ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଲମ୍ବା ଧାଡ଼ି, ଉନ୍ନତୀକରଣ ପାଇଁ ଶ୍ମଶାନର ଅଧା ଜାଗାରେ ପଡ଼ିଲା ବାଡ଼

ଶବ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଆତ୍ମୀୟସ୍ବଜନ

ପୁରୀ: ଅନ୍ତ୍ୟେଷ୍ଟିକ୍ରିୟା ପାଇଁ କେନ୍ଦ୍ରାପଡ଼ାରୁ ଜନୈକ ବ୍ୟକ୍ତି ନିଜ ବାପାଙ୍କୁ ନେଇ ଆସିଥିଲେ ସ୍ବର୍ଗଦ୍ବାର। ପୂର୍ବାହ୍ଣ ୧୧ଟାରେ ଆସିଥିଲେ ବି ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଶବଦାହ ହୋଇଥିଲା। ସମାନ ଅବସ୍ଥା ଭୋଗିଛନ୍ତି ପୁରୀର ରାଜକିଶୋର। ପୂର୍ବାହ୍ଣରୁ ତାଙ୍କ ସଂପର୍କୀୟଙ୍କୁ ଆଣିଥିଲେ ବି ଅପରାହ୍ଣରେ ଶବଦାହ କରି ଫେରିଛନ୍ତି। ସେହିଭଳି, ମୟୂରଭଞ୍ଜ ଜିଲ୍ଲା ଟିଙ୍ଗିରିଆ ଆଦର୍ଶ ବିଦ୍ୟାଳୟରେ ପିଜିଟି ଶିକ୍ଷକ ଥିବା ସସ୍ମିତା କୁମାର ବେହେରାଙ୍କ ପରିବାର ଲୋକେ ଅପରାହ୍ଣ ୪ଟାରେ ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ ବି ରାତି ପ୍ରାୟ ୬ଟା ୪୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରାଜ୍ୟର କୋଣଅନୁକୋଣରୁ ଦୈନିକ ଶତାଧିକ ମୃତଦେହ ଏଠାକୁ ଦାହ ପାଇଁ ଆସୁଛନ୍ତି। କିନ୍ତୁ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟୀକରଣ ଯୋଜନାରେ ଜିଲ୍ଲା ପ୍ରଶାସନ ଶବଦାହର ବାଟ ଓଗାଳିଛି। ଉଚ୍ଛେଦ ନାଁରେ ସ୍ବର୍ଗଦ୍ବାରର ଅଧାରୁ ଅଧିକ ଜାଗାରେ ବାଡ଼ ପକାଇ ଶବଦାହରେ ଅନ୍ତରାୟ ସୃଷ୍ଟି କରିଛି। ଫଳସ୍ବରୂପ ଦୈନିକ ଶବଦାହ ପାଇଁ ଏଠାରେ ସମସ୍ୟା ଉପୁଜୁଛି। ଆତ୍ମୀୟ ସ୍ବଜନମାନେ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ମୃତଦେହକୁ ସ୍ବର୍ଗଦ୍ବାର ପ୍ରବେଶ ଦ୍ବାରରେ ରଖି ଲମ୍ବାଧାଡ଼ିରେ ଛିଡ଼ା ହେଉଛନ୍ତି।

୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳକୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ରାଜ୍ୟବାସୀଙ୍କ ପାଇଁ ସେ ଏହି ଉତ୍ସର୍ଗ କରିଥିଲେ। ଏହି କ୍ରମରେ ୧୯୯୯ ମସିହାରୁ ସ୍ଥାପିତ ବିଜୁ ସମାଧିସ୍ଥଳକୁ ସ୍ବର୍ଗଦ୍ବାରକୁ ହଟାଇ ଦିଆଯାଇଛି। ଅନ୍ୟପଟେ ସ୍ବର୍ଗଦ୍ବାରରେ ଥିବା କର୍ମଘର ସହ ଅନ୍ୟାନ୍ୟ ପୁରୁଣା ଘର, ପ୍ରାଚୀର ସବୁକୁ ଭାଙ୍ଗି ଦିଆଯାଇଛି। ବହୁ ପୁରୁଣା ଚିମିନିକୁ ବି ହଟାଇ ଦିଆଯାଇଛି। କିନ୍ତୁ ମଝିରେ ଏହା ଶବଦାହରେ ଅନ୍ତରାୟ ସୃ‌ଷ୍ଟି କରିବାରୁ ଅନେକ ବାଦବିବାଦ ଉଠିଥିଲା। ଯେଉଁଥି ପାଇଁ ଶବଦାହ ସଂଖ୍ୟା ୧୦ ତଳକୁ ଖସି ଆସିଥିଲା। ଶେଷରେ ଜିଲ୍ଲା ପ୍ରଶାସନ ସ୍ବର୍ଗଦ୍ବାର ମଝିରେ ଟିଣର ବାଡ଼ ପକାଇ ସ୍ବର୍ଗଦ୍ବାରକୁ ଅଲଗା କରି ଦେଇଥିଲା। ଟିଣବାଡ଼ର ଗୋଟିଏ ପାର୍ଶ୍ବରେ ଶବଦାହ ଓ ଅନ୍ୟପାର୍ଶ୍ବରେ ଉଚ୍ଛେଦ କାର୍ଯ୍ୟ ଚାଲିବ ବୋଲି କୁହାଗଲା।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କିଛିଦିନ ପରେ ଜିଲ୍ଲା ପ୍ରଶାସନ ଏହାର ଉଚ୍ଛେଦ କାମ ଆରମ୍ଭ କରି ଦେଇଥିଲା। ଶବଦାହରେ କୌଣସି ଅସୁବିଧା ହେବନି ବୋଲି ଆଶ୍ବାସନା ଦିଆଗଲା। କିନ୍ତୁ ଏହା ଭିତରେ ଉଚ୍ଛେଦ କାର୍ଯ୍ୟରେ ଶିଥିଳତା ପଡ଼ିଯାଇଛି। ଦେଢ଼ ମାସ ହେବ ଆଉ ସ୍ବର୍ଗଦ୍ବାର ଉଚ୍ଛେଦ କି ଉନ୍ନୟନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ମନଧ୍ୟାନ ଦେଉନି। ଅନ୍ୟପକ୍ଷରେ ସ୍ବର୍ଗଦ୍ବାରରେ ଦୁଇ ମାସ ହେଲାଣି ବାଡ଼ ପଡ଼ିଛି। ଯାହାର ସିଧାସଳଖ ପ୍ରଭାବ ମୃତକଙ୍କ ଆତ୍ମୀୟସ୍ବଜନ ଉପରେ ପଡ଼ିଛି। ଶବଦାହ ପାଇଁ ଦୂରଦୂରାନ୍ତରରୁ ଆସୁଥିବା ଲୋକେ ଶବଦାହରେ ଅହେତୁକ ବିଳମ୍ବର ସମ୍ମୁଖୀନ ହେଉଛନ୍ତି। ଲମ୍ବାଧାଡ଼ିରେ ଏଥିପାଇଁ ରହିବାକୁ ପଡ଼ୁଛି। ସେପଟେ ଉଚ୍ଛେଦ ପରେ ସମୁଦ୍ର ପଟୁ ସ୍ବର୍ଗଦ୍ବାରକୁ ପ୍ରବେଶ ଦ୍ବାର ବନ୍ଦ କରି ଦିଆଯାଇଥିବାରୁ ଆତ୍ମୀୟସ୍ବଜନମାନେ ସମୁଦ୍ରରେ ବୁଡ଼ ପକାଇ ଆସିବାବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାଇ ଦେବାକୁ ପୂର୍ବରୁ ଲାଗିଥିବା ଟିଣ ଆଜବେଷ୍ଟସ୍ ଫନି ପରଠୁ ଭାଙ୍ଗି ପଡ଼ିଥିବା ବେଳେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇନି। ଲୋକଙ୍କୁ ଡହଡହ ଖରାରେ ବାଲିରେ ଠିଆ ହେବାକୁ ପଡ଼ୁଛି। ସେପଟେ ପୂର୍ବରୁ ଥିବା ପ୍ରାଚୀର ଭାଙ୍ଗି ଦିଆଯାଇଥିବାରୁ ଶବଦାହ ବାହାରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହା ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି। ଏ ସଂପର୍କରେ ପୁରୀ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ଓବିସିସି ଉନ୍ନୟନ କାର୍ଯ୍ୟ ହାତକୁ ନେଇଛି। ଉନ୍ନୟନ କାର୍ଯ୍ୟ ବିଳମ୍ବ ସଂପର୍କରେ ସ୍ପଷ୍ଟ ମତ ରଖିନଥିଲେ ବି ଯଥାଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର