ଲକ୍‌ ଡାଉନ୍‌ ପରେ କରୁଣ ଚିତ୍ର : ରୋଗ ବନାମ ଭୋକର ଲଢ଼େଇ

ସମ୍ବଲପୁର, (ତେଜସ୍କର ମହାପାତ୍ର) : ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୩୭ ଅନ୍ତର୍ଗତ ନକ୍ସାପାଲି ଫଟାଡୁଙ୍ଗୁରି ଗ୍ରାମର ସୋନିଆରେଲ୍‌ ଲୁହୁରା। ବୟସ ଆସି ୭୦ ଛୁଇଁଲାଣି। ନିଜର ବୋଲି କେହି ନାହାନ୍ତି। ପର ଘରେ ବାସନ ମାଜିଲେ କି କାହା ଧାନ ବିଲରେ ଘାସ ବାଛିଲେ ଯେଉଁ କିଛି ଟଙ୍କା ମିଳେ ସେଥିରେ ତାଙ୍କର ଦୁଇ ଓଳି ଖାଇବା ହୋଇଯାଏ। ମାତ୍ର କରୋନା ପାଇଁ ଆଉ କେହି ଘରେ ବାସନ ମାଜିବାକୁ ରଖୁନାହାନ୍ତି। ସେପଟେ, ୨୨ ତାରିଖରେ କର୍ଫ୍ୟୁ ଓ ତା ପରଠାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ କିଛି କାମ ବି ମିଳୁନି। ଘରେ ଯାହା କିଛି ତେଲ, ଲୁଣ ଥିଲା ତାହା ବି ସରିଗଲାଣି। ଏବେ ଆଉ ୨୦ ଦିନ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ସୋନିଆରେଲ୍‌। ୨ ଦିନ ହେବ ଚା‌ଉଳ, ଖୁଦ ଶେଷ ହୋଇଯାଇଥିବାରୁ ଏବେ ଦାଣ୍ଡ ଦୁଆରୁ ସୁନୁସୁନିଆ ଶାଗ ମୁଠେ ଆଣି ତାକୁ ସିଝେଇ ସେ ଖାଉଛନ୍ତି। ଏବେ ଭଗବାନଙ୍କ ଭରସାରେ ତାଙ୍କ ଜୀବନ ବୋଲି ସୋନିଆରେଲ୍‌ କହିଛନ୍ତି। ଲକ୍‌ଡାଉନ୍‌ ପାଇଁ କେବଳ ଯେ ସୋନିଆରେଲ୍‌ ନୁହନ୍ତି ବରଂ ଏଭଳି ଅନେକ ଲୋକ ଭୋକ ପାଇଁ ପ୍ରତିଟି ମୁହୂର୍ତ୍ତରେ ସଂଗ୍ରାମ କରୁଛନ୍ତି।

ଏହି ଗାଁରେ ଆଉ ଏକ କରୁଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ୯ ବର୍ଷର ପିଲାଟିଏ ଖାଇବା ପାଇଁ ଘରେ ଜିଦ୍‌ କରୁଥିବା ସମୟରେ ଖାଦ୍ୟ ନଥିବାରୁ ଅସହାୟ ମା’ କୋହକୁ ଛାତିରେ ଚାପି ଧରି ପୁଅକୁ ଆକଟ କରୁଥିଲା। ପଚାରିବା‌ ପରେ ଜଣାପଡ଼ିଲା ସେ ହେଉଛନ୍ତି ଗାଁର ବିଳାସିନୀ ବେସ୍ରା। ବର୍ଷେ ହେଲା ସ୍ବାମୀଙ୍କ ମୃତ୍ୟୁ ହେଲାଣି। ହେଲେ ବିଧବା ଭତ୍ତା ବି ହୋଇପାରିନି। ବଡ଼ପୁଅ ଟିକେ ଜାଣିବା ବୟସକୁ ଆସିବା ପରେ ସେ ବାହାରେ ଯାଇ କାମ କରି ନିଜ କଥା ନିଜେ ବୁଝୁଛି। ହେଲେ ଏବେ ଘରେ ବିଳାସିନୀ ଓ ସାନ ପୁଅ ସ୍ବାଗତ। ନିକଟସ୍ଥ ଜଙ୍ଗଲରୁ ଝାଟି ସଂଗ୍ରହ କରି ଆଣି ସହରରେ ବିକ୍ରି କଲେ ଦିନକୁ ୧୦୦ ଟଙ୍କା ମିଳିଥାଏ। ମାତ୍ର ଏବେ ହୋଟେଲ୍‌ଗୁଡ଼ିକ ସବୁ ବନ୍ଦ ଥିବାରୁ ତାଙ୍କର ଝାଟି ନେବା ଲୋକ ମଧ୍ୟ କେହି ନାହାନ୍ତି। ଯାହା ଚାଉଳ ସଞ୍ଚୟ କରି ରଖିଥିଲେ ତାହା କାଲିଠୁ ଶେଷ ହୋଇଗଲାଣି। ବୁଧବାର ଚୂଲି ଜାଳିବାକୁ ବି ଜିନିଷ ନଥିଲା। କିନ୍ତୁ ସ୍ବାଗତ ସେସବୁ କିଛି ନବୁଝି ଖାଇବା ପାଇଁ ଜିଦ୍‌ କରୁଥିବା କହି କାନ୍ଦି ପକାଇଥିଲେ ବିଳାସିନୀ।

ସହରର ଠିକ୍‌ ମଝିରେ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ମୀ ଟକିଜ ଛକରେ ସବୁଦିନ ଭଳି ବୁଧବାର ମଧ୍ୟ ମୋଚି ଶୁକଦେବ ମେହେରଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଶୁକଦେବଙ୍କ ସବୁଦିନର ଚେହେରା ଓ ବୁଧବାରର ଚେହେରା ଭିନ୍ନ ଥିଲା। ଲକ୍‌ଡାଉନ୍‌ ପାଇଁ କେହି ଜଣେ ହେଲେ ଗ୍ରାହକ ପାଖକୁ ଆସୁନଥିବାରୁ ସକାଳ ପ୍ରହରରୁ ଟଙ୍କାଟିଏ ବି ରୋଜଗାର ହୋଇନି। ଘରେ ବୁଢ଼ା ମା’, ବାପା’ ଓ ୧୪ ବର୍ଷର ପୁଅ। ସକାଳ ପ୍ରହରୁ ଟଙ୍କାଟିଏ ବି ରୋଜଗାର ହୋଇନଥିବାରୁ ଶୁକଦେବ ଘରକୁ ଯାଇନଥିଲେ। କିଛି ସହୃଦୟ ବ୍ୟକ୍ତି ଆସି ତାଙ୍କୁ ରୁଟି ଦି ପଟ ଓ ଡାଲି ଦେବାରୁ ତାକୁ ଖାଇ ପୁଣିଥରେ ଛକରେ ବସି ପଡ଼ିଥିଲେ। ହେଲେ ‌ସନ୍ଧ୍ୟାକୁ ଘରକୁ ଟଙ୍କା ନନେଇ ଗଲେ ରାତିରେ ସେମାନେ କ’ଣ ଖାଇବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲେ। ଶୁକଦେବଙ୍କ କହିବାନୁସାରେ ମଙ୍ଗଳବାର କିଛି ରୋଜଗାର ନହେବାରୁ ରାତି ତାଙ୍କ ପରିବାର ଉପାସରେ ଶୋଇଥିଲେ।

ମୋତିଝରନ୍‌ର ରିକ୍ସାଚାଳକ ବୈଷ୍ଣବ ଲୁହା। ଘରେ ରୋଜଗାର କରିବା ଲୋକ କେବଳ ସେ ଜଣେ। ଘରେ ୨ ପୁଅ ସେମାନେ ପୁଣି ୮ରୁ ୧୦ ବର୍ଷ ବୟସର ଓ ଝିଅର ବୟସ ୬। ସ୍ତ୍ରୀ ପରଘରେ ବବାସନ ମାଜୁଥିଲେ। କିନ୍ତୁ କରୋନା ସଂକ୍ରମଣ ଭୟରେ ତାଙ୍କ ସ୍ତ୍ରୀଙ୍କୁ ଆଉ ବାସନ ମାଜିବାକୁ କେହି ରଖୁନାହାନ୍ତି। କେବଳ ବୈଷ୍ଣବ ରିକ୍ସା ଟାଣି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଗତ ୩ ଦିନ ଭିତରେ ମାତ୍ର ଗୋଟିଏ ଥର ସେ ରିକ୍ସା କାଢ଼ିଥିବା ସମୟରେ ଯାହା ୨୦ ଟଙ୍କା ମିଳିଥିଲା, ସେଥିରେ ଚାଉଳ କିଲେ ଆଣିଥିଲେ। ଏବେ ରୋଜଗାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ କିଭଳି ସେ ତାଙ୍କ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ତେ‌ବେ ତାଙ୍କ ଭଳି ଅନ୍ୟମାନଙ୍କ ପରିବାରରେ ମଧ୍ୟ ଏଭଳି ଦୁର୍ଦଶା ଲାଗି ରହିଥିବାରୁ ଏହାକୁ ନେଇ ବେଶୀ ଦୁଃଖ କରି ଲାଭ ବା କ’ଣ ମିଳିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର

Comments are closed.