ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଲାଣି ହାଣ୍ତିଶାଳ : ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ, ରୋଜଗାର ହରାଇ ଦୁର୍ବିସହ ଜୀବନ ବିତାଉଛନ୍ତି ଅନେକ ପରିବାର

ଦଶପଲ୍ଲା : କରୋନା ପାଇଁ କାମ ବନ୍ଦ। ହାତ ବାନ୍ଧି ବସିଛନ୍ତି ଦିନ ମଜୁରିଆ। କରୋନା ଭୂତାଣୁକୁ ମୁକାବିଲା କରୁ କରୁ କରୁଣ ଦିଶିଲାଣି ହାଣ୍ତିଶାଳର ଚିତ୍ର। ନିୟମିତ ମୂଲ ମଜୁରି କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନେ କାମ ବନ୍ଦ ହେତୁ ସେମାନଙ୍କ ହାଣ୍ତିଶାଳ ଏବେ ଚାଉଳଶୂନ୍ୟ ହୋଇ ପଡ଼ିଲାଣି। ଚୁଲିମୁଣ୍ଡେ ତେଲ ଥିଲେ ଲୁଣ ନାହିଁ କି ପେଟକୁ ମୁଠେ ଖାଇବାକୁ ଠିକ୍‌ରେ ଦାନା ଗଣ୍ଡେ ବି ମିଳୁନି। ଏଭଳି ସ୍ଥିତିରେ ୩ ମାସର ରାସନ ଏକକାଳୀନ ମିଳିବ ବୋଲି ସରକାରୀ ଘୋଷଣା ସତ୍ତ୍ବେ ଆଜିଯାଏ ଚାଉଳ ମିଳୁନଥିବା ହେତୁ ଶ୍ରମିକ ଶ୍ରେଣୀୟ ପରିବାରରେ ପରିସ୍ଥିତି ସଙ୍ଗିନ ହୋଇପଡ଼ିଲାଣି।

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ପଞ୍ଚାୟତର ବୁଗୁଡ଼ା, କୁଲୁରୁକୁମ୍ପା, ତେଣ୍ତାବାଡ଼ି ଓ ଶିମିଳିସାହି ପ୍ରଭୃତି ଅଂଚଳରେ ଏବେ ଅନେକ ଦିନ ମଜୁରିଆ ଦୁର୍ଦ୍ଦିନରେ ଗତି କରୁଥିବା ଦେଖିବାକୁ ମିଳିଛି। ଏସବୁ ଗ୍ରାମର ଅନେକ ପରିବାର ଦିନ ମଜୁରିଆ ଅଟନ୍ତି। କେହି ନିକଟସ୍ଥ ପାହାଡ଼କୁ ଯାଇ ପତ୍ର ତୋଳି ଖଲି, ଠୁଙ୍ଗା ସିଲାଇ କରି ଚଳନ୍ତି ତ କେତେକ ପରିବାର ଜାଳେଣି କାଠ ସଂଗ୍ରହ କରନ୍ତି। କିଛି ପରିବାର ମୂଲକାମ ପାଇଁ ଦଶପଲ୍ଲା ଆସି ରାଜମିସ୍ତ୍ରି ସହ କାମ କରନ୍ତି। କେତେକ ପରିବାର ବିଭିନ୍ନ କ୍ରସରରେ କାମ କରିଥାନ୍ତି। ସକାଳୁ ଆସି ଅପରାହ୍ଣରେ ଘରକୁ ଫେରିଥାନ୍ତି। ରୋଜଗାର କରି ନେଇଥିବା ଟଙ୍କାରେ ଡାଲି ଚାଉଳ ଓ ପନିପରିବା କିଣିଥାନ୍ତି। ଏହି ରୋଜଗାରରେ କାହାର ୫ ପ୍ରାଣୀ କୁଟୁମ୍ବ ତ ପୁଣି କାହାର ୭ ପ୍ରାଣୀ କୁଟୁମ୍ବ ଚଳିଥାନ୍ତି। ମାତ୍ର ଏବେ କରୋନା କଟକଣାକୁ ନେଇ ସେମାନଙ୍କ ଜୀବନ ଜୀବିକା ଏକ ପ୍ରକାର ଠପ୍ ହୋଇ ପଡ଼ିଥିବା ବେଳେ ଲୁଣ, ତେଲ କିଣିବା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ। କିଛିଦିନ ହେବ କାମ ମିଳୁନି। ଯେଉଁମାନେ ଆଖପାଖ କ୍ରସରରେ କାମ କରୁଥିଲେ ତାହା ମଧ୍ୟ ବନ୍ଦ ହୋଇ ପଡ଼ିଛି। ଘରୁ ଗୋଡ଼ କାଢ଼ିବାକୁ ବାରମ୍ବାର ମନା କରାଯାଉଛି। ଘରୁ ଗୋଡ଼ କାଢ଼ି ନହେବା ସହିତ ଦୁର୍ବିସହ ଜୀବନ ବିତାଉଛନ୍ତି ଅନେକ ପରିବାର। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଟାକରା ପଞ୍ଚାୟତ ବୁଗୁଡ଼ା ଗ୍ରାମର ବିଜୟ ବିଶିଙ୍କ କ୍ଷେତ୍ରରେ। ବିଜୟଙ୍କ ପରିବାର କହିଲେ, ପତ୍ନୀ ଓ ଗୋଟିଏ ପୁଅ। ଉଭୟ ସ୍ବାମୀ ଓ ସ୍ତ୍ରୀ ଦୈନିକ ଦଶପଲ୍ଲା ଆସି ରାଜମିସ୍ତ୍ରିଙ୍କ ସହ କାମ କରନ୍ତି। ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଲୁଣ, ତେଲ କିଣି ପରିବାର ଚଳେ। ମାତ୍ର ଏବେ କାମ ବନ୍ଦ ହେତୁ ହାତ ବନ୍ଦ। ରାସନ ସାମଗ୍ରୀରେ ମିଳିଥିବା ଚାଉଳ ଗଣ୍ତାକ ଏବେ ସରିବାକୁ ବସିଲାଣି। ତେଲ, ଲୁଣ କିଣିବାକୁ ହାତରେ କାଣି କଉଡ଼ିଟିଏ ନାହିଁ। ଏହି ଶ୍ରମିକ ଶ୍ରେଣୀୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର