ଲକ୍‌ ଡାଉନ୍‌ ପରେ ଦୁର୍ଦ୍ଦିନରେ ରିକ୍ସା ଚାଳକଙ୍କ ପରିବାର

ରାଉରକେଲା : ମହାମାରୀ କରୋନାର ମୁକାବିଲା ପାଇଁ ଲଢ଼େଇ ଜାରି ରଖିଛି ସାରା ବିଶ୍ବ। ଲକ୍‌ ଡାଉନ୍‌ ହୋଇ ଯାଇଛି ସହର ଠୁ ଗାଁ। ଏଭଳି ସ୍ଥିତିରେ ବଢ଼ି ଯାଇଛି ଖଟିଖିଆ ମେ‌ହନତି ମଣିଷଙ୍କ ଚିନ୍ତା। ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ସ୍ମାର୍ଟ ସିଟିର ରିକ୍ସା ଚାଳକ। ‘‘ସକାଳୁ ଘରୁ ଉଠି ରିକ୍ସା ଧରି ବାହାରି ଆସେ ସହରର ପ୍ରମୁଖ ଛକକୁ। ଭୋକରେ ଜଳିଯାଉଥିବା ପରିବାର ମୁହଁରେ ଦାନା ଟିକକ ପାଇଁ ଶୂନ୍‌ଶାନ୍‌ ସହରରେ ଚାତକ ପକ୍ଷୀ କରି ଚାହିଁ ରହେ ଯାତ୍ରୀଙ୍କୁ। ଗୋଟିଏ ଦି’ଟା ଭଡା ମିଳିଗଲେ ପରିବାର ଓଳିଏ ତ ଚଳିଯିବ, ଏମିତି କିଛି ଭାବନା ନେଇ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସେମିତି ଭୋକ ଉପାସରେ ଛକରେ ରିକ୍ସା ଉପରେ ବସି ରହେ। ପରିବାର କଥା ଭାବି ଭାବି ଆଖିରୁ ଲୁହ ଗଡାଏ। ଦୋକାନ, ବଜାର ଖୋଲା ଥିଲେ ତ କାହାକୁ ହାତ ପତାଇ ମାଗିବି, ସେତକ ବି ନାହିଁ। ରାତି ୧୦ଟା ବାଜିଲେ ଜଳି ଯାଉଥିବା ଭୋକିଲା ପେଟରେ ପୁଣି ଘରକୁ ଫେରିଯାଏ। ପତ୍ନୀ ପିଲା ଛୁଆଙ୍କ ସହ ଭୋକ ଉପାସରେ ଶୋଇ ପଡେ।’’ କୋହଭରା କଣ୍ଠରେ ଏମିତି କହନ୍ତି ଉଦିତନଗର ଆମ୍ବେଦରକ ବସ୍ତିର ରିକ୍ସା ଚାଳକ ଲମ୍ବୋଧର ଦାସ।

କେବଳ ସେ ନୁହେଁ, ସ୍ମାର୍ଟ ସିଟି ରାଉରକେଲାର ଏମିତି ପ୍ରାୟ ୮୦ରୁ ଅଧିକ ରିକ୍ସା ଚାଳକ ଭୋକରେ ମରୁଛନ୍ତି। ଆଜିକୁ ମାତ୍ର ୪ ଦିନ ଯାଇଛି। ଆଗକୁ ଆହୁରି ଅନେକ ଦିନ ବାକି ଅଛି। ‘‘ଜିଲ୍ଲା ପ୍ରଶାସନ ଆମ କଥା ବୁଝିବ ନାହିଁ ତ, କିଏ ବୁଝିବ?’’ ବୋଲି ଲମ୍ବୋଧର କହିଛନ୍ତି। ପତ୍ନୀ ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର। ଆଜିକୁ ୨୦ ବର୍ଷ ଧରି ସହରରେ ରିକ୍ସା ଟାଣୁଛନ୍ତି। ଦିନକୁ ୨୦୦ରୁ ୨୫୦ ଟଙ୍କା ରୋଜଗାର କରୁଥିଲେ। ସେଥିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳିଯାଉଥିଲା। ଏବେ କରୋନା ତାଙ୍କର ପରିବାରକୁ ବେଶ୍‌ ଯନ୍ତ୍ରଣା ଦେଇଛି। ଯଦି ସରକାରଙ୍କ ପକ୍ଷରୁ ସହାୟତା ନମିଳେ ସେ ଓ ତାଙ୍କ ପରିବାର ଭୋକରେ ମରିଯିବେ ବୋଲି ସେ ଲୁହଭରା ଆଖିରେ କହନ୍ତି।

ସେମିତି ଆଉ ଜଣେ ହେଲେ ଝାଡ଼ଖଣ୍ଡ ମନୋହରପୁରର ଶୁକ୍ରା କୁଜୁର। ଗତ ୧୫ ବର୍ଷ ତଳେ ପେଟ ପୋଷିବାକୁ ଚାଲି ଆସିଥିଲେ ରାଉରକେଲା ସହରକୁ। ବେଶ୍‌ ଭଲ ଦି’ ପଇସା ରୋଜଗାର କରୁଥିଲେ। ଘରେ ଥିବା ପରିବାର ଚଳିବାକୁ ମାସକୁ ମାସ ଟଙ୍କା ପଠାଉଥିଲେ। କରୋନା ପାଇଁ ଓଡ଼ିଶା ସୀମା ସିଲ୍‌ ହୋଇଯାଇଥିବାରୁ ଘରକୁ ବି ଯାଇ ପାରୁ ନାହାନ୍ତି। ଭୋକ ଉପାସରେ ରିକ୍ସା ଉପରେ ବସୁ ବସି ଜୀବନ ଅତିବାହିତ କରୁଛନ୍ତି। ଉଦିତନଗର ବସ୍ତିରେ ରହୁଥିବା ଜଣେ ସମ୍ପର୍କୀୟ ଠାରୁ ମିଳୁଥିବା ଓଳିଏ ଖାଦ୍ୟ ଖାଇ ପେଟର ଭୋକ ମାରୁଛନ୍ତି। ରିକ୍କା ଉପରେ ରାତି କଟାଉଛନ୍ତି। କେବେ ବସ୍‌ କିମ୍ବା ଟ୍ରେନ୍‌ ଚାଲିବ ଘରକୁ ଫେରିଯିବେ, ଏମିତି କିଛି ଭାବି ଭାବି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। କାହିଁକି ସହର ବନ୍ଦ ‌ହେଲା ପଚାରିଲେ କିଛି ବି କହି ପାରୁ ନାହାନ୍ତି। ଆଉ ଜଣେ ହେଲେ ବାସନ୍ତୀ କଲୋନି ବସ୍ତିର ରାଜେଶ ନାଇଡୁ। ୧୨ ବର୍ଷ ଧରି ରିକ୍ସା ଟାଣୁଥିବା ରାଜେଶ ସମାନ ଦୁଃଖ ବଖାଣିଛନ୍ତି। କହନ୍ତି, ‘‘ଗତ ସପ୍ତାହ ତଳେ ୫ ରୋଜଗାର ଟଙ୍କାରେ ୫ କିଲୋ ଚାଉଳ କିଣିଥିଲି। ଆଜି ‌ସେତକ ସରି ଯାଇଛି। ଆସନ୍ତାକାଲି ଠାରୁ ପରିବାରର କେମିତି ଭୋକ ମେଣ୍ଟାଇବି ଚିନ୍ତାରେ ପଡିଯାଇଛି।’’

କେବଳ ଲମ୍ବୋଧର, ରାଜେଶ, ଶୁକ୍ରା ନୁହେଁ ସହରର ଉଦିତନଗର, ପାନପୋଷ, ନୂଆ ବସ୍‌ଷ୍ଟାଣ୍ଡ, ଷ୍ଟେସନ, ଟ୍ରାଫିକ୍‌ ଗେଟ୍‌, ବିଶ୍ରାଛକ, ସେକ୍ଟର-୨ ବସ୍‌ଷ୍ଟାଣ୍ଡ, ଇସ୍ପାତ ମାର୍କେଟ୍‌ ଛକ, ବେଦବ୍ୟାସ, ଫର୍ଟିଲାଇଜର, ବନ୍ଧମୁଣ୍ଡା ଆଦି ଛକରେ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ଚାଳକଙ୍କ ଦୁଃଖ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର