କାନାରା ବ୍ୟାଙ୍କରୁ ଲୁଟ୍‌: ବନ୍ଧୁକ ଦେଖାଇ ନେଇଗଲେ ୩.୯୨ଲକ୍ଷ

କେନ୍ଦୁଝର/ପଳାଶପଙ୍ଗା: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କ ଶାଖାରୁ ଲୁଟ୍‌। ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ବନ୍ଧୁକ ମୁନରେ ୩ ଲକ୍ଷ ୯୨ ହଜାର ୮୮୫ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି। କେନ୍ଦୁଝର ସଦର ବ୍ଲକ୍‌ ହାଣ୍ତିଭଙ୍ଗା ପଞ୍ଚାୟତ ରାଜୀବ ଗାନ୍ଧି ସେବାକେନ୍ଦ୍ରରେ କାନାରା ବ୍ୟାଙ୍କ ଶାଖା କାର୍ଯ୍ୟ କରୁଛି। ଆଜି ଅପରାହ୍‌ଣ ୩ଟା ବେଳେ ୩ଟି କଳା ପଲସର ବାଇକ୍‌ ବ୍ୟାଙ୍କ ସମ୍ମୁଖରେ ଅଟକି ଥିଲା। ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ମୁଖା ଓ ହେଲମେଟ ପିନ୍ଧିଥିଲେ। ସେମାନଙ୍କ ମଧୢରୁ ଦୁଇଜଣ ବ୍ୟାଙ୍କରେ ପଶିଥିଲେ। ଜଣେ ଫାଟକ ନିକଟରେ ମାରଣାସ୍ତ୍ର ଧରି ଠିଆ ହୋଇଥିଲେ। ଲୁଟେରାମାନେ ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ବାହାରକୁ ଚାଲିଯିବାକୁ ଧମକ ଦେଇ ଶାଖା‌ ପରିଚାଳକ ଗଜେନ୍ଦ୍ର କୁମାର ପାତ୍ର, କୋଷାଧ୍ୟକ୍ଷ ସୁନାରାମ ମାଝୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଷ୍ଟ୍ରଙ୍ଗରୁମ୍‌ ଚାବିକାଠି ମାଗିଥିଲେ। ଶାଖା ପରିଚାଳକ, କୋଷାଧ୍ୟକ୍ଷ ଓ ପିଅନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ଚାବିକାଠି ନେଇ ଷ୍ଟ୍ରଙ୍ଗ୍‌ରୁମ୍‌ରୁ ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଆମୁଣି ଛକ ଦେଇ ଷଣ୍ଢିଆପଶି ରାସ୍ତାରେ ଫେରାର ହୋଇଯାଇଥିବା ପ୍ରକାଶ।

ଏନେଇ ଶାଖା ପରିଚାଳକ ଗଜେନ୍ଦ୍ର ପାତ୍ର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ସଦର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପ୍ପୋଙ୍କୁ ପଚାରିବ‌ାରୁ, ଲୁଟ୍‌ ସଂପର୍କରେ ଖବର ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଲୁଟେରାମାନେ ଗିରଫ ହେବେ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲା ଏବେ ବ୍ୟାଙ୍କ ଲୁଟେରା ଭୂସ୍ବର୍ଗ ପାଲଟିଛି। ଫେବ୍ରୁଆରି ୧୦ ତାରିଖରେ ସଦର ବ୍ଲକ ପଳାଶପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ଏବେ ପୁଣି କାନାରା ବ୍ୟାଙ୍କରୁ ଲୁଟ୍‌ ପୁଲିସର ମୁଣ୍ଡବ୍ୟଥା ବଢ଼ାଇଛି।

ସମ୍ବନ୍ଧିତ ଖବର