ଦୟନୀୟ ହେଲାଣି ପରିସ୍ଥିତି : କଠୋର ନିଷ୍ପତ୍ତି ନେବେ ଟ୍ରକ୍‌ ମାଲିକ

ଭୁବନେଶ୍ୱର : କରୋନା ଭୂତାଣୁ ନ ବ୍ୟାପିବା ପାଇଁ ଜାରି ହୋଇଥିବା ତାଲାବନ୍ଦ ଅନେକଙ୍କ ରୋଜଗାର ପ୍ରଭାବିତ କରିଛି। ସରକାର ଅନେକ କ୍ଷେତ୍ରରେ ହସ୍ତକ୍ଷେପ କରି ବ୍ୟବସ୍ଥାରେ ସୁଧାର ଆଣିଛନ୍ତି। ଦୀର୍ଘଦିନର ଟଣାଓଟରା ପରେ ସରକାର ବସ୍‌ ମାଲିକଙ୍କ କଥା ଶୁଣିଛନ୍ତି। ମଦ ଦୋକାନକୁ ସୁରକ୍ଷା ଯୋଗାଇ ବେପାର ଶୃଙ୍ଖଳିତ କରାଇଛନ୍ତି। ଏଭଳି ଅନେକ ଉଦାହରଣ ଅଛି। ହେଲେ ଟ୍ରକ୍‌ମାଲିକଙ୍କ କଥା ସରକାର ଶୁଣି ନାହାନ୍ତି। ଦୀର୍ଘ ଦିନ ଧରି ଟ୍ରକ୍‌ ମାଲିକ ସଂଘ ସରକାରଙ୍କୁ ଏକ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର ହସ୍ତକ୍ଷେପ କରିନାହାନ୍ତି। ଏଣେ ପରିସ୍ଥିତି କ୍ରମଶଃ ଦୟନୀୟ ହେବାରେ ଲାଗିଛି। ଗତକାଲି ବସିଥିବା ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଏକ ଜରୁରୀ ବୈଠକରେ ଆଗକୁ କଠୋର ନିଷ୍ପତ୍ତି ନେବା ପାଇଁ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପ୍ରଭାବିତ ହୋଇପାରେ ବୋଲି ସଂଘ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୧ ଲକ୍ଷ ୯୦ ହଜାର ଟ୍ରକ୍‌ ରହିଛି। ରାଜଧାନୀରେ କେବଳ ୧୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ରହିଛି। ୯୫ ପ୍ରତିଶତ ଟ୍ରକ୍‌ ମାଲିକଙ୍କ ରୋଜଗାର ଏହି ଟ୍ରକ୍‌ ଚଳାଚଳ ଉପରେ ନିର୍ଭର କରିଥାଏ। କେତେକ ଟ୍ରକ୍‌ ମାଲିକଙ୍କ ମତରେ ଟ୍ରକ୍‌ଗୁଡ଼ିକ ଅଧିକାଂଶ ଶିଳ୍ପ ସଂସ୍ଥା ଉପରେ ଭରସା କରିଥାନ୍ତି। ହେଲେ ଅଧିକାଂଶ ଶିଳ୍ପସଂସ୍ଥା ବନ୍ଦ ରହିଛି। ଏବେ କେବଳ କୋଇଲା, ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁହାପଥର ପରିବହନ ପାଇଁ ୧୦ ପ୍ରତିଶତ ଟ୍ରକ୍‌ ବ୍ୟବହାର ହେଉଛି। କୋଇଲା ବି କେବଳ ପାୱାର ପ୍ଲାଣ୍ଟକୁ ଯାଉଛି। ଏ ନେଇ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍‌ସ୍‌ପୋର୍ଟ କଂଗ୍ରେସ ସମ୍ପାଦକ ପ୍ରଣବ ପରିଜା କହିଛନ୍ତି, ପରିସ୍ଥିତି ଦୟନୀୟ ହେଉଛି। ଏପ୍ରିଲରୁ ସେପ୍ଟେମ୍ବର ଏମ୍‌ଭି ଟ୍ୟାକ୍ସ ଛାଡ଼ ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ। ଟୋଲ ଟ୍ୟାକ୍ସ କୋହଳ, କର୍ମଚାରୀଙ୍କ ପାଇଁ କଲ୍ୟାଣକାରୀ ପ୍ୟାକେଜ୍‌ ଘୋଷଣା, ମୋରାଟୋରିୟମ ଅବଧିରେ ସୁଧ ଛାଡ଼ କରିବା, ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ଯୋଗୁଁ ଟ୍ରକ୍‌ ଅବସ୍ଥା ଖରାପ ହୋଇଥିବାରୁ ମରାମତି ପାଇଁ କମ୍‌ ସୁଧରେ ସଫ୍ଟ ଲୋନ୍‌ ଯୋଗାଇ ଦେବା, ଟ୍ରାନ୍‌ସ୍‌ପୋର୍ଟ ଦ୍ବାରା ଠକେଇର ଶିକାର ନ ହେବା ପାଇଁ ନୂତନ ଦର ନିର୍ଦ୍ଧାରଣ ପ୍ରଭୃତି ଦାବି ରହିଥିଲା। ଆରବିଆଇ କେବଳ ନୂତନ ମୋରାଟୋରିୟମ ଧାର୍ଯ୍ୟ କରିଛି। ହେଲେ ସରକାର କିଛି କରିନାହାନ୍ତି। ଏଣୁ ଆଗକୁ କଡ଼ା ପଦକ୍ଷେପ ନେବାପାଇଁ ସଂଘ ବିଚାର ବିମର୍ଷ କରିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର