯୋଗରେ ଅଇଁଠାପାଲି ଥାନାରେ ଅଟକ ଥିବା ଅବିନାଶ ମୁଣ୍ଡା (୨୦) ନାମକ ଯୁବକକୁ ପୁଲିସ ଆଣି ହାଜତରେ ରଖିଥିଲା। କିନ୍ତୁ ହାଜତ ଭିତରେ ଅବିନାଶର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଥାନା ଜାଳି ଦେଇଥିବା ବେଳେ ଏସ୍‌ପି ସଂଜୀବ ଅରୋରା ଓ ଅନ୍ୟ ପୁଲିସ୍‌ ଅଧିକାରୀ/କର୍ମଚାରୀଙ୍କୁ ମଧ୍ୟ ଧସ୍ତାଧସ୍ତି କରିଛନ୍ତି। ସେମାନଙ୍କ ପଥର ମାଡ଼ରେ ହୀରାକୁଦ ଡିଏସ୍‌ପି ଅବକାଶ ରାଉତରାୟ, ସମ୍ବଲପୁର ସଦର ଏସ୍‌ଡିପିଓ ମିହିର ପଣ୍ଡାଙ୍କ ସମେତ ଅନ୍ୟ ୨୪ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଥାନାରେ ଥିବା ୧୧ଟି ବାଇକ, ୮ଟି ଜିପ୍‌ ଓ କାର୍‌, ୨ ଟେମ୍ପୋକୁ ସେମାନେ ନିଆଁ ଲଗାଇ ଜାଳିଦେଇଛନ୍ତି। ଥାନାର ଥିବା ସବୁ ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଅଢ଼େଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲୋକେ ଲଙ୍କାକାଣ୍ଡ ଭିଆଇଥିଲୋ।

ଅପରପକ୍ଷରେ କର୍ତ୍ତବ୍ୟ ପାଳନରେ ଅବହେଳା ଅଭିଯୋଗରେ ପୁଲିସ୍‌ ଡିଜି ଅଇଁଠାପାଲି ଥାନା ଅଧିକାରୀ ଦାୟିତ୍ୱରେ ଥିବା ଆଇଆଇସି ଶ୍ରୀମନ୍ତ ବାରିକ, ଡିସିଓ ହରିଶ୍ଚନ୍ଦ୍ର ଗଡ଼ନାୟକ ଓ ସେଣ୍ଟ୍ରି ଏନ୍‌.ଚୌଧୁରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଅଇଁଠାପାଲି ଅଂଚଳର ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଗତ ୬ ତାରିଖ ରାତିର ଘଟଣା। ଅଇଁଠାପାଲି ଥାନାଠାରୁ ପାଖାପାଖି ଦେଢ଼ କିଲୋମିଟର ଦୂର ସମ୍ବଲପୁର-ଝାରସୁଗୁଡ଼ା ରୋଡରେ ଥିବା ଭାଲୁପାଲିର ‘ରୟାଲ ରିଟ୍ରିଟ’ରେ ଓ୍ଵସ୍କୋ ଏସ୍‌ଡିଓ ରଂଜନ ପଣ୍ଡାଙ୍କ ଝିଅ ବାହାଘର ଚାଲିଥିଲା। ବିବାହ ପରେ ବଧୂର ସୁନା ଅଳଙ୍କାର ସହ ଉପହାର ଭାବେ ପାଇଥିବା ଅର୍ଥକୁ ଗୋଟିଏ କୋଠରୀରେ ରଖି ସମସ୍ତେ ଖାଇବାକୁ ଯାଇଥିଲେ। ତେବେ କିଛି ସମୟ ମଧ୍ୟରେ ଝରକା ଭାଂଗି ଚୋରମାନେ ସୁନା ଓ ନଗଦ ଅର୍ଥ ରାଶି ଚୋରି କରି ନେଇଥିଲେ। ଅଇଁଠାପାଲି ଥାନା ପୁଲିସ୍‌ ଏହି ମାମଲାର ତଦନ୍ତ ଚଳାଇଥିଲା ଏବଂ ଭାଲୁପାଲିର ଅବିନାଶଙ୍କୁ ଥାନାକୁ ଆଣିଥିଲା। ପରେ ଏହି ମାମଲାରେ ପୁଲିସ ଅବିନାଶଙ୍କ ଭାଇ ସମେତ ୫ ଜଣଙ୍କୁ ପୁଲିସ ଧରି ଥାନାରେ ପଚରାଉଚରା କରୁଥିଲା।

ଏସ୍‌ପି ସଂଜୀବ ଅରୋରଙ୍କ କହିବା ଅନୁସାରେ, ଅବିନାଶ ପାଖରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ କିଛି ଟଙ୍କା ମଧ୍ୟ ଜବତ ହୋଇଥିଲା। ଲଫାଫା ମଧ୍ୟରେ ଥିବା ଟଙ୍କା ବି ଜବତ କରାଯାଇଥିଲା। ତେବେ ୮ ତାରିଖ ରାତି ୧୨ଟା ପାଖାପାଖି ବେଳେ ଅବିନାଶ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଶୀତଦିନ ହୋଇଥିବାରୁ ତାକୁ ଘୋଡ଼ାଇ ହେବା ପାଇଁ ଦିଆଯାଇଥିବା କମ୍ବଳକୁ ଚିରି ବେକରେ ଫାଶି ଲଗାଇଥିଲା। ଆଉ ହାଜତର ରେଲିଂରେ ବାନ୍ଧି ଡେଇଁ ପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ତାକୁ ସଂଗେସଂଗେ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାର ଗୁରୁତ୍ୱ ଦେଖି ରାତି ୨ଟାରେ ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ନନ୍ଦ ଏବଂ ଅବିନାଶଙ୍କ ବିଧବା ମା’ ଏସ୍‌ରାନି ମୁଣ୍ଡା, ମାମୁ ମୋହନ ମୁଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ପଞ୍ଚନାମା ଆରମ୍ଭ କରାଯାଇଥିଲା। ଭୋର୍‌ ୫ଟାରେ ବ୍ୟବଚ୍ଛେଦ ପାଇଁ ଶବ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସକାଳ ୮ଟାରେ ଭାଲୁପାଲି ଛକରେ ଗାଁ ଲୋକେ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତା ଅବରୋଧ କରିଥିଲେ। ଅବିନାଶଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଠପ୍‌ ହୋଇଯାଇଥିଲା। ସକାଳ ୯ଟାରେ ଶହ ଶହ ଲୋକ ଅଇଁଠାପାଲି ଥାନାକୁ ମାଡ଼ି ଆସିଥିଲେ। ସେମାନଙ୍କ ମଧ୍ୟରେ ଯୁବକଯୁବତୀ ତଥା କିଶୋରଙ୍କ ସଂଖ୍ୟା ଅଧିକ ରହିଥିଲା। ଥାନା ଭିତରକୁ ଧସେଇ ପଶିଥିଲେ। ଥାନା ଭିତରେ ଥିବା ପୁଲିସ୍‌ କର୍ମଚାରୀଙ୍କ ମାଡ଼ପିଟ କରିବା ସହ ଫିଙ୍ଗା ଫୋପଡ଼ା ପରେ ପରେ ଜଳାପୋଡ଼ା ଆରମ୍ଭ ହୋଇଥିଲା। ପୁଲିସ୍‌ କର୍ମଚାରୀଙ୍କ ସଂଖା କମ୍‌ ରହିଥିବାରୁ ପୁଲିସ୍‌ ନିରୂପାୟ ହୋଇଯାଇଥିଲା। ଦେଖୁ ଦେଖୁ ଥାନା, ମାଲଖାନାରେ ଥିବା ସାମଗ୍ରୀ ପୋଡ଼ି ଦେଇଥିଲେ। ଥାନା ପରିସରରେ ଥିବା ବାଇକ୍‌, ଗାଡ଼ି ଆଦି ପୋଡ଼ି ଦେଇଥିଲେ। ଏସ୍‌ପି ସଂଜୀବ ଅରୋରା ପହଂଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଲୋକେ କୌଣସି କଥା ବୁଝିବା ସ୍ଥିତିରେ ନ ଥିଲେ। ତାଙ୍କୁ ଓ ଅନ୍ୟ ପୁଲିସ୍‌ ଅଧିକାରୀ, କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରିଥିଲେ। ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାଳନା କରିଥିଲା। ଲାଠିଳାଚନା କରି ସେମାନଙ୍କୁ ଥାନା ପରିସରରୁ ବାହାର କରି ଦେଇଥିଲା।

ଲାଠିଚାଳନା ପରେ ଲୋକଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ଲୋକେ ରାସ୍ତା ଉପରୁ ଥାନା ଭିତରେ ଥିବା ପୁଲିସ୍‌ ଉପରକୁ ଟେକା ପଥର, ଇଟା ଆଦି ଫିଙ୍ଗିବା ଆରମ୍ଭ କରି ଦେଇଥିଲେ। ପୁଲିସ୍‌ ସଂଖ୍ୟା ମାତ୍ର ୩୦/୩୫ ରହିଥିବାରୁ ପ୍ରବଳ ଟେକାମାଡ଼ ଯୋଗୁଁ ନିରୂପାୟ ହୋଇଯାଇଥିଲା। ଟେକା ମାଡ଼ରେ ଡିଏସପି ଅବକାଶ ରାଉତରାୟ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତଥାପି ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ। ଟେକାମାଡ଼ରେ ଏଡିପିଓ ମିହିର ପଣ୍ଡା ହାତରେ ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ୪/୫ ଜଣ ସାମ୍ବାଦିକ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଆତ୍ମରକ୍ଷା ପାଇଁ ଥାନା କୋଠା ପଛପାଖରେ ଏକ କୋଣରେ ଲୁଚିବା ଛଡ଼ା ଆଉ ଅନ୍ୟ କିଛି ଉପାୟ ନ ଥିଲା। ଏସ୍‌ପି, ଅନ୍ୟ ପୁଲିସ୍‌ ଅଫିସର, କିଛି ଆଇଆର୍‌ବି ଯବାନ ସହିତ ସାମ୍ବାଦିକମାନେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଲୁଚି ରହିଥିଲେ। ଥାନାର ତିନି ପଟୁ ଟେକା ମାଡ଼ ହୋଇଥିଲା। ରାସ୍ତା ଜାମ୍‌ ଥିବାରୁ ଦମକଳ ବାହିନୀ ତଥା ଅନ୍ୟ ପୁଲିସ୍‌ ଫୋର୍ସ ପହଂଚିବାରେ ବିଳମ୍ବ ହୋଇଥିଲା। ୧୦ଟା୫୦ରେ ଟେକାପଥର ମାଡ଼ ବନ୍ଦ ହୋଇଥିଲା। ତଥାପି ଉତ୍ତେଜନା ଲାଗି ରହିଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୧୧ଟା ୪୫ରେ ପୁଲିସ ଫୋର୍ସ ସହିତ ଅଗ୍ନିଶମ ଗାଡ଼ି ସହର ପଟୁ ଥାନା ଆଡ଼କୁ ଯାଇଥିଲା।

୭ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ପରେ ଉତ୍ତେଜିତ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ୍‌ ଫୋର୍ସ ଉତ୍ତ୍ୟକ୍ତମାନଙ୍କୁ ଭାଲୁପାଲି ପର୍ଯ୍ୟନ୍ତ ଘଉଡ଼ାଇ ଦେଇଥିଲେ। ସାଢ଼େ ୧୨ଟାରେ ଆଇଜି ସୁଶାନ୍ତ କୁମାର ନାଥ ଘଟଣାସ୍ଥଳ ନିରୀକ୍ଷଣ କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଛି। ବିଜେପି ଓ କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି।

ସମ୍ବନ୍ଧିତ ଖବର