ରତ୍ନ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତିି

ପୁରୀ : ପବିତ୍ର ନୀଳାଦ୍ରି ବିଜେ ଅବସରରେ ରତ୍ନ ସିଂହାସନକୁ ଆଜି ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତାକାଲିଠାରୁ ନୀଳକନ୍ଦରରେ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତଜନଙ୍କୁ ଦର୍ଶନ ଦେବେ। ଖାଁ ଖାଁ ଲାଗୁଥିବା ଶ୍ରୀମନ୍ଦିର ପୁଣି ଗହଳଚହଳ ହେବ। ଆସନ୍ତାକାଲି ଶ୍ରୀମନ୍ଦିରରେ ନୀଳାଚଳ ଅବଢା ବାହାରିବ। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଆଜି ରସଗୋଲା ଖୁଆଇ ଶ୍ରୀଜଗନ୍ନାଥ ତାଙ୍କର ମାନଭଂଜନ କରିଛନ୍ତି। ଆଜି ନିର୍ଘଣ୍ଟ ନୀତିର ଦେଢ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲ। ବିଜେ କାହାଳୀ, ଘଣ୍ଟ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାରଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପରିସର ଗୁଞ୍ଜରିତ ହୋଇ ଉଠିଥିଲା। ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିଥିଲେ। ଆଜି ୬ଟା୩୦ରେ ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଦେଢ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା୧୦ରେ ପୁଷ୍ପାଞ୍ଜଳି ସରିବା ପରେ ଅପରାହ୍ନ ୫ଟା୧୦ରେ ମଦନ ମୋହନ ବିଜେ କରିଥିଲେ। ଅପରାହ୍ନ ୫ଟା୩୮ରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ୬ଟା୫ରେ ଆରମ୍ଭ ହୋଇଥିଲା। ୭ଟା୫୦ରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ୮ଟା ୩୫ରେ ଆରମ୍ଭ ହୋଇଥିଲା। ସବୁ ନୀତି ସଅଳ ଶେଷ ହୋଇଥିଲା।

ନୀଳାଦ୍ରି ବିଜେ ଉପଲକ୍ଷେ ଆଜି ମହାପ୍ରଭୁଙ୍କ ସକାଳ ଧୂପ ୯ଟା୨୦ ସୁଦ୍ଧା ଶେଷ ହୋଇଥିଲା। ମଧ୍ୟାହ୍ନ ଧୂପ ୧୨ଟା୫୦, ସନ୍ଧ୍ୟା ଆଳତି ମଧ୍ୟାହ୍ନ ଗୋଟାଏ ଓ ସନ୍ଧ୍ୟାଧୂପ ଗୋଟାଏ ୫୫ରେ ଶେଷ ହୋଇଥିଲା। ଚାରମାଳ ପହଣ୍ଡି ବେଳେ ଶ୍ରୀବିଗ୍ରହଙ୍କୁ ଟାହିଆ ଲାଗି ହୋଇଥିଲା। ଗୋଟି ପହଣ୍ଡିରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ପରମ୍ପରା ମୁତାବକ, ଘୋଷଯାତ୍ରାରେ ଯାଇଥିବାରୁ ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ। ଏହି କାରଣରୁ ମହାପ୍ରଭୁ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କଠାରୁ ବିରୋଧର ସମ୍ମୁଖୀନ ହୋଇଥିଲେ। ପହଣ୍ଡି ଆରମ୍ଭରେ ମା ଲକ୍ଷ୍ମୀ ଚାହାଣୀ ମଣ୍ଡପରେ ଥାଇ ଶ୍ରୀଜଗନ୍ନାଥ ମହାପ୍ରଭୁ ଫେରୁଥିବା ଜାଣି ପାରିଥିଲେ। ଏହି ସମୟରେ ଶ୍ରୀଜଗନ୍ନାଥ ଚାରମାଳ ଉପରେ ଥିଲେ। ଉଭୟଙ୍କୁ ଏକକାଳୀନ ବନ୍ଦାପନା ହୋଇଥିଲା। ଗୋଟିଏ ସମୟରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ବେଳେ ମହାପ୍ରଭୁ ଲକ୍ଷ୍ମୀ ଠାକୁରଣୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ମା’ଙ୍କ ସହଚରୀମାନେ ସିଂହଦ୍ଵାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଅବସରରେ କିଛି ସମୟ ପାଇଁ ସିଂହଦ୍ଵାର ବନ୍ଦ ରହିଥିଲା। ପରେ ମହାପ୍ରଭୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ଵାର ନିକଟରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବଡ ଦେଉଳର ଜୟବିଜୟ ଦ୍ଵାରକୁ ଠାକୁରାଣୀଙ୍କ ସହଚରୀମାନେ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା ଠାକୁରାଣୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ହୋଇଥିଲା। ପରେ ଜୟବିଜୟ ଦ୍ଵାର ଖୋଲିଥିଲା। ନୀଳାଦ୍ରି ବିଜେ ଅବସରରେ ଆଜି ରସଗୋଲା ଭୋଗ ଲାଗି ହୋଇଛି। ଜୟବିଜୟ ଦ୍ଵାର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିଥିଲେ। ଆଜି ହଜାର ହଜାର ଭକ୍ତ ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ରଥ ଉପରେ ରସଗୋଲା ଭୋଗ ଲାଗି କରିଥିଲେ।

ସମ୍ବନ୍ଧିତ ଖବର