ଲକ୍ ଡାଉନ୍‌ ଯୋଗୁ ଯୋଗାଡ଼ ହୋଇପାରୁନି ଟଙ୍କା : ଭୁବନେଶ୍ବର ହସ୍ପିଟାଲରେ ଅଟକି ରହିଛନ୍ତି ଯୁବକ

ଅସ୍ତ୍ରୋପଚାର ପରେ ବି ଡିସ୍‌ଚାର୍ଜ କରୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୁଳ : ପୁଅ ନରେନ୍ଦ୍ର ଚାଉଲିଆ(୨୩) ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାପା ଚୈତନ୍ୟ ଚାଉଳିଆ ଟଙ୍କା ଯୋଗାଡ଼ କରିବାକୁ ଗାଁକୁ ଆସିଛନ୍ତି। ହେଲେ ଲକ୍‌ଡାଉନ୍‌ ଯୋଗୁଁ ଟଙ୍କା ଯୋଗାଡ଼ କରିପାରୁ ନାହାନ୍ତି କି ପୁଅ ପାଖକୁ ଯାଇ ପାରୁ ନାହାନ୍ତି। ଏପଟେ ଡାକ୍ତରଖାନାରେ ବିଲ୍‌ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଚୈତନ୍ୟ ଓ ତାଙ୍କ ପରିବାରବର୍ଗ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତ ଭୁବନିପୁର ନିବାସୀ ନରେନ୍ଦ୍ର ଚାଉଳ କୌଣସି କାମରେ ବୌଦ୍ଧ ଯାଇଥିଲେ। ଗତ ୩ ତାରିଖ ଦିନ ଏକ ଅଟୋରିକ୍ସାରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଟୋରିକ୍ସାରେ ଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ନରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଗତ ୪ ତାରିଖ ଦିନ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ଭର୍ତ୍ତି କରାଯାଇଥିଲା। ମେରୁଦଣ୍ଡ ହାଡ଼ରେ ଆଘାତ ଲାଗିଥିବାରୁ ବୁର୍ଲା ଡାକ୍ତରଖାନାର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଗତ ୮ ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ନରେନ୍ଦ୍ର ଭର୍ତ୍ତି ହୋଇଥିଲେ। ହେଲେ ଏବେ ସଂପୃକ୍ତ ବିଭାଗର ଡାକ୍ତର ନଥିବା ଦର୍ଶାଇ କଟକ ବଡ଼ ଡାକ୍ତରଖାନା କତ୍ତୃର୍ପକ୍ଷ ତାଙ୍କୁ ୨ ମାସ ପରେ ଆସିବାକୁ କହିଥିଲେ। ଏହି ସମୟରେ ସେମାନେ ଜଣେ ଦଲାଲଙ୍କ ହାବୁଡ଼ରେ ପଡ଼ିଥିଲେ। ନରେନ୍ଦ୍ରଙ୍କ ମା ଜଣେ କେନ୍ଦୁପତ୍ର ତୋଳାଳି ହୋଇଥିବା ବେଳେ ଚୈତନ୍ୟଙ୍କ ନାମରେ ବିପିଏଲ୍‌ କାର୍ଡ, ବିଜୁ କୃଷକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ରହିଥିବା ଜାଣି ସଂପୃକ୍ତ ଦଲାଲ ତାଙ୍କୁ ଭୁବନଶ୍ବେରର ଏକ ଘରୋଇ ହସ୍‌ପିଟାଲକୁ ନେଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ତଥା ବିଜୁ କୃଷକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ଜରିଆରେ ମାଗଣା ଚିକିତ୍ସା ହୋଇଯିବ ବୋଲି କହିଥିବା ଚୈତନ୍ୟ କହିଛନ୍ତି।

ତେବେ ଉକ୍ତ ହସ୍‌ପିଟାଲକୁ ପହଂଚିବା ପରେ ପ୍ରଥମେ ୩୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ୩୦ ହଜାର ଟଙ୍କା ଦେବା ପରେ ପୁଣି ୧ ଲକ୍ଷ ଟଙ୍କା ଜ‌ମା କରିବା ପରେ ଅସ୍ତ୍ରୋପଚାର କରାଯିବ ବୋଲି କହିବାରୁ ଗତ ୧୪ ତାରିଖ ଦିନ ଚୈତନ୍ୟ ଗାଁକୁ ଚାଲି ଆସିଥିଲେ। ନିଜର ପ୍ରାୟ ଏକ ଏକର ଜମି, ଘରଡ଼ିହ ବନ୍ଧା ପକାଇ ଟଙ୍କା ଧରି ଭୁବନେଶ୍ବର ଯାଇଥିଲେ। ଟଙ୍କା ଜମା କରିବା ପରେ ଅସ୍ତ୍ରୋପଚାର ହୋଇଥିଲା। ‌ତେବେ ୮୦ ହଜାର ଟଙ୍କା ଦେଲେ ରୋଗୀକୁ ଡିସ୍‌ଚାର୍ଜ କରାଯିବ ବୋଲି କହିବାରୁ ଚୈତନ୍ୟ ଟଙ୍କା ଯୋଗାଡ଼ ପାଇଁ ଗାଁକୁ ଚାଲି ଆସିଥିଲେ। ଏବେ ନଗେନ୍ଦ୍ରଙ୍କ ପାଖରେ ତାଙ୍କ ପତ୍ନୀ ରଂଜିତା ଓ ମା ଜେମା ରହିଛନ୍ତି। ସେମାନଙ୍କ ପାଖରେ ବି ଟଙ୍କା ନାହିଁ। ଏପଟେ ଲକ୍‌ ଡାଉନ୍‌ ଘୋଷଣା ଯୋଗୁଁ ସବୁକିଛି ବନ୍ଦ ହୋଇଯାଇଛି। ଟଙ୍କା ବି ଯୋଗାଡ଼ ହୋଇପାରୁ ନାହିଁ। ଏପଟେ ଡାକ୍ତରଖାନା କତ୍ତୃର୍ପକ୍ଷ ପ୍ରତିଦିନ ଫୋନ୍‌ କରି ଅଧିକ ଟଙ୍କା ଦାବି କରୁଛନ୍ତି ବୋଲି ଚୈତନ୍ୟ କହିଛନ୍ତି। ‘ଇତିମଧ୍ୟରେ ୧ ଲକ୍ଷ ୭୦ ହଜାର ଟଙ୍କା ଡାକ୍ତରଖାନାରେ ଜମା କରି ସାରିଛୁ। ସରକାର ଗରିବ ପାଇଁ କାହିଁ କେତେ ଯୋଜନା କରିଥିବା କହୁଛନ୍ତି, ହେଲେ ଆମକୁ କୌଣସି ସହାୟତା ମିଳିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି, ବିଜୁ କୃଷକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କେଉଁ କାମକୁ? ବୋଲି ଚୈତନ୍ୟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର