୧୦ ଦିନରେ ଶ୍ରୀମନ୍ଦିର ଭିତରୁ ୨ ଥର ଚୋରି : ଏଥର ସୁଆର ମହାସୁଆର ନିଯୋଗ କାର୍ଯ୍ୟାଳୟ
ଲକର୍ ଭାଙ୍ଗି ଲୁଟିଲା ବାଳକ, ସିସିଟିଭିରେ ଚୋରି ଦୃଶ୍ୟ ଦେଖି ସମସ୍ତେ କାବା
ପୁରୀ : କଡ଼ା ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିରରେ ପୁଣି ଚୋରି। ୧୦ ଦିନରେ ୨ ଥର ଲୁଟିଲେଣି ଦୁର୍ବୃତ୍ତ। ଏପ୍ରିଲ ୨ ତାରିଖରେ ରାମ ମନ୍ଦିର ଗ୍ରୀଲ୍ ତାଡ଼ି ହୁଣ୍ଡି ଲୁଟି ନେଇଥିଲେ। ଏଥର କୋଇଲି ବୈକୁଣ୍ଠରେ ଥିବା ସୁଆର ମହାସୁଆର ନିଯୋଗ ଅଫିସ ଲକର୍ ଭାଙ୍ଗି ଲୁଟିଛନ୍ତି। ମାସକ ଭିତରେ ଦୁଇ ଦୁଇ ଥର ଚୋରି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଶ୍ରୀମନ୍ଦିର ଚାରିପଟେ କଡ଼ା ପହରା। ଚାରି ଦ୍ବାରରେ ଜଗୁଛନ୍ତି ବନ୍ଧୁକଧାରୀ ପୁଲିସ। ସେମାନଙ୍କ ଭରସାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରଠାରୁ ଆରମ୍ଭ କରି ଖୋଦ୍ ମହାପ୍ରଭୁଙ୍କୁ ଛାଡ଼ି ଶୋଉଛନ୍ତି ସରକାର। ହେଲେ ଏହି ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ଯେ ସୁରକ୍ଷିତ ନୁହେଁ, ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ବୁଧବାର ବିଳମ୍ବିତ ରାତି ଶ୍ରୀମନ୍ଦିର ପରିସରସ୍ଥିତ ସୁଆର ମହାସୁଆର ନିଯୋଗ କାର୍ଯ୍ୟାଳୟ ଲୁଟ୍ ଘଟଣାରୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ରାତି ସାଢ଼େ ୧୧ଟା ବେଳକୁ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ଶୋଧ ପରେ ବନ୍ଦ ହୋଇ ଯାଇଥିଲା ମନ୍ଦିର। ସିସିଟିଭିରେ ଉତ୍ତୋଳିତ ଚିତ୍ରରୁ ଜଣାପଡ଼ିଛି ଯେ, ରାତି ପ୍ରାୟ ୧୧ଟା ୫୩ରେ ୩/୪ ଜଣ ସନ୍ଦିଗ୍ଧ ନିଯୋଗ କାର୍ଯ୍ୟାଳୟ ନିକଟରେ ଚଳପ୍ରଚଳ କରୁଥିଲେ। ପରେ ନିଯୋଗର ସିମେଣ୍ଟ ଜାଲି ଭାଙ୍ଗି ଭିତରକୁ ପଶିଲା ୧୨ରୁ ୧୪ ବର୍ଷର ଜଣେ ବାଳକ। ଦେହରେ ଆଦୌ ପୋଷାକ ନଥିଲା ବାଳକଟିର। ଭିତରେ ୪ଟି ସିସିଟିଭି କ୍ୟାମେରା ଲାଗିଥିବା ବେଳେ ବାଳକଟି ପ୍ରଥମେ ଲକର୍ ଉପରେ ଚଢ଼ି କ୍ୟାମେରାକୁ ମୋଡ଼ି ଭାଙ୍ଗି ଦେଲା ଏବଂ ଦୁଇଟି ଲକର୍ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଖାଲି ସେତିକି ନୁହେଁ, କାର୍ଯ୍ୟାଳୟରେ ଝାଡ଼ା ଫେରି ତାକୁ ଏକ ଭୋଗେଇ ଘୋଡ଼ାଇ ପୁଣି ସେହି ସିମେଣ୍ଟ ଜାଲି ଫାଙ୍କରେ ସେ ବାହାରି ଯାଉଥିବା ଦେଖିବାକୁ ମିଳିଛି। ଏସବୁ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି।
ଆଜି ସକାଳେ ଲୁଟ୍ ଖବର ପାଇ ଏସ୍ପି ଉମାଶଙ୍କର ଦାଶ, ସିଟି ଡିଏସ୍ପି ସୁଧାକର ସାହୁ, ସିଂହଦ୍ବାର ଥାନା ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ନିଯୋଗ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯିବା ପରେ ଫରେନ୍ସିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ ଚଳାଇଛି। କିନ୍ତୁ ଏପର୍ଯ୍ୟନ୍ତ ଚୋରି ସଂପର୍କରେ ବିନ୍ଦୁବିସର୍ଗ ସୂଚନା ପାଇନାହିଁ। କେବଳ ଏହି ଘଟଣା ନୁହେଁ, ଏପ୍ରିଲ ୨ ତାରିଖ ଦକ୍ଷିଣଦ୍ବାର ରାମ ମନ୍ଦିରର ପଛପଟ ଜାଲି କାଟି ହୁଣ୍ଡିରୁ ଟଙ୍କା ଲୁଟି ନେଇଥିଲେ। ସେହି ଘଟଣାର ବି ସୁରାକ୍ ପାଇନି ପୁଲିସ। କେବଳ ମାମଲାଟିଏ କରି ବସିଛି। ୧୦ ଦିନରେ ଶ୍ରୀମନ୍ଦିର ଭିତରୁ ଦୁଇ ଦୁଇଟି ଚୋରି ଘଟଣା ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଶ୍ରୀମନ୍ଦିରରେ ଦୁଇ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି। ପାରମ୍ପରିକ ସୁରକ୍ଷା ବ୍ୟବସ୍ଥା ହେଉଛି, ପହୁଡ଼ ପରେ ସମ୍ପୂର୍ଣ୍ଣ ଶୋଧ କରାଯିବ। ଶୋଧ ଅର୍ଥ, ସମସ୍ତଙ୍କୁ ମନ୍ଦିରରୁ ବାହାର କରି ତାଲା ବନ୍ଦ କରାଯିବ। ଏହା ପରେ ସରକାରୀ ପୁଲିସ ମନ୍ଦିରକୁ ଜଗିବେ। ଚାରିଦ୍ବାର ସମେତ ମେଘନାଦ ପାଚେରୀ ଉପରେ ମଧ୍ୟ ଧ୍ୟାନ ଦେବା ସରକାରୀ ପୁଲିସଙ୍କ କାର୍ଯ୍ୟ। ହେଲେ ସେମାନେ ତାହା କରିବାରେ ବିଫଳ ହୋଇଛନ୍ତି। ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଥିବାରୁ ବାରମ୍ବାର ଏପରି ଲୁଟ୍ ହେଉଛି। ଶ୍ରୀମନ୍ଦିର ସୁରକ୍ଷିତ ବୋଲି ସରକାର ବାରମ୍ବାର ଡିଣ୍ଡିମ ପିଟୁଛନ୍ତି। ହେଲେ ଶ୍ରୀମନ୍ଦିରରେ ପହୁଡ଼ ପଡ଼ିବା ପରେ ଲୁଟ୍ ହେବା ଘଟଣା ଚିନ୍ତାର ବିଷୟ। ବୁଧବାର ରାତିରେ ଯେଉଁଠୁ ଲୁଟ୍ ହୋଇଛି, ସେଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଠାକୁରଙ୍କ ରତ୍ନଭଣ୍ଡାର। ଏଭଳି ପରିସ୍ଥିତିରେ ରତ୍ନଭଣ୍ଡାର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।