ଝାରସୁଗୁଡ଼ା : ମୋଚିଙ୍କୁ ଘାରିଛି ଲକ୍‌ଡାଉନ୍‌ ଚିନ୍ତା

ଝାରସୁଗୁଡ଼ା : ସକାଳ ପାହିଲେ ତାଙ୍କର ପେଟ ଚିନ୍ତା, କେବଳ ନିଜର ନୁହେଁ ସାରା ପରିବାର ଲୋକଙ୍କ ପେଟ କେମିତି ପୁରିବ ତାକୁ ନେଇ ସଂଗ୍ରାମ କରନ୍ତି ବାଦଲ ରୋହିଦାସ। ପେଶା ତାଙ୍କର ମୋଚିକାମ କରିବା। ଝାରସୁଗୁଡ଼ା ସହରର ଝଣ୍ଡାଚୌକ ଠାରେ ଏକ କଣରେ ନାଳ ଉପରେ ତଳେ ବସି ଜୋତା ପଲିସ୍‌ କରିବା, ଛିଣ୍ଡି ଯାଇଥିବା ଚପଲ, ବ୍ୟାଗ୍‌ ମରାମତି କରିବା ହେଉଛି ତାଙ୍କର କାମ। ଆଉ ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ୯ ଜଣିଆ ପରିବାର ଦୁଃଖ କଷ୍ଟରେ ଚଳି ଯାଆନ୍ତି। ପୌରସଂସ୍ଥାର ୨୧ ନମ୍ବର ୱାର୍ଡ଼ ମଙ୍ଗଲବଜାର ଅଞ୍ଚଳରେ ରହୁଥିବା ଏହି ମ‌ୋଚି ଏବେ ଲକ୍‌ଡାଉନ୍‌ ସମୟରେ ତାଙ୍କ ବେଉସା ହରାଇ ଚିନ୍ତିତ ହୋଇ ପଡ଼ିଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସି ସେ ଦିନକୁ ଦେଢ଼ ଶହରୁ ଦୁଇ ଶହ ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି। ଏହି ଟଙ୍କାରେ ଜୋତା ପଲିସ, ସୁତା, କଣ୍ଟା ଆଦି ସାମଗ୍ରୀ କିଣିବା ସହିତ ଘରେ ଖାଇବା ପିଇବାରେ ଖର୍ଚ୍ଚ କରୁଥିବା କୁହନ୍ତି ବାଦଲ।

ତାଙ୍କର ୬ ଗୋଟି ସନ୍ତାନ ସନ୍ତତିଙ୍କ ମଧ୍ୟରୁ ବଡ଼ ପୁଅ ଏକ କପଡ଼ା ଦୋକାନରେ କାମ କରନ୍ତି ମାତ୍ର ଲକ୍‌ଡାଉନ୍‌ ଯୋଗୁଁ କପଡ଼ା ଦୋକାନ ମଧ୍ୟ ବନ୍ଦ ରହିଥିବାରୁ ସେ ମଧ୍ୟ ଯାହା କିଛି ରୋଜଗାର କରୁଥିଲେ ବନ୍ଦ ହୋଇ ଯାଇଛି। ଝାରସୁଗୁଡ଼ା ସହର ପୌରସଂସ୍ଥା ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ଏହି ସଂକଟ ସମୟରେ ବିତରଣ କରାଯାଉଥିବା ଖାଦ୍ୟଖାଇ ତାଙ୍କ ପରିବାର ରହୁଥିବା ବେଳେ ଆଗକୁ କଣ ହେବ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବାଦଲ। କେବଳ ବାଦଲ ନୁହଁନ୍ତି ବାଦଲଙ୍କ ପରି ଶତାଧିକ ଲୋକ ଯେଉଁମାନେ ଏଭଳି ମ‌ୋଚି କାମ କରନ୍ତି ବା ଉଠା ଦୋକାନ କରି ଜୀବିକା ନିର୍ବାହ କରନ୍ତି ସଭିଙ୍କ ମନରେ ସେହି ଗୋଟିଏ ଚିନ୍ତା ଆଗକୁ କଣ ହେବ। ରାଜ୍ୟ ସରକାର ଏହି ଉଠାଦୋକାନୀ ମାନଙ୍କୁ ୩ ହଜାର ଟଙ୍କା ଅନୁଦାନ ଦେଉଥିବା ବେଳେ ଏହି ମୋଚି ଭଳି ଅନେକ ଉଠାଦୋକାନୀ ଏହି ସାହାଯ୍ୟ ପାଇବେ ନା ନାହିଁ ତାହା ଜାଣନ୍ତି ନାହିଁ। ପ୍ରତି ଦିନ ଏକ ଅଜଣା ଆଶଙ୍କା ଏମାନଙ୍କ ମନକୁ ଅସ୍ଥିର କରି ପକାଉଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର