ଆଜି ମହାପ୍ରଭୁଙ୍କ ସେନାପଟା ଲାଗି

ପୁରୀ : ଆସନ୍ତା ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିବେ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଏ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କୁ ସେନାପଟା ଲାଗି କରାଯିବ। ବଉଳ କାଠରେ ପ୍ରସ୍ତୁତ ସେନାପଟା ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି ପରଦିନ ସ୍ନାନମଣ୍ଡପକୁ ବିଜେ କରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ସେନାପଟା ଲାଗି ପାଇଁ ସକାଳ ସାଢ଼େ ୫ଟାରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।

ଶ୍ରୀମନ୍ଦିର ପ୍ରଶାସନର ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୫ଟାରେ କୋଠ ସୁଆଁସିଆ ବାହାରିବା ପରେ ସାଢ଼େ ୫ଟାରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିର ପ୍ରବେଶ କରିବେ। ସାଢ଼େ ୧୦ଟା ସୁଦ୍ଧା ସେନାପଟା ଲାଗି ନୀତି ଶେଷ ହେବ। ପରେ ପୂର୍ବାହ୍ଣ ୧୧ଟାରୁ ସାଢ଼େ ୧୧ଟା ଭିତରେ ମଙ୍ଗଳା ଆଳତୀ, ମଇଲମ, ତଡ଼ପଲାଗି, ୧୨ଟା ୧୫ରୁ ଗୋଟାଏ ପର୍ଯ୍ୟନ୍ତ ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସାଢ଼େ ୧୧ଟାରେ ବେଶଶେଷ, ଅପରାହ୍ଣ ୨ଟାରୁ ୩ଟା ଗୋପାଳବଲ୍ଲଭ ଓ ସକାଳଧୂପ(କେବଳ କୋଠଭୋଗ), ୨ଟା ୨୦ରୁ ୪ଟା ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ପୁନର୍ବାର ଅପରାହ୍ଣ ୪ଟା ୧୫ରେ ମଇଲମ ପରେ ଆଲଟଲାଗି, ଚନ୍ଦନଲାଗି ଆଦି ନୀତି ୬ଟା ସୁଦ୍ଧା ଶେଷ ହେବ। ସଂଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟାହ୍ନ ଧୂପ(କେବଳ କୋଠଭୋଗ), ୬ଟା ୪୦ରୁ ୮ଟା ଦ୍ବିତୀୟ ଭୋଗମଣ୍ଡପ, ରାତି ୭ଟା ୪୫ରେ ଦକ୍ଷିଣୀଘର ଭୋଗ, ୮ଟା ୧୫ରୁ ୮ଟା ୪୫ ପର୍ଯ୍ୟନ୍ତ ମଇଲମ, ବେଶ, ୯ଟାରେ ସଂଧ୍ୟା ଆଳତୀ, ସାଢ଼େ ୯ଟାରୁ ସାଢ଼େ ୧୦ଟା ସଂଧ୍ୟାଧୂପ, ରାତି ୧୧ଟା ୪୫ରେ ମଇଲମ, ୧୨ଟା ୧୫ରେ ଆଲଟଲାଗି ପରେ ସାଢ଼େ ୧୨ଟାରେ ପଣାଭୋଗ ହେବ। ରାତି ୧ଟାରେ ଚନ୍ଦନଲାଗି ପରେ ସାଢ଼େ ଗୋଟାଏରେ ବଡ଼ସିଂହାର ବେଶ, ୨ଟାରେ ବଡ଼ସିଂହାର ଭୋଗ ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସାକ୍ଷୀଗୋପାଳରୁ ୫ଟି ବଉଳ କାଠ ରଥଖଳାରେ ପହଞ୍ଚିବା ପରେ ଏଥିରୁ ସେନାପଟା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର