ଠାକୁରଙ୍କୁ ବି ଛାଡ଼ିଲେନି : ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟିନେଲେ!

ପୁରୁଣା ଭୁବନେଶ୍ୱର : ହୁଣ୍ଡି ଭିତ‌ରେ ଲାଗିଛି କାଗଜ ଠୋଲା। ରେଜା ପଇସା ପଡ଼ିଲେ ହୁଣ୍ଡି ଭିତରକୁ ଗଳି ଯାଉଛି। ନୋଟ୍‌ ପଡ଼ିଲେ ଠୋଲା ଭିତରେ ରହୁଛି। ମୁଗୁରାରେ ମାଛ ଧରିବା ଭଳି ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଏକ ବିଚିତ୍ର ଉପାୟରେ ଦୁର୍ବୃତ୍ତ ଛାଣି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଜି ମନ୍ଦିର ଜଗମୋହନରେ ଥିବା ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡି ଗଣତି ବେଳେ ଏଭଳି ତଥ୍ୟ ପଦାକୁ ଆସିଛି। ଏସଂପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଜାଗର ଯାତ୍ରା ପରେ ଆଜି ଖୋଲା ଯାଇଥିବା ଶ୍ରୀଲିଙ୍ଗରାଜଙ୍କ ଜଗ‌ମୋହନ ହୁଣ୍ଡିରୁ ମାତ୍ର ୩ ଲକ୍ଷ ୮୩ ହଜାର ୪ଶହ ୫୮ଟଙ୍କା ସଂଗୃହୀତ ହୋଇଛି। ଚଳିତ ମାର୍ଚ ମାସରେ ମହାଶିବରାତ୍ରି ପର୍ବ ଥିଲା। ଏଥିରେ ଅତି କମ୍‌‌ରେ ୧୦ ଲକ୍ଷ ଟଙ୍କା ଆଶା କରାଯାଉଥିଲା। କିନ୍ତୁ ଠୋଲା ଜରିଆରେ ଲୁଟି ନିଆଯିବାରୁ ଏହି ପରିମାଣ କମି ଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ହୋଇଥିବା ଗଣତି‌ରେ ଏହି ହୁଣ୍ଡିରୁ ୪ ଲକ୍ଷ ୧୪ ହଜାର ୯୯୫ ଟଙ୍କା ସଂଗୃହୀତ ହୋଇଥିଲା।

ସୂଚନା ଅନୁଯାୟୀ, ୮ଟି ଠୋଲା ଏଭଳି ବାହାରିଥିବା ବେଳେ ମହାଶିବରାତ୍ରି ପରେ ମଧ୍ୟ ହୁଣ୍ଡିରୁ ପ୍ରାପ୍ତ ଅର୍ଥ ପୂର୍ବବର୍ଷ ତୁଳନାରେ ଢେର୍‌ କମ୍‌ ହୋଇଛି। ଦୀର୍ଘ ଦିନ ଧରି ଏଭଳି ନିଆରା ଢଙ୍ଗରେ ହୁଣ୍ଡି ଲୁଟ୍‌ ଚାଲିଥିବା ବେଳେ କେମିତି କେହି କିଛି ଜାଣି ପାରିନାହାନ୍ତି, ସେନେଇ ତନାଘନା ଆରମ୍ଭ ହୋଇଛି। ମହାଶିବରାତ୍ରିରେ ସର୍ବାଧିକ ଟଙ୍କା ପଡ଼ୁଥିବାରୁ ଏହି ଶିବରାତ୍ରିର ଦାନ ଲୁଟିବା ପାଇଁ ଏହି ଯୋଜନା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ମନ୍ଦିର ଭିତରୁ ସିସିଟିଭି ସାମ୍ନାରୁ ଏଭଳି ବିଚିତ୍ର ଢଙ୍ଗରେ କିଏ ଚୋରି କଲା, ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଶିବରାତ୍ରି ଯୋଗୁଁ ମନ୍ଦିରରେ ଦୀର୍ଘ ଦିନ ହେବ ଗହଳଚହଳ ଲାଗିଥିଲା। ଏଭଳି ସ୍ଥିତିରେ ଦୁର୍ବୃତ୍ତ କିଭଳି ଏମିତି ସାହସ କରି ସଫଳ ହେଲା, ସେ ନେଇ ପ୍ରଶ୍ନ ଉଠିଛି। ତା’ ଛଡ଼ା ସେବାୟତମାନେ ମଧ୍ୟ କିଭଳି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୧ଟାରେ ମନ୍ଦିରର ଦୁଇଟି ହୁଣ୍ଡି ଖୋଲା ଯାଇଥିଲା। ମନ୍ଦିର ପ୍ରଶାସନ ଅଧିକାରୀ, ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ମା’ ପାର୍ବତୀ ମନ୍ଦିର ଜଗମୋହନ ନିକଟ ହୁଣ୍ଡି ସହ ଶ୍ରୀଲିଙ୍ଗରାଜଙ୍କ ଜଗମୋହନରେ ଥିବା ହୁଣ୍ଡି ଖୋଲା ଯାଇଥିଲା। ଶ୍ରୀଲିଙ୍ଗରାଜଙ୍କ ଜଗମୋହନ ହୁଣ୍ଡି ଖୋଲାଯିବା ବେଳେ ସେଥିରୁ ୮ଟି କାଗଜ ଠୋଲା ବାହାରିଥିଲା। ଠୋଲାଗୁଡ଼ିକ ହୁଣ୍ଡି ଭିତରେ ହାତ ପୂରାଇ ଅଠାରେ ଲଗାଇ ଦିଆଯାଇଥିଲା। ଭକ୍ତ ଦାନ ପକାଇ ଦେଉଥିବା ବେଳେ ଏଥିରେ ନୋଟ୍‌ ଲାଗି ଯାଉଥିଲା। ପରେ ଦୁର୍ବୃତ୍ତ ହାତ ପୂରାଇ ଏହି ଠୋଲାରୁ ନୋଟ୍‌ ବାହାର କରିନେଉଥିଲା। କଏନ୍‌ଗୁଡ଼ିକ ଓଜନ ଥିବାରୁ ତାହା ତଳକୁ ଖସି ଯାଉଥିଲା। ଏଭଳି ଉପାୟରେ କେବଳ ମହାଶିବରାତ୍ରିରେ ୫ଲକ୍ଷରୁ ଊର୍ଦ୍ଧ୍ବ ଲୁଟି ନିଆଯାଇଛି ବୋଲି ସ‌େନ୍ଦହ କରାଯାଉଛି। ଏଭଳି ସ୍ଥିତି ଦେଖି ମନ୍ଦିର ପ୍ରଶାସନର ଅକଲଗୁଡ଼ୁମ ହୋଇଯାଇଥିବା ବେଳେ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଥିଲା। କେହି ଯେଭଳି ନ ଜାଣନ୍ତି, ସେ ନେଇ ସମସ୍ତେ ତତ୍ପର ରହିବାକୁ କୁହାଯାଇଥିଲା। କିନ୍ତୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଥିଲା। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ସମୟରେ ଆସୁଥିବା ଭକ୍ତ ଓ ଅନ୍ୟମାନଙ୍କ ଚାଲିଚଳଣ ନଜର କରିଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି କହିବାକୁ ଚାହିଁ ନଥିବା ବେଳେ ମନ୍ଦିର ପ୍ରଶାସନ ମଧ୍ୟ ନିରବ ରହିଛି।

ଅପରପକ୍ଷେ ମା’ ପାର୍ବତୀଙ୍କ ହୁଣ୍ଡିରୁ ୩୨ ହଜାର ୯ଶହ ୫୦ଟଙ୍କା ସଂଗ୍ରହ ହୋଇଛି।

ସମ୍ବନ୍ଧିତ ଖବର