ମହାନଦୀ ପୋଲରେ ଲୁଟେରାଙ୍କ ଆତଙ୍କରାଜ : ଚେନ୍‌ ଛିଣ୍ଡାଇ ନେବାବେଳେ ଚଢ଼ିଗଲା ଗାଡ଼ି, ବାପା ମୃତ, ପୁଅ ଗୁରୁତର

କଟକ : ବୁଲେଟ୍‌ରେ ବାପ-ପୁଅ ଘରକୁ ଫେରୁଥିଲେ। ମହାନଦୀ ପୋଲରେ ଚାରି ଜଣ ଦୁର୍ବୃତ୍ତ ବାପାଙ୍କ ସୁନା ଚେନ୍‌ ଝାମ୍ପିନେଲେ। ଏହି ସମୟରେ ଭାରସାମ୍ୟ ହରାଇ ବାଇକ୍‌ ଚଲାଉଥିବା ୪୪ ବର୍ଷିୟ ବାପା ସନ୍ତୋଷ କୁମାର ମହାନ୍ତି ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ପଛରୁ ଆସୁଥିବା ଏକ କାର‌୍‌ ତାଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ଅବସ୍ଥାରେ ସିଡିଏର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମହାନଦୀ ପୋଲ ଉପରେ ଦିନ ଦ୍ବିପ୍ରହରରେ ଚାରି ଜଣ ଲୁଟେରାଙ୍କ ଏଭଳି ଆତଙ୍କରାଜକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ବାଦାମବାଡ଼ି କମଲପୁର ଅଞ୍ଚଳର ସନ୍ତୋଷ କୁମାର ମହାନ୍ତି ତାଙ୍କ ୫ ବର୍ଷର ପୁଅ ସହିତ ଭଉଣୀଙ୍କ ଘରକୁ ଯାଇଥିଲେ। ଜଗତପୁରରୁ କଟକ ଆଡ଼କୁ ଦିନ ପ୍ରାୟ ୧୨ଟା ୩୦ ବେଳେ ବୁଲେଟ୍‌(ଓଆର‌୍‌ ୟୁ ୭୦୫୫)ରେ ପୁଅ ବିଶୋଇ ମହାନ୍ତିଙ୍କ ସହିତ କଟକ ଫେରୁଥିଲେ। ମହାନଦୀ ପୋଲ ଉପରେ ପଛପଟୁ ଦୁଇଟି ବାଇକ୍‌ରେ ଚାରି ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ପୋଲ ଉପରେ ତାଙ୍କ ସୁନା ଚେନ୍‌ ଛିଡ଼ାଇବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ। ସନ୍ତୋଷ ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିବାକୁ ଉଦ୍ୟମ କଲା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ସୁନା ଚେନ୍‌ ଛିଡ଼ାଇ ନେଇଥିଲେ। ସନ୍ତୋଷ ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ମାରୁତି ସୁଇଫ୍ଟ ଗାଡ଼ି (ଓଡି ୦୨ ଏବି ୩୭୮୯) ସନ୍ତୋଷଙ୍କ ଉପରେ ଚଢ଼ି ଯାଇଥିଲା। ଉଭୟ ବାପା ଓ ପୁଅଙ୍କୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବଡ଼ ମେଡିକାଲ୍‌ରେ ସନ୍ତୋଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅକୁ ଗୁରୁତର ଆହତ ଅବସ୍ଥାରେ ସିଡିଏସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଲୁଟ କରିଥିବା ଦୁର୍ବୃତ୍ତମାନେ କୌଶଳକ୍ରମେ ଫେରାର ହୋଇଯାଇଛନ୍ତି। ସନ୍ତୋଷଙ୍କର ପାଲାମଣ୍ତପ ନିକଟରେ ଏକ ଦୋକାନ ଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ଜଗତପୁର ଥାନା ପୁଲିସ ଏକ ମାମଲା(କେସ୍‌ ନ˚ ୧୪୭) ରୁଜୁ କରିଛି। ମୃତ ସନ୍ତୋଷଙ୍କ ସାନ ଭାଇ ଦିଲ୍ଲୀପ ଘଟଣା ସ˚କ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସାନ ଭାଇ ଦିଲ୍ଲୀପ ଅଭିଯୋଗ କରିଛନ୍ତି ଯେ, ଦୁର୍ବୃତ୍ତ ଚେନ୍‌ ଛିଡ଼ାଇଲା ବେଳେ ଭାଇ ତଳେ ପଡ଼ିଯିବାରୁ ଦୁର୍ଘଟଣା ଘଟିଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର