ବାଦାମବାଡ଼ିରୁ ବସ୍‌ ଚୋରି : ଖୋର୍ଦ୍ଧା ବାଘମାରି ରାସ୍ତାରୁ ମିଳିଲା

କଟକ : ପୁଣିଥରେ ବାଦାମବାଡ଼ିରୁ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚୋରି ହୋଇଛି। ପାଲାମଣ୍ତପ ବସ୍‌ଷ୍ଟାଣ୍ତରୁ ଏକ ଯାତ୍ରୀବାହୀ ବସ୍‌ ଡଲ୍‌ ଗତକାଲି ରାତିରେ ଦୁର୍ବୃତ୍ତ ଚୋରି କରିନେଇଯାଇଥିଲେ। ଆଜି ଖୋର୍ଧା ଜିଲ୍ଲା ବାଘମାରି ରାସ୍ତାରେ ବସ୍‌ଟି ୧୦ ଫୁଟ୍‌ ଖାଲରୁ ଉଦ୍ଧାର କରାଯାଇଛି।

ବାଦାମବାଡ଼ିର ପାଲାମଣ୍ତପ ବସ୍‌ ଷ୍ଟାଣ୍ତରେ ଗତକାଲି ରାତି ପ୍ରାୟ ୭ଟା ବେଳେ ଡଲ୍‌ ବସ୍‌(ଓଆର‌୍‌ ୦୪ ଡି ୫୪୦୪) ଭୁବନେଶ୍ବର ମାଷ୍ଟର‌୍‌ କ୍ୟାଣ୍ଟିନରୁ ଆସି ପହଞ୍ଚିଥିଲା। ରାତି ପ୍ରାୟ ୧୧ଟା ବେଳେ ବସ୍‌ ମାଲିକ ତେଲେଙ୍ଗାପେଣ୍ଠର ପ୍ରଭାତ କୁମାର ନାୟକ ଷ୍ଟାଣ୍ତରେ ଶେଷ ଥର ପାଇଁ ବସ୍‌କୁ ଦେଖିବାକୁ ପାଇଥିଲେ। ଆଜି ଭୋର ୫ଟା ୪୫ରେ ଡ୍ରାଇଭର‌୍‌ ଶଙ୍କର୍ଷଣ ସ୍ବାଇଁ ଷ୍ଟାଣ୍ତରେ ପହଞ୍ଚିଲା ବେଳକୁ ବସ୍‌ ଗାଏବ ହୋଇଯାଇଥିଲା। ଏ ସମ୍ପର୍କରେ ବସ୍‌ ମାଲିକ ଶ୍ରୀ ନାୟକ ଜାଣିବା ପରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅରୁଣୋଦୟ ମାର୍କେଟ୍‌ରେ ସିସି କ୍ୟାମେରା ଯାଞ୍ଚ କରିଥିଲା। ବସ୍‌ଟି ରାତି ପ୍ରାୟ ୧୨ଟା ୪୦ରେ ଅରୁଣୋଦୟ ମାର୍କେଟ୍‌ରେ ଅତିକ୍ରମ କରିଥିବା ଦେଖିବାକୁ ମିଳିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ବସ୍‌ଟି ଖୋର୍ଧା ଜିଲ୍ଲା ବାଘମାରି ରାସ୍ତାରେ ପାର୍ଶ୍ବ ଏକ ଖାଲରେ ପଡ଼ିଥିବା ଖବର ମିଳିଥିଲା। ପରେ ଜେସିବି ଓ କ୍ରେନ୍‌ ସହାୟତାରେ ବସ୍‌ଟିକୁ ଜବତ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସ୍‌ଟି ରାସ୍ତା ତଳକୁ ଖସିପଡ଼ିବା ପରେ ବସ୍‌ ଚଳାଇ ଆସିଥିବା ଜଣେ ୩୦ ବର୍ଷୀୟ ଯୁବକ ଗାଡ଼ିରୁ ଡେଇଁ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର