ବିପଦରେ ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର : ଦବୁଛି ମନ୍ଦିର କୂଅ, ମନ୍ଦିର ସମେତ ଚାରିଆଡ଼େ ଫାଟ, ଭୁଶୁଡ଼ି ପଡ଼ିବା ଆଶଙ୍କା

ପୁରୀ : ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ପ୍ରତି ବିପଦ ଦେଖାଦେଇଛି। ମନ୍ଦିର ପରିସରସ୍ଥ କୂଅ ଭୟଙ୍କର ଭାବେ ଦବିବା ସହ ଆଖପାଖ ଅଞ୍ଚଳ ବି କ୍ରମେ ଦବିବା ଆରମ୍ଭ କଲାଣି। ଏହା ସହ ମନ୍ଦିର ଚତୁଃପାର୍ଶ୍ୱ କାନ୍ଥରେ ବି ବିରାଟ ବିରାଟ ଫାଟ ସୃଷ୍ଟି ହେଲାଣି। ପରିସ୍ଥିତି ଏପରି ହୋଇଛି ଯେ ଯଦି ତତ୍କାଳ ଏହାର ମରାମତି କରାନଯାଏ, କୌଣସି ମୁହୂର୍ତ୍ତରେ ବି ଏହା ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। ସରକାର ଏବେ ଶ୍ରୀମନ୍ଦିର ସହ ପୁରୀ ସହରର ନବକଳେବର ନକ୍ସା ଆଙ୍କିଛନ୍ତି। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଖିଛନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ରୀତିନୀତି, ପରମ୍ପରା ସହ ଓତପ୍ରୋତ ଭାବେ ଜଡ଼ିତ ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିର ପ୍ରତି ଚରମ ଅବହେଳା ଭକ୍ତ ମହଲକୁ ଆନ୍ଦୋଳିତ କରିଛି। କିଛି ଅଘଟଣ ଘଟିବା ଆଗରୁ ଏହାର ତୁରନ୍ତ ମରାମତି ପାଇଁ ଭକ୍ତ ମହଲରେ ଦାବି ଉଠିଛି।

ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ଶ୍ରୀମନ୍ଦିର ସମସାମୟିକ। ମହାଦେବଙ୍କ ଏହି ପ୍ରସିଦ୍ଧ ମନ୍ଦିର ଏକାଦଶ ଶତକର ବୋଲି କୁହାଯାଏ। ପ୍ରଭୁ ରାମଚନ୍ଦ୍ର ଏଠାରେ ଶିବଲିଙ୍ଗ ସ୍ଥାପନ କରିଥିବା ବି କୁହାଯାଏ। ଏଠାରେ ଶିବଲିଙ୍ଗ ସର୍ବଦା ପାଣି ଭିତରେ ବୁଡ଼ି ରହିଥାନ୍ତି। ପଞ୍ଚ ମହାଦେବଙ୍କ ମନ୍ଦିର ଭିତରେ ଲୋକନାଥ ମନ୍ଦିର ଅନ୍ୟତମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସୁରକ୍ଷା ବାବା ଲୋକନାଥ କରିଥାନ୍ତି ବୋଲି କୁହାଯାଏ। ପ୍ରଭୁ ଲୋକନାଥ ପ୍ରତ୍ୟକ୍ଷ ଠାକୁର ହୋଇଥିବାରୁ ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଜଳଲାଗି କରିଥାନ୍ତି। ଜାଗରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଅନିଦ୍ରା ହୋଇ ଏଠାରେ ଜାଗର ଜାଳିଥାନ୍ତି। ଲୋକନାଥଙ୍କ ମହିମା କାହିଁ କେଉଁ ଯୁଗରୁ ରହି ଆସିଛି। କିନ୍ତୁ ମନ୍ଦିର ପ୍ରତି ପ୍ରଶାସନିକ ଅବହେଳା ସାଧାରଣରେ ଅସନ୍ତୋଷ ଭରି ଦେଇଛି। ଯେଉଁଥିପାଇଁ ଆଜି ଲୋକନାଥଙ୍କ ଏହି ପ୍ରସିଦ୍ଧ ମନ୍ଦିର ବିପଦ ଭିତରକୁ ଠେଲି ହୋଇଯାଇଛି। ମନ୍ଦିର ଭଣ୍ଡାର ଘର ପାଖ କୂଅ ଅସ୍ୱାଭାବିକ ଭାବେ ଦବିବା ସହ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ଟାଣିବା ଆରମ୍ଭ କରିଛି। ଯଦି ଏହି କୂଅ ଦବି ମାଟି ତଳକୁ ଚାଲିଯାଏ, ତେବେ ପୂରା ମନ୍ଦିର ବି ଭାଙ୍ଗିପଡ଼ିବା ଆଶଙ୍କା ଦେଖାଦେଇଛି।

ଏ ସଂପର୍କରେ ଲୋକନାଥ ମନ୍ଦିର ନିଯୋଗ ସଂପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ଏହା ଆଜିର ଘଟଣା ନୁହେଁ, ୨୦୧୮ ମସିହାରୁ କ୍ରମାଗତ ଭାବେ ଭଣ୍ଡାର ଘର ପାଖ ଏହି କୂଅ ଦବିବା ଆରମ୍ଭ କଲାଣି। ଯେଉଁଥି ପାଇଁ ଆଖପାଖ ଅଞ୍ଚଳ ବି ଦବିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ଏହି କୂଅ ପାଖରେ ଭଣ୍ଡାର ଘର ଥିବାରୁ କୂଅ ସହ ଏହି ଭଣ୍ଡାର ଘର ଭୂଗର୍ଭସ୍ଥ ହେବା ଯଥେଷ୍ଟ ସମ୍ଭାବନା ରହିଛି। ମନ୍ଦିର ବି ଏହା ସହ ଟାଣି ହୋଇ ଭାଙ୍ଗିପଡ଼ିବା ଆଶଙ୍କା ଦେଖାଦେଇଛି।

ଏ ସଂପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲାଣି। କିନ୍ତୁ ଫଳଶୂନ। ଆଜି ପର୍ଯ୍ୟନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନି। ଫଳସ୍ୱରୂପ ଦିନକୁ ଦିନ ଏହି ପରିସ୍ଥିତି ସଂଗୀନ୍‌ ହେବାରେ ଲାଗିଛି। ସମାନ ଅବସ୍ଥା ସାଗର ପୋଖରୀ ଓ ଅନ୍ୟାନ୍ୟ ଅଞ୍ଚଳର। ଆଜି ପର୍ଯ୍ୟନ୍ତ ମନ୍ଦିରରେ ଜେନେରେଟର୍‌ଟିଏ ଲାଗି ପାରିଲାନି। ଯେଉଁଥିପାଇଁ ଅଧିକାଂଶ ସମୟ ମନ୍ଦିର ଅନ୍ଧାର ଭିତରେ ରହୁଛି। ଭକ୍ତ ଦାନରେ ଏକ ଇନଭର୍ଟର ଚାଲିଛି । ଏହା ଅଚଳ ହୋଇଗଲେ ପୂରା ମନ୍ଦିର ଅନ୍ଧାର ହୋଇଯାଉଛି। କାର୍ତ୍ତିକ ମାସରେ ୫ ଦିନ ଧରି ମନ୍ଦିର ଏଭଳି ଅନ୍ଧାର ଭିତରେ ରହିଥିଲା। ଆଜି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା ହୋଇପାରିଲାନି। ଜିଲ୍ଲା ପ୍ରଶାସନ କେବଳ ନିଜର ବେପାରରେ ଲାଗିଛି। ମନ୍ଦିର ପରିସରରେ ନିଜ କାର୍ଯ୍ୟାଳୟ ନିର୍ମାଣରେ ବ୍ୟସ୍ତ ରହିଛି। ମନ୍ଦିର ପ୍ରତି କିନ୍ତୁ କେହି ଦୃଷ୍ଟି ଦେଉନାହାନ୍ତି। ଯେଉଁଥି ପାଇଁ ଆଜି ମନ୍ଦିରର ଏଭଳି ସ୍ଥିତି ଦେଖାଦେଇଛି। ମନ୍ଦିର ମ୍ୟାନେଜର ଅପୋଚ୍ଛ ପରିଡ଼ା କହିଛନ୍ତି, ଲୋକନାଥ ମନ୍ଦିରର ମରାମତି ପାଇଁ ଆବଶ୍ୟକ ଅର୍ଥ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଦିଆସରିଛି। ମୋଟ ୯୫ ହଜାର ଟଙ୍କା ଏ ବାବଦକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଦିଆଯାଇଛି। ଦିନେ ଦୁଇଦିନ ଭିତରେ ସଂପୃକ୍ତ ବିଭାଗ ମରାମତି କାମ ଆରମ୍ଭ କରିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର