ଓଡ଼ିଶାରେ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ : ଭୁବନେଶ୍ବର, କଟକ ଓ ପଶ୍ଚିମ ଓଡ଼ିଶାରେ ଆଲର୍ଟ

କଟକ : ଓଡ଼ିଶାକୁ ପଶିଆସିଛନ୍ତି ଉତ୍ତରପ୍ରଦେଶର ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ। ଗ୍ୟାଙ୍ଗର ସଦସ୍ୟ ଭୁବନେଶ୍ବର, କଟକ ଏବ˚ ପଶ୍ଚିମ ଓଡ଼ିଶାରେ ପୁଲିସ ପରିଚୟରେ ଲୁଟି ନେଲେଣି ଲକ୍ଷାଧିକ ଟଙ୍କା। ହିନ୍ଦୀରେ କଥାବାର୍ତ୍ତା କରୁଥିବା ଗ୍ୟାଙ୍ଗ କଟକ ସିଡିଏରେ ୨୦୧୮ରୁ ୧୯ ମଧ୍ୟରେ ୫ଟି ଏବ˚ ଲାଲବାଗ୍‌ରେ ୧ଟି ଲୁଟ୍‌ କରିଛନ୍ତି। ସେହିପରି ଭୁବନେଶ୍ବରରେ ଗତବର୍ଷ ୧୦ଟି ଅପରାଧ ଘଟାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ମଧ୍ୟ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ଗ୍ୟାଙ୍ଗ ଏବେ ଓଡ଼ିଶା ଓ କମିସନରେଟ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗ୍ୟାଙ୍ଗକୁ କବ୍‌ଜା କରିବା ପାଇଁ ରାଜ୍ୟର ଜିଲ୍ଲା ଏସ୍‌ପି/ଡିସିପିମାନେ ମିଳିତ ଅପରେସନ୍‌ ଆରମ୍ଭ କରିଛନ୍ତି।

କଟକ କମିସନରେଟ୍‌ ପୁଲିସର ରେକର୍ଡ ଅନୁଯାୟୀ, ଗତ ୨୦୧୮ ଅକ୍ଟୋବର ୧ ତାରିଖ ସକାଳ ପ୍ରାୟ ୯ଟା ବେଳେ ହ˚ଗର ଲଙ୍ଗ ହୋଟେଲ୍‌ର ମାଲିକାଣି ସୋନୁ ପାରିଖ୍‌ଙ୍କ ଶାଶୂ ସିଡିଏ ରିଲାଏନ୍ସ ଫ୍ରେସ୍‌ ରାସ୍ତା ଦେଇ ଯାଉଥିଲେ। ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପୁଲିସର ପରିଚୟ ଦେଇଥିଲେ। ସୁନା ଅଳଙ୍କାର ପିନ୍ଧି ରାସ୍ତାରେ ନଯିବାକୁ ପରାମର୍ଶ ଦେବା ସହିତ ଲୁଟେରା ମାତିଥିବା କହିଥିଲେ। ପିନ୍ଧିଥିବା ଅଳଙ୍କାର ଖୋଲିଦେବାକୁ କହିବାରୁ ମହିଳା ଜଣକ ସୁନା ହାର ଓ ଦୁଇଟି ସୁନା ମୁଦି ଖୋଲିଥିଲେ। ନକଲି ପୁଲିସ ନିଜ ପାଖରେ ଥିବା ଏକ ସାଦା କାଗଜରେ ଅଳଙ୍କାର ଗୁଡ଼ାଇ ଦେବାକୁ ମାଗିଥିଲେ। ଦୁର୍ବୃତ୍ତମାନେ ଅଳଙ୍କାର ଗୁଡ଼ାଇବା ପରେ କୌଶଳକ୍ରମେ ଆଉ ଏକ ସାଦା କାଗଜ ପୁଡ଼ିଆ ମହିଳାଙ୍କ ହାତକୁ ବଢ଼ାଇ ଛୁ ମାରିଥିଲେ। ମହିଳା ଜଣକ କାଗଜପୁଡ଼ିଆ ଖୋଲିବା ପରେ ଭିତରେ ବାଲି ଥିବା ଜଣାପଡ଼ିଥିଲା। ସେହିପରି ୨୦୧୮ ନଭେମ୍ବରରେ ସିଡିଏ ସେକ୍ଟର ୧୦ରେ ଜଣେ ବ୍ୟକ୍ତିଙ୍କ ନିକଟରୁ ସୁନା ଚେନ୍‌ ଲୁଟି ନେଇଥିଲେ। ଏ ସ˚କ୍ରାନ୍ତରେ ସିଡିଏ ଫେଜ୍‌-୨ ଥାନାରେ ଅଭିଯୋଗ ହୋଇଥିଲା। ଡିସେମ୍ବର ୭ ତାରିଖରେ ମର୍କତନଗର ଅଞ୍ଚଳର ରବି ନାରାୟଣ ସାମଲ ପେଟାନାଳ ଗଡ଼ା ନିକଟସ୍ଥ ସାର୍ଥକ ପ୍ୟାଲେସ୍‌ ନିକଟରେ ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଦୁଇ ଦୁର୍ବୃତ୍ତ ପୁଲିସ ପରିଚୟ ଦେଇ ସୁନା ମୁଦି ନେଇଯାଇଥିଲେ। କମିସନରେଟ୍‌ ପୁଲିସର ଇନ୍‌ସ୍ପେକ୍ଟର ଅନିଲ କୁମାର ବେଉରାଙ୍କ ମାଇଁ ସ˚ଯୁକ୍ତା ଜେନା ସିିଡିଏ ସେକ୍ଟର ୬ର ପ୍ଲଟ ନମ୍ବର ୧୧୯୪/୧୪ସିରେ ରୁହନ୍ତି। ଗତ ଜାନୁଆରି ୧୦ ତାରିଖ ଦିନ ପ୍ରାୟ ୧୨ଟା ୧୫ ବେଳେ ନିଦାନ ଦୋକାନରୁ ଘରକୁ ଫେରୁଥିଲେ। ୬ ନମ୍ବର ପମ୍ପ ହାଉସ୍‌ ଲେନ୍‌ରେ ଯାଉଥିବା ବେଳେ ୩ ଜଣ ଯୁବକ ପହଞ୍ଚି ନିଜକୁ ପୁଲିସର ପରିଚୟ ଦେଇ ୨୪ ଗ୍ରାମର ସୁନା ଚେନ୍‌ ଏବ˚ ୧୦ ଗ୍ରାମର ଚୁଡ଼ି ପ୍ରାୟ ୬୦ ହଜାର ଟଙ୍କାର ଧରି ଚମ୍ପଟ୍‌ ମାରିଥିଲେ। ସେହିପରି ଗତ ଜାନୁଆରି ୧୫ ତାରିଖରେ ସେକ୍ଟର ୬ରେ ରହୁଥିବା ବୟସ୍କା ମହିଳା ରାଜଶ୍ରୀ ଚାଟାର୍ଜୀ ଦିନ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ନିଜକୁ ପୁଲିସର ପରିଚୟ ଦେଇଥିଲେ। ଏକ କାଗଜରେ ଗୋଡ଼ି ତାଙ୍କୁ ଧରାଇ ୨୦ ହଜାର ଟଙ୍କାର ଚୁଡ଼ି ନେଇ ଚମ୍ପଟ୍‌ ମାରିଥିଲେ। ଲାଲବାଗ ଥାନା ଅଞ୍ଚଳରେ ମଧ୍ୟ ଜାନୁଆରି ୧୭ ତାରିଖରେ ଏଭଳି ଘଟଣା ଘଟିଛି। ବିହାରୀବାଗର ଆଦିତ୍ୟ ମିଶ୍ରଙ୍କ ପତ୍ନୀଙ୍କ ଠାରୁ ୪ ଜଣ ଦୁର୍ବୃତ୍ତ ଏଭଳି ଢଙ୍ଗରେ ସୁନା ଚେନ ଓ ଚାରି ପଟ ସୁନା ଚୁଡି ଲୁଟି ନେଇଛନ୍ତି।

ତଦନ୍ତରୁ ଜଣାପଡ଼ିଛି କି, ଏହି ଗ୍ୟାଙ୍ଗର ସଦସ୍ୟ ଉତ୍ତରପ୍ରଦେଶରୁ ଆସିଛନ୍ତି। ମୁଖ୍ୟତଃ ଫାଙ୍କା ରାସ୍ତାରେ ଯାଉଥିବା ବୟସ୍କ ପୁରୁଷ ଓ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କ ବୟସ ୩୦ରୁ ୩୫ ବର୍ଷର। ଏକ କଳା ରଙ୍ଗର ପଲ୍‌ସର‌୍‌ରେ ଆସି ଏଭଳି କାଣ୍ତ କରୁଛନ୍ତି। ଗେଡ଼ା ଲୋକଟି କଳା ରଙ୍ଗର ସାର୍ଟ ପ୍ୟାଣ୍ଟ ପିନ୍ଧୁଥିବା ବେଳେ ଡେଙ୍ଗା ଲୋକଟି ଧଳା ରଙ୍ଗର ସାର୍ଟ ପ୍ୟାଣ୍ଟ ପିନ୍ଧୁଥିବା ଦେଖିବାକୁ ମିଳୁଛି। କଟକ କମିସନରେଟ୍‌ ପୁଲିସ ପକ୍ଷରୁ ସିଡିଏକୁ ଆସୁଥିବା ବାହାର ନମ୍ବରଯୁକ୍ତ ବାଇକ୍‌ ଯାଞ୍ଚ ଆରମ୍ଭ ହୋଇଛି। ହିନ୍ଦୀରେ କଥାବାର୍ତ୍ତା କରୁଥିବା ସନ୍ଦିଗ୍ଧ ଯୁବକଙ୍କୁ ପଚରାଉଚରା କରାଯିବା ସହିତ ପକେଟ୍‌ ବି ଯାଞ୍ଚ କରାଯାଉଛି।

ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ଏ ଗ୍ୟାଙ୍ଗରେ ଥିବା ଦୁର୍ବୃତ୍ତ ସିଡିଏରେ ଲୁଟ୍‌ କଲା ବେଳେ ଫଟୋ ସିସି କ୍ୟାମେରାରୁ ମିଳିଛି। ପୁଲିସ ପରିଚୟ ଦେଇ ଲୁଟୁଥିବା ଗ୍ୟାଙ୍ଗ ଭୁବନେଶ୍ବର ଏବ˚ ପଶ୍ଚିମ ଓଡ଼ିଶାରେ ମଧ୍ୟ ଏକାଧିକ ଅପରାଧ ଘଟାଇଥିବା ସୂଚନା ମିଳିଛି। ତଦନ୍ତ ଚାଲିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଧରିବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର