କାର୍ତ୍ତିକ ତ୍ରୟୋଦଶୀ: ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ମହାପ୍ରଭୁ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ଓ ଦ୍ବିତୀୟ ‌ଦିନରେ ବାଙ୍କଚୂଡ଼ା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଆଡ଼ିକିଆ ତଥା ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ବାମନ ଅବତାରର ସର୍ବମୟ ସ୍ବରୂପ ଅନୁଯାୟୀ ଏହି ବେଶ କରାଯାଇଥାଏ। ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ୍ ାଦଖିବାକୁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଥିଲା। ପଞ୍ଚୁକ ପାଇଁ ଆଜି ପ୍ରଶାସନ ପକ୍ଷରୁ ନିୟମିତ ଭାବେ ପାଳିତ ହେଉତିବା ‘ପୁରୁଷୋତ୍ତମ ବପନ୍ଦନା’ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ତେବେ ରବିବାର ଯୋଗୁଁ ଆଜି ସକାଳୁ ଶ୍ରୀମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି।

ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଆରମ୍ଭ ହୋଇଥିଲା। ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ସିଂହାରୀ ସେବକମାନେ ଏହି ବେଶ କରିଥିଲେ। ମସ୍ତକରେ ସୁନା କିରୀଟ ସହ ସୋଲ, କନା, ବେତ, କଇଁଥ ଆଦି ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥିଲା। ଅବକାଶଠାରୁ ଭୋଗମଣ୍ଡପ ପର୍ଯ୍ୟନ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଥିବାରୁ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ଶ୍ରୀମନ୍ଦିରରେ ଶରତ ରାହାସ କରାଯାଇଥିଲା। ଏ ନେଇ ସଂଧ୍ୟା ଧୂପ ପରେ ମଦନମୋହନ ଆଜ୍ଞାମାଳ ପାଇ ଜଗମୋହନ ଖଟରେ ବିଜେ ହୋଇଥିଲେ। ସେଠାରେ ଭୋଗ ବନ୍ଦାପନା ପରେ ବାହୁଡ଼ା ବିଜେ ହୋଇଥିଲା। ଆସନ୍ତାକାଲି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚୁକର ଶେଷ ଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ପଞ୍ଚୁକରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ବ୍ୟାରିକେଡରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯାଉଛି। ତଥାପି ସାତପାହାଚ, ନାଟମଣ୍ଡପ ଓ ଭିତରକାଠରେ ଦର୍ଶନ ଶୃଙ୍ଖଳିତ ହେଉନଥିବାରୁ ପ୍ରବଳ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି। ସାତପାହାଚ, ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇନଥିବାରୁ ଭକ୍ତମାନେ ଠେଲାପେଲା ହୋଇ ଶ୍ରୀମନ୍ଦିରକୁ ଯାଇଥିଲେ।

ସମ୍ବନ୍ଧିତ ଖବର