ମିଟର ଯାଞ୍ଚ ବାହାନାରେ ଡକାୟତି ଲୁଟି ନେଲେ ୫ ଲକ୍ଷ ଟଙ୍କା, ୧୦ ଭରି ସୁନା

ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ସମ୍ବଲପୁରରେ ପୁଣି ହୋଇଛି ଲୁଟ୍‌। ବିଦ୍ୟୁତ ମିଟର ଯାଂଚ ବାହାନାରେ ଘରକୁ ପଶି ମଦ ଡିପୋରେ କାମ କରୁଥିବା ରବି ନାରାୟଣ ସିହ୍ନାଙ୍କ ଭୀମ ଭୋଇ ନଗରସ୍ଥିତ ଘରକୁ ନଗଦ ୫ ଲକ୍ଷ ଟଙ୍କା, ୧୦ ଭରି ସୁନା ଗହଣା ସମେତ ୧୦ ଲକ୍ଷ ଟଙ୍କାରୁ ଅଧିକ ସଂପତ୍ତି ଲୁଟି ନେଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଶ୍ରୀ ସିହ୍ନାଙ୍କ ପତ୍ନୀ ଇନ୍ଦୁବାଳା ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ୧୨ଟା। ଭୀମ ଭୋଇ ନଗରସ୍ଥିତ ବାସଭବନରେ ଏକାକୀ ଥିଲେ ଇନ୍ଦୁବାଳା। ଦୁଇ ଜଣ ଲୁଟେରା କବାଟ ବାଡ଼େଇ ଥିଲେ। ସେମାନେ ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ମିଟର ଯାଂଚ କରିବେ ବୋଲି କହିବାରୁ ଇନ୍ଦୁବାଳା କବାଟ ଖୋଲିଥିଲେ। ଘର ଭିତର ଅନ୍ଧାର ଲାଗୁଥିବାରୁ ଲାଇଟ୍‌ ଦେବା ପାଇଁ କହିଥିଲେ। ସଂପୃକ୍ତ ଦୁଇ ଜଣ ଯୁବକ ମିଟର ଯାଂଚ କରୁୁଥିବା ବେଳେ ଅଚାନକ ଅନ୍ୟ ଜଣେ ଯୁବକ ସେଠାରେ ପହଂଚି ଇନ୍ଦୁବାଳାଙ୍କୁ କାବୁ କରି ନେଇଥିଲେ। ଏକ ଛୁରୀରେ ତାଙ୍କ ହାତକୁ ଆକ୍ରମଣ କରିଥିଲେ। ଘର ଭିତରକୁ ନେଇ ଏକ ଚୌକିରେ ତାଙ୍କୁ ବସାଇ ବାନ୍ଧି ଦେଇଥିଲେ। ଅନ୍ୟ ଦୁଇ ଜଣ ଯୁବକ ସେ ପିନ୍ଧିଥିବା ସୁନାହାର ଟାଣି ନେବା ସହ ଆଲମୀରାରେ ଥିବା ନଗଦ ୫ ଲକ୍ଷ ଟଙ୍କା, ୧୦ ଭରି ସୁନା ଗହଣା ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଇଥିଲେ। ସେମାନେ ପଳାଇବା ପରେ ଇନ୍ଦୁବାଳାଙ୍କ ଚିତ୍କାର ଶୁଣି ଘରପାଖ ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର