ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଲେ

ଭୁବନେଶ୍ବର: ଦିନରେ ବି ଘରେ ପଶି ଲୁଟ୍‌। ମଙ୍ଗଳବାର ଦୁର୍ବୃତ୍ତମାନେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ସମେଇଗାଡ଼ିଆ ଅଞ୍ଚଳରେ ଘଟାଇଛନ୍ତି ଏଭଳି ଏକ ବଡ଼ ଧରଣର ଲୁଟପାଟ୍‌। ଜଣେ ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଇଛନ୍ତି। ଘରେ କେହି ନଥିବା ମଉକାରେ ଦୁର୍ବୃତ୍ତମାନେ ଘରେ ପଶି ଆଲ୍‌ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୫୦/୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇବା ପରେ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରି ଫେରିଛି। ସୂଚନାନୁସାରେ ମଞ୍ଚେଶ୍ବର ଥାନା ଚକେଇସିଆଣି ପାଖ ସମେଇଗାଡ଼ିଆ ମଞ୍ଚନାଥଦେବ ହାଇସ୍କୁଲ ନିକଟରେ ଦୁଇମହଲା ଘରେ ରହୁଛନ୍ତି ଡାକ୍ତର ଦୀନବନ୍ଧୁ ସାହୁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉପନିର୍ଦେଶକ ପଦବିରୁ ଅବସର ନେଇଥିବା ଡାକ୍ତର ଶ୍ରୀ ସାହୁ ଓ ତାଙ୍କ ସ୍ତ୍ରୀ ଡାକ୍ତର ରେଖା ଭଗତ ଆଜି ନିଜ ଘର ଖୋର୍ଧା ବୋଲଗଡ଼ ଯାଇଥିଲେ। ବାପାଙ୍କ ଶ୍ରାଦ୍ଧଦିବସ ପାଇଁ ସେମାନେ ଗାଁକୁ ଯାଇଥିଲେ। ରାତି ପ୍ରାୟ ୯ଟାବେଳେ ସେମାନେ ଫେରିବା ପରେ ମୁଖ୍ୟଫାଟକର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। କିନ୍ତୁ ଭିତର ପଟୁ ଗେଟ୍‌ ବନ୍ଦ ଥିଲା। ତେଣୁ ତାଙ୍କ କାର୍ ଡ୍ରାଇଭର୍‌ ପାଚେରି ଡେଇଁ ଭିତରକୁ ଯିବା ପରେ ଫାଟକ ଖୋଲିଥିଲେ। ପରେ ଜଣାପଡ଼ିଥିଲା ଯେ ଘରର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିଲା ଓ ସବୁ ଘର ମୁକୁଳା ପଡ଼ିଥିଲା। ଘର ଭିତରେ ଦୁଇ ଦୁଇଟି ଆଲ୍‌ମିରା ଭଙ୍ଗା ହୋଇ ତଳେ ସବୁ ଜିନିଷ ବିଛାଡ଼ି ହୋଇ ଫିଙ୍ଗା ଯାଇଥିଲା। ତୁରନ୍ତ ଡାକ୍ତର ଶ୍ରୀ ସାହୁ ମଞ୍ଚେଶ୍ବର ଥାନାକୁ ଜଣାଇଥିଲେ। ଚୋରି ହୋଇଥିବା ଜିନିଷପତ୍ରର ହିସାବ ହୋଇ ନଥିଲେ ମଧ୍ୟ ନଗଦ ୫୦ରୁ ୬୦ ହଜାର ଟଙ୍କା ଓ ପ୍ରାୟ ୨୦୦ ଗ୍ରାମ୍‌ରୁ ଅଧିକ ଓଜନର ସୁନାଗହଣା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ଡାକ୍ତର ସାହୁଙ୍କ ଉପରମହଲା ଓ ତଳ ମହଲାର କିଛି ଅଂଶର ମରାମତି କାମ ଚାଲିଛି। ଅଣଓଡ଼ିଆ ମିସ୍ତ୍ରିମାନେ ଟାଇଲ୍‌ କାମ କରିଛନ୍ତି ଓ ଏବେ ରଙ୍ଗ କାମ ଚାଲିଛି। ଆଜି ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଯିବାର ଥିଲା ବୋଲି କାମ ବନ୍ଦ ଥିଲା। ତେଣୁ ସେହି ଅଣଓଡ଼ିଆ ରାଜମିସ୍ତ୍ରିମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର