ଲୋକ ଅଦାଲତରେ ୪ ହଜାର ୮୧ଟି ମାମଲାର ଫୈସଲା

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୪ ହଜାର ୮୧ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୨୬ କୋଟି ୧ ଲକ୍ଷ ୫ ହଜାର ୭୧୯ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୌଜଦାରୀ, ଦେଓ୍ଵାନୀ, ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ୱ ମାମଲା, ଶ୍ରମିକ ସଂପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସଂକ୍ରାନ୍ତୀୟ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସଂପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ମୋଟର ଭେଇକିଲ ଆକ୍ଟ ସଂପର୍କିତ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫୈସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୩୩ ହଜାର ୩୮୫ଟି ମାମଲା ମଧ୍ୟରୁ ୧ ହଜାର ୬୦୯ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୩୨ ହଜାର ୩୦୮ଟି ବିଚାରାଧୀନ ମାମଲା ମଧ୍ୟରୁ ୨ ହଜାର ୪୭୨ଟି ମାମଲା ଆପୋଷ ବୁଝାମଣାରେ ଫୈସଲା କରାଯାଇଛି ବୋଲି ରାଜ୍ୟ ଆଇନସେବା ପ୍ରଧିକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୨୫ଟି ମାମଲାର ଫୈସଲା କରାଯାଇ ୨୯ ଲକ୍ଷ ୬୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଉପସଚିବ ଦୀପକ ରଂଜନ ସାହୁ, ସହକାରୀ ସଚିବ ନିହାର ରଂଜନ ଲେଙ୍କା ଓ ସଂସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର