ନିୟମ ତିଆରି ପାଇଁ ଚିଠି ଲେଖାଗଲା : ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ପାଇଁ ଅଣ୍ଟା ଭିଡିଲେ, ଜୁଲାଇ ୧୦ ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର

ଭୁବନେଶ୍ୱର : ପାଖାପାଖି ତିନି ବର୍ଷରୁ ଅଧିକ ସମୟ ଧରି ହାତ ବାନ୍ଧି ବସିବା ପରେ ରାଜ୍ୟ ସରକାର ଶେଷରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୧୪ ଡିସେମ୍ବରରୁ ଓଡ଼ିଶା ଲୋକାୟୁକ୍ତ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିସାରିଥିଲେ ହେଁ, ସେବେଠାରୁ କିନ୍ତୁ ଏ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଗତ ୨୩ ତାରିଖରେ ବିଧି ବିଭାଗ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋକାୟୁକ୍ତ ଆଇନ ଅଧୀନସ୍ଥ ନିୟମ ପ୍ରଣୟନ ପାଇଁ ଆଜି ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତ ଫାଇଲ ପଠାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କେବଳ ସେତିକ ନୁହେଁ, ଖୁବ୍‌ ଶୀଘ୍ର ନିୟମ ପ୍ରସ୍ତୁତ କରି ସରକାର ସର୍ଚ୍ଚ କମିଟି ଗଠନ ଲାଗି ପଦକ୍ଷେପ ନେଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଲୋକାୟୁକ୍ତ ନିଯୁକ୍ତି ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଖିଲେ। ଏଥିସହିତ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ମାଗିଥିବା ୬ମାସର ମହଲତକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। ବିିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର୍‌.ଭାନୁମତିଙ୍କୁ ଗଠିତ ଖଣ୍ଡପୀଠ ସିଧା ସିଧା ଜଣାଇଥିଲେ ଯେ ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରି ଜୁଲାଇ ୧୦ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦିଅନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ତନାଘନା ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ପୂର୍ବରୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ଏକ ସତ୍ୟପାଠ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ ହେବ। କୋର୍ଟଙ୍କ ଆକ୍ରୋଶରୁ ବଞ୍ଚିବା ଲାଗି କିଛି ଅଧିକାରୀ ଲୋକପାଳ ନିଯୁକ୍ତି ଉପରେ ଜୋର ଦେଉଥିବା ବେଳେ ଆଉ କିଛି ଅଧିକାରୀ ସର୍ଚ୍ଚ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରି ସେ ସଂପର୍କରେ କୋର୍ଟକୁ ଅବଗତ କରିବା ଲାଗି କହୁଛନ୍ତି। ଏହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ୨୦୧୩ ମସିହା ଜାନୁଆରି ୨୨ ତାରିଖରେ ଜଷ୍ଟିସ ପି.କେ ପାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଆଇନ, ୧୯୯୫କୁ ରାଜ୍ୟ ସରକାର ଜାଣିଶୁଣି ଅଚଳ କରିଦେଇଥିଲେ। ସରକାର ନୂଆ ଆଇନ କରିବେ ବୋଲି କହି ଆଉ କାହାକୁ ଲୋକପାଳ ନିଯୁକ୍ତି ଦେଇନଥିଲେ। ସେବେଠାରୁ ଅଫିସ ଖୋଲୁଛି, କର୍ମଚାରୀ ଦରମା ପାଉଛନ୍ତି, ଅଥଚ ଲୋକପାଳ ବ୍ୟବସ୍ଥାଟି ଅକାମୀ ହୋଇପଡିଛି।

ସମ୍ବନ୍ଧିତ ଖବର