ପେଟ ଉପରେ କରୋନା ମାଡ଼ : ଶ୍ରମଜୀବୀଙ୍କୁ ଭୁଲିଗଲେ ସରକାର! କାମଧନ୍ଦା ହରାଇଲେ, ଏବେ ପେଟ ଚିନ୍ତା

ଅନ୍ୟ ରାଜ୍ୟ ପ୍ୟାକେଜ୍ ଘୋଷଣା କରିଛନ୍ତି

ଭୁବନେଶ୍ବର :କରୋନା ଭଳି ଏକ ଅଜଣା ରାକ୍ଷସର ଡରରେ ଏବେ ସାରା ପୃଥିବୀବାସୀ ଆତଙ୍କିତ। କେତେବେଳେ କାହା ପାଖରେ ଏ ଭୂତାଣୁ ଯାଇ ପହଞ୍ଚିବ, ତାହା କେହି ବି ଜାଣିପାରିବେନି। ଏଇ ଡର ଏବେ ସମସ୍ତଙ୍କୁ ଘାରିଛି। କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରି ଅନ୍ୟ ରାଜ୍ୟ ଏଭଳିକି କେନ୍ଦ୍ର ସରକାରଙ୍କଠାରୁ ଦୁଇପାଦ ଆଗରେ ରହିଲେ। ଗତକାଲି କେନ୍ଦ୍ର ସରକାର ସମଗ୍ର ଦେଶର ଲୋକଙ୍କୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଆଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାର ସ୍ଥିତିର ଗମ୍ଭୀରତାକୁ ମାପି ପ୍ରଶାସନିକ କଳ ଓ ବ୍ୟବସ୍ଥାକୁ ପୂରା ଦମ୍‌ରେ ଲଗାଇଛନ୍ତି। କର୍ମଚାରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରି ପଦକ୍ଷେପ ନେଇଛନ୍ତି। ହେଲେ ତାଲାବନ୍ଦର ପ୍ରଭାବ ଦିନମଜୁରିଆ, ଖଟିକିଆ, ଛୋଟ ବ୍ୟବସାୟୀ, ଅଟୋ ରିକ୍‌ସାଚାଳକଙ୍କ ପେଟ ପାଟଣାକୁ କେତେ ପରିମାଣରେ ପ୍ରଭାବିତ କଲାଣି, ତାକୁ ବୋଧହୁଏ ରାଜ୍ୟ ସରକାର ଆକଳନ କରିପାରୁନାହାନ୍ତି।

ରାଜ୍ୟରେ ଏଭଳି ଶ୍ରମିକଙ୍କର ଦୈନଦିନ ଆବଶ୍ୟକତା କିପରି ମେଣ୍ଟିବ ତାକୁ ନେଇ ଏବେ ସମସ୍ୟା ଦେଖାଦେଲାଣି। ତାଲା ବନ୍ଦର ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମଜୀବୀ, ଛଟେଇ ହୋଇଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କେରଳ, ଦିଲ୍ଲୀ, ଉତ୍ତପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ ଓ ହିମାଚଳ ପ୍ରଦେଶ ସରକାର ମାଗଣା ରାସନ ଦେବା ସହ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅଥଚ ଓଡ଼ିଶା ସରକାର ଏ ଯାଏଁ ସେମାନଙ୍କ ପାଇଁ କିଛି ଆର୍ଥିକ ପ୍ୟାକେଜ୍‌ ଘୋଷଣା ନ କରିବା ନେଇ ବିଭିନ୍ନ ଦଳର ନେତା ଓ ଟ୍ରେଡ୍‌ ୟୁନିୟନ୍‌ ସଂଘ ପ୍ରଶ୍ନ ଉଠାଇଛନ୍ତି।

ଶ୍ରମ ବିଭାଗର ପରିଂସଖ୍ୟାନ ଅନୁଯାୟୀ, ରାଜ୍ୟରେ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ୨୯ ଲକ୍ଷ ୬୦ ହଜାରରୁ ଅଧିକ। ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ଶ୍ରମଜୀବୀଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ଯଦି ହାରାହାରି ୪ ଜଣ ଧରାଯାଏ, ତାହା ହେଲେ କେବଳ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ହେଲାଣି। ସେହିପରି ଅଣସଂଗଠିତ କ୍ଷେତ୍ରରେ ଠିକା କର୍ମଚାରୀ, ଅଟୋ ରିକ୍‌ସା ଚାଳକ, ଟାକ୍‌ସି ଡ୍ରାଇଭର, ଠେଲା ବିକାଳି ଓ ଛୋଟ ବ୍ୟବସାୟ କରୁଥିବା ଦୋକାନୀଙ୍କ ସଂଖ୍ୟା ବି ରାଜ୍ୟରେ ପ୍ରାୟ ୩୦ ଲକ୍ଷ ହେବ। ଏଭଳି କ୍ଷେତ୍ରରେ ସେମାନଙ୍କ ପରିବାରକୁ ମିଶାଇଲେ ଆହୁରି ୧ କୋଟି ୨୦ ଲକ୍ଷ ଜନସଂଖ୍ୟା ହେଉଛି। ଏମାନଙ୍କ ପାଖରେ ଏବେ କାମ ନାହିଁ କି ରୋଜଗାର ନାହିଁ। ତାଲାବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ଓ ସମସ୍ତ ପ୍ରକାର ନିର୍ମାଣ କାମ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଘରୁ ବାହାରିବା ଉପରେ ଲକ୍ଷ୍ଣଣରେଖା ଟଣା ହୋଇଛି ।
ରାଜ୍ୟ ସରକାରଙ୍କ ଏପରି ଉଦାସୀନତାକୁ ନେଇ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଟ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସରକାରୀ ଦଳର କହିବା କଥା, ନିର୍ମାଣ ଶ୍ରମିକ ଓ ଅନ୍ୟ ସମସ୍ତ ବର୍ଗର ଗରିବଙ୍କୁ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିସାରିଛନ୍ତି।

ସେମାନଙ୍କୁ ଅଗ୍ରୀମ ୩ ମାସର ରାସନ ସାମଗ୍ରୀ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

କିନ୍ତୁ ବାସ୍ତବତା କିଛି ଭିନ୍ନ କଥା କହୁଛି। ତାଲାବନ୍ଦ ଯୋଗୁଁ ତେଜରାତି ଦୋକାନ କେତେବେଳେ ଖୋଲୁଛି ଓ ବନ୍ଦ ହେଉଛି ଲୋକେ ଜାଣିପାରୁନାହାନ୍ତି। ସରକାରୀ ରାସନ୍‌ ଦୋକାନ ବି ଖୋଲୁନଥିବା ଅଭିଯୋଗ ହେଉଛି। ଖାଲି ଯେ, ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଚାଉଳ ବା ଗହମରେ ଏସବୁ ଗରିବଙ୍କ ଗୁଜରାଣ ମେଣ୍ଟିଯିବ ତାହା ଭାବିବା ଭୁଲ। ଖାଇବା ତେଲ, ମସଲା ଓ ଆନୁଷଙ୍ଗିକ ଜିନିଷ କିଣିବା ପାଇଁ ଏମାନଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଏବେସୁଦ୍ଧା ରାଜ୍ୟ ବାହାରୁ ୭୮ ହଜାରରୁ ଅଧିକ ଶ୍ରମଜୀବୀ ଓଡ଼ିଶା ଫେରିଥିବା ଖୋଦ ସରକାର କହିଛନ୍ତି। ସେମାନଙ୍କ ଭିତରୁ କେହି ଯଦି ବାହାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତାହେଲେ ପରିସ୍ଥିତି କେତେ ଯେ ଭୟଙ୍କର ହେବ ତାକୁ ଏବେଠୁ କଳ୍ପନା କରିବା ଅସମ୍ଭବ।

ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ ସଂଘର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର ଦାବି କରିଛନ୍ତି ଯେ ତାଲାବନ୍ଦ ଯୋଗୁଁ ପ୍ରଭାବିତ ହୋଇଥିବା ଦିନମଜୁରିଆ, ଖଟିକିଆଙ୍କୁ ରାଜ୍ୟ ସରକାର ମାସିକିଆ ସହାୟତା ବାବଦରେ ନଗଦ ଟଙ୍କା ପ୍ରଦାନ କରନ୍ତୁ। ମାଗଣା ରାସନ୍‌ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରନ୍ତୁ କିମ୍ବା ବିଭିନ୍ନ ବସ୍ତି ଏବଂ ଛକରେ ସ୍ବତନ୍ତ୍ର କାଉଣ୍ଟର ଖୋଲି ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିବାର ବ୍ୟବସ୍ଥା କରନ୍ତୁ। ଅଧିକାଂଶ ଶ୍ରମଜୀବୀଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ନାହିଁ। ଯେଉଁମାନଙ୍କର ଅଛି, ସେମାନଙ୍କ ପାଖରେ ଏଟିଏମ୍‌ କାର୍ଡ଼ ଥିଲେ ବି ଏଟିଏମ୍‌ କାଉଣ୍ଟରକୁ ଟଙ୍କା ଉଠାଣ ପାଇଁ ଗଲେ ନଗଦ ନଥିବା ହେତୁ ଫେରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଅନ୍ୟ ରାଜ୍ୟ ସରକାରମାନଙ୍କ ପରି ଗରିବଙ୍କୁ ନଗଦ ରାଶି ସରକାର ପ୍ରଦାନ କରିବା ଉଚିତ୍‌ ବୋଲି ଶ୍ରୀ କର କହିଛନ୍ତି।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ସୁବାସ ସିଂହ କହିଛନ୍ତି ଯେ ଓଡ଼ିଶା ସରକାର ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କରୋନା ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ରାଜ୍ୟ ସରକାର ବହୁ ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେଇଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଆଗୁଆ ୩ ମାସର ପେନ୍‌ସନ୍‌ ଦେବାକୁ ଘୋଷଣା କରାଯାଇଛି। ସମସ୍ତ ଅଣସଂଗଠିତ ବର୍ଗର ଶ୍ରମିକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ସାମିଲ କରିଛନ୍ତି। ତାଲାବନ୍ଦ ଯୋଗୁଁ ଯଦି କାଁ ଭାଁ କିଛି ଶ୍ରମଜୀବୀ ପ୍ରଭାବିତ ହୋଇଥାନ୍ତି, ତା ହେଲେ ସେମାନଙ୍କ ପାଇଁ ସରକାର ଅବସ୍ଥା ଦେଖି ନିଶ୍ଚିତ ପଦକ୍ଷେପ ନେବେ।

ଏବେ ପ୍ରଶ୍ନ ଉଠୁଛି, ଅନ୍ୟ ରାଜ୍ୟଗୁଡ଼ିକରେ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଗରିବଙ୍କୁ ମିଳୁଥିଲେ ବି ତାଲାବନ୍ଦ ଯୋଗୁଁ ସେଠାକାର ଗରିବ ଶ୍ରମଜୀବୀଙ୍କ ପାଇଁ ସେସବୁ ସରକାର କିପରି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଭିନ୍ନ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କେରଳ ସରକାର କରୋନା ପାଇଁ ୨୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟରେ କି ଧନୀ ଓ କି ଗରିବ ରାସନ୍‌ ସାମଗ୍ରୀ ସମସ୍ତଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରମଜୀବୀ, ଅଟୋରିକ୍‌ସା ଚାଳକ ଓ ଦିନ ମଜୁରିଆଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ସେହିପରି କରୋନା ସତର୍କତା ସ୍ବରୁପ ସାମାଜିକ ଦୂରତା ରକ୍ଷା ପାଇଁ ଦିଲ୍ଲୀରେ କେତେକ କରାଖାନା ଓ କମ୍ପାନି ବନ୍ଦ ହୋଇଯାଇଛି। ସେସବୁ କମ୍ପାନିରେ କାମ କରୁଥିବା ଦିନ ମଜୁରିଆ, ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କ ମାସିକ ଦରମା ଦିଲ୍ଲୀ ସରକାର ଦେବାକୁ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ, ଦିଲ୍ଲୀରେ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ୭୨ ଲକ୍ଷ ଲୋକଙ୍କୁ ମୁଣ୍ଡପିଛା ସମ୍ପୂର୍ଣ୍ଣ ମାଗଣାରେ ଅଧିକ ୫୦% ରାସନ୍‌ ସାମଗ୍ରୀ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କରୋନା ସନ୍ଦିଗ୍‌ଧଙ୍କୁ ସଙ୍ଗରୋଧରେ ରଖିବା ପାଇଁ ବ୍ୟବସ୍ଥା ହୋଇଥିବା ହୋଟେଲମାନଙ୍କରେ କୌଣସି ପ୍ରକାର ଜିଏସ୍‌ଟି ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍‌ ଘୋଷଣା କରିଛନ୍ତି।

ସେହିପରି ହରିୟାଣା ସରକାର ଶ୍ରମଜୀବୀମାନଙ୍କ ପାଇଁ ୧୨୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ହରିୟାଣା ନିର୍ମାଣ ବୋର୍ଡ଼ ଦ୍ବାରା ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମାର୍ଚ୍ଚ ୩୦ ତାରିଖରୁ ମାସିକ ୪ ହଜାର ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାସହିତ ଯେଉଁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ ସମୃଦ୍ଧି ଯୋଜନାରେ ପଞ୍ଜୀକୃତ ହୋଇନାହାନ୍ତି ସେମାନଙ୍କୁ ବି ମାର୍ଚ୍ଚ ୩୦ ତାରିଖରୁ ମାସିକ ୪ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଏହାବ୍ୟତୀତ ଦିନ ମଜୁରିଆ, ଠେଲାବିକାଳିଙ୍କୁ ପ୍ରତି ସପ୍ତାହରେ ୧ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟର ଘୋଷଣା କରିଛନ୍ତି।

ପଞ୍ଜାବ ସରକାର ନିର୍ମାଣ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗରିବ ଓ ବେସାହାରାଙ୍କୁ ମାଗଣାରେ ଖାଦ୍ୟ ଓ ପାଷାକ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶ ସରକାର ବି ପଛରେ ନାହାନ୍ତି। ସେଠାକାର ସରକାର ଶ୍ରମଜୀବୀ ଓ ଗରିବଙ୍କୁ ସାହାଯ୍ୟ ପ୍ରଦାନ ପାଇଁ ୫୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରାଜ୍ୟରେ ୧ ଲକ୍ଷ ୫ ହଜାର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ଏକକାଳୀନ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାସନ୍‌ କାର୍ଡ଼ଧାରୀଙ୍କୁ ଦୁଇ ମାସ ପାଇଁ ଅଟା ଓ ଚାଉଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ୧ ଲକ୍ଷ ୨୫ ହଜାର ବିଧବା ଓ ଦିବ୍ୟାଙ୍ଗଙ୍କ ସମେତ ୫ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ଏକକାଳୀନ ୩ ମାସର ଭତ୍ତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୫ ଲକ୍ଷ ୩୦ ହଜାର ଶ୍ରମଜୀବୀଙ୍କ ପାଇଁ ୩୫୩ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତାମିଲନାଡ଼ୁରେ ରାସନକାର୍ଡ଼ ଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ସହ ମାଗଣାରେ ଏପ୍ରିଲ ମାସରେ ଚାଉଳ, ଡାଲି, ଖାଇବା ତେଲ ଓ ଚିନି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଏହାସହିତ ନିର୍ମାଣ ଶ୍ରମିକ ଓ ଅଟୋରିକ୍‌ସା ଚାଳକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ମଧ୍ୟ ତାମିଲନାଡ଼ୁ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର