ମହାପ୍ରଭୁଙ୍କ ନବଯୌବନ, ବର୍ଷା ସତ୍ତ୍ବେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ସ୍ନାନଯାତ୍ରାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ନାନାଦି ଗୁପ୍ତସେବା ଓ ଔଷଧୀୟ ଉପଚାର ପରେ ଆଜି ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ୧୫ ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ଆଜି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବର୍ଷା ସତ୍ତ୍ବେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ବିମୋହିତ ହୋଇଛନ୍ତି। ଏତେ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଅନେକ ଭକ୍ତ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସକାଳେ ଲଗାଣ ବର୍ଷା, ମଧ୍ୟାହ୍ନରେ ମେଘୁଆ ପାଗ। ଏହାରି ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିଥିଲେ।

ଅନ୍ୟପକ୍ଷରେ ନୀତି ବିଳମ୍ୱ ନେଇ ପ୍ରତିବର୍ଷ ଅପବାଦର ବୋଝ ମୁଣ୍ଡାଉଥିବା ଶ୍ରୀମନ୍ଦିର ପ୍ରଶାସନ ଆଜି ସମସ୍ତ ନୀତି ସଅଳ ଶେଷ କରିଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସକାଳୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଥିଲା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯାଇଥିଲା। ଜୁଣ ବାହାରି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ଆଜି ବନକଲାଗି ନୀତି ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଥିଲେ।

ନବଯୌବନ ଦର୍ଶନ ପାଇଁ ପୂର୍ବ ନିର୍ଧାରିତ ନୀତି ଅନୁସାରେ ସୁଦର୍ଶନ ବୁଣାଟ ନୀତି ସଂପନ୍ନ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଚକା ଅପସର ନୀତି, ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ଅପରାହ୍ଣ ଗୋଟାଏ ୧୫ରେ ଅବକାଶ ନୀତି ପରେ ସାଢ଼େ ଗୋଟାଏରେ ଦଶ ଅବତାରଙ୍କ ବାହୁଡ଼ା ବିଜେ ନୀତି ସଂପନ୍ନ ହୋଇଥିଲା। ଅପରାହ୍ଣ ୨ଟା ୨୫ ସୁଦ୍ଧା ଅବକାଶ ଓ ଦଶବତାର ନୀତି ଶେଷ ପରେ ଅପରାହ୍ଣ ୨ଟା ୪୦ରେ ଅଣସର ତାଟି ଫିଟାଯାଇ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ଭିତର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରଥମେ ପରିମାଣିକ ଟିକେଟ୍ କରିଥିବା ଭକ୍ତମାନେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ। ଅପରାହ୍ଣ ୨ଟା ୪୫ରେ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ଅପରାହ୍ଣ ୩ଟା ୪୫ରେ ପରିମାଣିକ ଦର୍ଶନ ବନ୍ଦ ହେବା ପରେ ଭିତରକାଠରୁ ସର୍ବସାଧାରଣ ଦର୍ଶନ ତଥା ସାହାଣମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ଆରମ୍ଭ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ଭକ୍ତଙ୍କ ଉତ୍ସାହ ଓ ଆବେଗକୁ ଦୃଷ୍ଟିରେ ରଖି ଭିତରକାଠ ଦର୍ଶନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସାଧାରଣ ଭକ୍ତଙ୍କୁ ୧୫ ମିନିଟ୍ ଅଧିକ ଦର୍ଶନର ସୁଯୋଗ ଦିଆଯାଇଥିଲା। ଅପରାହ୍ଣ ୫ଟା‌ ପରେ ଭିତରକାଠ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ପରେ ଭକ୍ତମାନେ ଜଗମୋହନରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଭିତର କାଠ ଦର୍ଶନ ବନ୍ଦ ପରେ ଧୁଆଧୋଇ ହୋଇ ଦଇତାପତି ସର୍ବାଙ୍ଗ, ବନ୍ଦାପନା, ନେତ୍ରୋତ୍ସବ ବନ୍ଦାବନା ନୀତି ସଂପନ୍ନ ହୋଇଥିଲା। ପରେ ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ଭୋଗମଣ୍ଡପ ଉଠିବା ପରେ ମଇଲମ, ବେଶ, ମଧ୍ୟାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ମଇଲମ ଓ ବେଶ ଅନୁଷ୍ଠିତ ହୋଇଥିଲା। ରାତି ୨ଟାରୁ ସାଢ଼େ ୩ଟା ଭିତରେ ସଂଧ୍ୟା ଆଳତି ଓ ସଂଧ୍ୟା ଧୂପ ଶେଷ ପରେ ଦତ୍ତ ବନକଲାଗିକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର