ଲକ୍‌ଡାଉନ୍ ପରେ ଗଡ଼ୁନି ଠେଲା : ସରକାରୀ ସହାୟତା ନାହିଁ, ଚକ୍ରବ୍ୟୁହରେ ଅଭିମନ୍ୟୁ, ପ୍ରକାଶ

ଭଞ୍ଜନଗର : ‘ଲକ୍‌ଡାଉନ୍ ଆମ ଜୀବନ ଜୀବିକା ଛଡ଼ାଇ ନେଲା। ଠେଲା ଗାଡ଼ି ଆଉ ଗଡ଼ୁନି। ଏବେ ଦୁଇଓଳା ଦାନା ଯୋଗାଡ଼ କରିବା ଆମ ପକ୍ଷେ ଅସମ୍ଭବ। ହାତରେ ଟଙ୍କାଟିଏ ବି ନଥିବାରୁ ଭୋକ ଉପବାସରେ ଦିନ କଟୁଛି। କାରଣ ଯାହା ସଞ୍ଚୟ ଥିଲା ତାହା ସରିଗଲାଣି। ଏଭଳି ପରିସ୍ଥିତିରେ ପିଲାଛୁଆଙ୍କୁ ନେଇ କେମିତି ଦିନ କାଟିବୁ। ସରକାରୀ ସହାୟତା ହିଁ ଏକ ମାତ୍ର ଆମ ପାଇଁ ଆଶାଭରସା। ସରକାର ଆମ କଥା ବି ଶୁଣନ୍ତୁ।’ ଏଭଳି କୋହଭରା ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ବହୁବର୍ଷ ହେଲା ଗୁପ୍‌ଚୁପ୍ ବ୍ୟବସାୟ କରି ପରିବାର ଚଳାଉଥିବା ଅଭିମନ୍ୟୁ ଡାକୁଆ ଓ ପ୍ରକାଶ ଡାକୁଆ। ଲକ୍‌ଡାଉନ୍ କଟକଣା ପରେ ଅଭିମନ୍ୟୁ ଓ ପ୍ରକାଶଙ୍କ ଜୀବନ ଦୁର୍ବିଷହ ପାଲଟିଛି। ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଆଗକୁ ସ୍ଥିତି କଣ ହେବ, ଏଥିପାଇଁ ବଡ଼ ଚିନ୍ତା।

କରୋନାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ବହୁ ଲୋକ ଜୀବନ ଜୀବିକା ହରାଇଇଛନ୍ତି। ଦିନ ମଜୁରିଆଙ୍କଠାରୁ ଆରମ୍ଭ କରି ଖଟିଖିଆ ଓ ଉଠାଦୋକାନୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କାରଣ ପ୍ରତିଦିନ ରାସ୍ତାକଡ଼ରେ ଠେଲା ଗାଡ଼ି ଓ ଉଠା ଦୋକାନ ବେପାର କରି ଯାହା ରୋଜଗାର ହେଉଥିଲା ସେତିକିରେ କଷ୍ଟେମଷ୍ଟେ ପରିବାର ଚଳୁଥିଲା।

ଭଞ୍ଜନଗର ମାଲସାହିରେ ରହୁଥିବା ଗୁପ୍‌ଚୁପ୍ ବେପାରୀ ଅଭିମନ୍ୟୁ ଡାକୁଆଙ୍କ ସହ ଆମେ କଥାବାର୍ତ୍ତା କରିଥିଲୁ। ପତ୍ନୀ, ୪ ପୁଅ ଓ ୩ ବୋହୂଙ୍କୁ ନେଇ ସଂସାର। ବଡ଼ପୁଅ ଯୁଗଳ ହାଇସ୍କୁଲ ଛକଠାରେ ଗୁପ୍‌ଚୁପ୍ ବେପାର କରୁଥିବା ବେଳେ ଅନ୍ୟ ପୁଅମାନେ ଷ୍ଟେଟ୍ ବ୍ୟଙ୍କ ସାମ୍ନାରେ ଠେଲା ଗାଡ଼ି ଲଗାଉଥିଲେ। ପ୍ରତିଦିନ ପାଖାପାଖି ୮ଶହରୁ ହଜାରେ ଟଙ୍କାର ହେଉଥିଲା। ସେତିକିରେ ତେଲଲୁଣର ସଂସାର ଚାଲିଥିଲା। ହେଲେ ଅଚାନକ ଏଭଳି ଦୁର୍ଦ୍ଦିନ ଆସିଯିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।

ଆଗକୁ ପରିବାର କିଭଳି ଚଳିବ ସେହି ଚିନ୍ତା ପ୍ରତିଦିନ ଘାରୁଛି ବୋଲି ଅଭିମନ୍ୟୁ କହିଛନ୍ତି।

ସେହିପରି ଏନ୍ଏସି ଅଫିସ୍ ସମ୍ମୁଖରେ ବ୍ୟବସାୟ କରୁଥିବା ପ୍ରକାଶ ଡାକୁଆଙ୍କ ସ୍ଥିତି ମଧ୍ୟ ଶୋଚନୀୟ ପାଲଟିଛି। ସେ ବହୁବର୍ଷ ହେଲାଣି ଏହି ବ୍ୟବସାୟ କରୁଥିଲେ ମଧ୍ୟ ଏଭଳି ପରିସ୍ଥିତିକୁ କେବେବି ସାମ୍ନା କରି ନଥିଲେ ବୋଲି କହିଛନ୍ତି। କେମିତି ପରିବାରର ପ୍ରତିପୋଷଣ ହେବ ବୋଲି କୋହଭରା କଣ୍ଠରେ କହିଛନ୍ତି। ଆମ ଭଳି ଛୋଟ ଓ ଉଠା ବେପାରୀଙ୍କ ପାଇଁ ମଧ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ପ୍ରକାଶ କହିଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ରାମପୁରା ଗ୍ରାମରୁ ଆସି ଭଞ୍ଜନଗରରେ ୨୦ ବର୍ଷ ହେଲା ଗୁପ୍‌ଚୁପ୍ ବେପାର କରୁଥବା କଲ୍ୟାଣ ସିଂ ମଧ୍ୟ ସମଦଶା ଭୋଗୁଛନ୍ତି। ୫ଟି ଠେଲାଗାଡ଼ିରେ ସହରର ମୁଖ୍ୟ ବଜାର, ବସ୍‌ଷ୍ଟାଣ୍ଡ୍ ଓ ପାର୍କ ସମେତ ବିଭିନ୍ନ ଗଳିକନ୍ଦିରେ ଗୁପ୍‌ଚୁପ୍ ବେପାର କରୁଥିଲେ। ଏଥିପାଇଁ ୪ଜଣ ପିଲାଙ୍କୁ ସେ ନିୟୋଜିତ କରିଥିଲେ। କିନ୍ତୁ ଲକ୍‌ଡାଉନ୍ ପରଠୁ କଲ୍ୟାଣ ହାତ ବାନ୍ଧି ବସିଛନ୍ତି। ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ଘରକୁ ମଧ୍ୟ ଯାଇ ପାରୁନାହାନ୍ତି। ଖିଆପିଆ ପାଇଁ ଦୋକାନରୁ ଧାରଉଧାର ଜିନିଷପତ୍ର ଆଣୁଛନ୍ତି। ଘର ଭଡ଼ା ସହ ପିଲାଙ୍କୁ ଦରମା କେମିତି ଦେବେ ଏଥିପାଇଁ କଲ୍ୟାଣ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର