ପୁରୀ: ସ୍ନାନବେଦୀରେ ଚତୁୁର୍ଦ୍ଧାମୂର୍ତ୍ତି

 

ପୁରୀ,: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ରତ୍ନ ବେଦି ଛାଡ଼ି ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ମଳଦେବ, କାମ୍ପିଲ୍ୟବାସିନୀ ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ସ୍ନାନ ବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି।ଏଥିପାଇର୍ ଆଜି ସକାଳୁ ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସମାପନାନ୍ତେ ଶ୍ରୀଜୀଉମାନଙ୍କ ଧାଡ଼ି ପହଣ୍ଡିରେ ସ୍ନାନବେଦୀର ବିଜେ କରାଯାଇଛି। ଝିିପିଝିପି ବର୍ଷାରେ ଭିଜି ହଜାର ହଜାର ଭକ୍ତ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଭିଡ଼ ଜମାଇଛନ୍ତି। ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପରିସରସ୍ଥିତ ସୁନା କୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଗତକାଲି ଏହାର ଶୋଧ କାର୍ଯ୍ୟ କରାଯାଇ ଜଳ ପ୍ରସ୍ତୁତ କରି ରଖାଯାଇଛି।
ଆଜି ଭୋର ୫ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ପରେ ସକାଳ ସାଢ଼େ ୫ରୁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ସ୍ନାନବେଦୀରେ ଶ୍ରୀଜୀମାନେ ଅବସ୍ଥାପିତ ହେବା ପରେ ସେଠାରେ ମଙ୍ଗଳ ଆଳତି, ମଇଲମ ଆଦି ନୀତି ଶେଷ ହୋଇଛି।
ଦେବସ୍ନାନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ଆଗରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି। ୪୨ ପ୍ଲାଟୁନ୍‌ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭକ୍ତମାନେ ଦର୍ଶନ ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ଵାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି।

 

ସମ୍ବନ୍ଧିତ ଖବର