ବାହୁଡ଼ା ନେଇ ଇଚ୍ଛାକୃତ ଦ୍ବନ୍ଦ୍ବ ଫସର ଫାଟିଲା : ଏକାଦଶୀରେ ବାହୁଡ଼ା, ଦ୍ବାଦଶୀରେ ସୁନାବେଶ

୨୦୧୧ ନିଷ୍ପତ୍ତି ଦୋହରାଇବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ହରିଶୟନ ଏକାଦଶୀରେ ହେବ ବାହୁଡ଼ା। ଗରୁଡ଼ ଶୟନ ଦ୍ବାଦଶୀରେ ହେବ ଶ୍ରୀବିଗ୍ରହଙ୍କ ସୁନାବେଶ। ଏହା ଆଜି ଅନୌପଚାରିକ ଭାବେ ଶ୍ରୀମନ୍ଦିର ପ୍ରଶାସନସ୍ତରରେ ସମ୍ମତି ଦିଆଯାଇଛି। ୨୦୧୧ରେ ତିଥିରେ ଏପରି ବ୍ୟତିକ୍ରମ ବେଳେ ଶ୍ରୀମନ୍ଦିର ପ୍ରଶାସନ ‌ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ଏ ବର୍ଷ ଦୋହରାଇବ ବୋଲି ସ୍ପଷ୍ଟ ହୋଇଛି। ଫଳରେ କେତେକ ସ୍ତରରେ କରାଯାଉଥିବା ଇଚ୍ଛାକୃତ ଦ୍ବନ୍ଦ୍ବ ଫସର ଫାଟିଛି।

ହରିଶୟନ ଏକାଦଶୀ ଦିନ ଠାକୁରଙ୍କ ନବଦିନାତ୍ମକ ବାହୁଡ଼ା ଯାତ୍ରା ହେବ। ତିଥିରେ ବ୍ୟତିକ୍ରମ ହେଲେ ମଧ୍ୟ ମହାପ୍ରଭୁଙ୍କ ରୀତିନୀତି ଦିନ ଗଣନାରେ ହେଉଥିବାରୁ ଏକାଦଶୀରେ ବାହୁଡ଼ିବେ ଠାକୁର। ଏହାର ପରଦିନ ଅର୍ଥାତ୍‌ ଦ୍ବାଦଶୀରେ ସୁନାବେଶ‌ ହେବ। ତିଥିରେ ବ୍ୟତିକ୍ରମ ହୋଇଥିଲେ ବି ଠାକୁରଙ୍କ ଯାତ୍ରାର ଦିନବାର ସମ୍ପର୍କରେ ଖଡ଼ିରତ୍ନ ପଞ୍ଜିକା ଉଲ୍ଲେଖ କରିଛି। ସେହି ପଞ୍ଜିକାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁକ୍ତିମଣ୍ଡପ, ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ଅନୁମୋଦନ କରି ସାରିଛନ୍ତି।

ଏହା ପରେ ବାହୁଡ଼ାରେ ସୁନାବେଶ ନେଇ ମନୁଷ୍ୟକୃତ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଯାହାକି ବିଭିନ୍ନ ମହଲରେ ବିଭ୍ରାନ୍ତି ସୃଷ୍ଟି କରିଥିଲା। ଏ ନେଇ ‘ସମ୍ବାଦ’ ପକ୍ଷରୁ ତିଥିରେ ବ୍ୟତିକ୍ରମ, ଏକାଦଶୀରେ ବାହୁଡ଼ା ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନିକ ସ୍ତରରେ ହୋଇଥିଲା ଆଲୋଚନା। ‘ସମ୍ବାଦ’ରେ ତଥ୍ୟଭିତ୍ତିକ ସୂଚନା ପ୍ରକାଶ ପାଇଥିବାରୁ ଏହା ପ୍ରଶାସନିକ ସ୍ତରରେ ଅକାଟ୍ୟ ରହିଥିଲା। କେତେକ ଅଧିକାରୀ ପୂର୍ବଦିନ ବାହୁଡ଼ା କରିବାକୁ ମତ ପୋଷଣ କରିଥିଲେ। ମାତ୍ର ତା’କୁ ଅନେକ ଅଗ୍ରାହ୍ୟ କରିଥିଲେ। ମହାପ୍ରଭୁଙ୍କ ଯାତ୍ରା ଦିନ ଗଣନା ଅନୁଯାୟୀ ହୋଇଥାଏ। ସେଥିପାଇଁ ଏକାଦଶୀରେ ହିଁ ବାହୁଡ଼ା ହେବ। ଏହା ବ୍ୟତୀତ ସୁନାବେଶ ଶାସ୍ତ୍ରାନୁମୋଦିତ ନୁହେଁ। ପୂର୍ବରୁ ଅନେକ ଥର ଦ୍ବାଦଶୀରେ ସୁନାବେଶ କରାଯାଇଥିବା ରେକର୍ଡ ରହିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ରେକର୍ଡ ଘଣ୍ଟାଚକଟା ହୋଇଥିଲା। ଫଳରେ ୨୦୧୧ରେ ଏପରି ତିଥିରେ ବ୍ୟତିକ୍ରମ ହୋଇଥିବା ଜଣାପଡ଼ିଥିଲା। ସେହି ବର୍ଷ ଜୁଲାଇ ୩ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ୧୧ ତାରିଖ ଏକାଦଶୀ ଦିନ ହୋଇଥିଲା ବାହୁଡ଼ା ଯାତ୍ରା। ୧୨ ତାରିଖ ରଥ ଉପରେ ସୁନାବେଶ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମୋଦିତ ନୀତି ନିର୍ଘଣ୍ଟ ନିୟମାବଳୀରୁ ଏହା ସ୍ପଷ୍ଟ‌ ହୋଇଥିଲା।

ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର ଓଏସଡି ତଥା ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବୈକୁଣ୍ଠନାଥ ନାୟକ ପ୍ରମୁଖ ପ୍ରଶାସନିକ ନିର୍ଘଣ୍ଟକୁ ନେଇ ଏବର୍ଷ ଏକାଦଶୀରେ ବାହୁଡ଼ା ଓ ଦ୍ବାଦଶୀରେ ସୁନାବେଶ କରିବାକୁ ଏକପ୍ରକାର ମତବ୍ୟକ୍ତ କରିଥିଲେ। ଆସନ୍ତା ନୀତି ବୈଠକରେ ଏହା ଉପରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର