ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ମହାପ୍ରଭୁଙ୍କ ସୁନାବେଶ ଆଜି

ସୁରକ୍ଷା ଦାୟିତ୍ବରେ ଶତାଧିକ ଅଫିସର, ୪୦ ପ୍ଲାଟୁନ୍ ଫୋର୍ସ

ସିଂହଦ୍ବାରରେ ପ୍ରବେଶ, ଅନ୍ୟ ତିନିଦ୍ବାରରେ ପ୍ରସ୍ଥାନ
ମ୍ୟୁନିସିପାଲଟି ମାର୍କେଟ୍‌ ସ୍ଥାନରେ ଦୁଇଚକିଆ, ଜଗନ୍ନାଥ ବଲ୍ଲଭ ଓ ଜେଲ୍‌ ରୋଡ୍‌ରେ ଚାରିଚକିଆ ପାର୍କିଂ

ପୁରୀ : ପବିତ୍ର କାର୍ତ୍ତିକ ମାସର ଶେଷ ଦିନରେ ଆସନ୍ତାକାଲି ଭକ୍ତଙ୍କୁ ଦୁର୍ଲ୍ଲଭ ରାଜାଧିରାଜ ତଥା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ବେଳାଭୂମିରେ ବୋଇତ ବନ୍ଦାଣ ପାଇଁ ବି ପ୍ରବଳ ଭିଡ଼ ରହିବ। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ସହ ଟ୍ରାଫିକକୁ ନିୟନ୍ତ୍ରଣରେ ରଖିବାକୁ ପ୍ରାଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣରେ ଶତାଧିକ ଅଫିସରଙ୍କ ସହ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀମାନେ ଆଜି ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଭୋର୍‌ରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଉଥିବାରୁ ଆଜି ରାତି ୧୨ଟା ପୂର୍ବରୁ ପହୁଡ଼ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ପାଇଁ ବ୍ୟବସ୍ଥା ହୋଇଛି। ଦ୍ବାରଫିଟା ନୀତି ଶେଷ ପରେ ଅର୍ଥାତ୍ ପ୍ରାୟ ରାତି ୩ଟାରୁ ଦର୍ଶନ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦେଖି ଚାରିଥାକିଆ ଦର୍ଶନ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ କମାଣ୍ଡାଣ୍ଡଙ୍କୁ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ୫ଜଣ ଏଏସପି, ୧୭ଜଣ ଡିଏସପି, ୩୨ଜଣ ଇନ୍ସପେକ୍ଟର, ୧୫୦ଜଣ ଏସଆଇ ଓ ଏଏସଆଇ, ୪୦୦ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି। ଜେଟିପିଙ୍କ ସହ ଶ୍ରୀମନ୍ଦିର ଭିତରେ ଓ ବାହାରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ପୁରୀରେ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପଞ୍ଚତୀର୍ଥ ପୁଷ୍କରିଣୀ ସହ ନରେନ୍ଦ୍ର ପୁଷ୍କରିଣୀଠାରେ ବି ସୁରକ୍ଷିତ ସ୍ନାନ ଉପରେ ନଜର ରଖାଯାଇଛି। ବାକି ୫ ପ୍ଲାଟୁନ ଫୋର୍ସ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗରେ ମୁତୟନ କରାଯାଇଛି।

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ଭିଡ଼କୁ ନଜରରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି। ବଡ଼ ଗାଡ଼ି ସବୁକୁ ମାଳତୀପାଟପୁର ବାଇପାସ ଦେଇ ଛାଡ଼ିବାକୁ ସ୍ଥିର ହୋଇଛି। ବଡ଼ଦାଣ୍ଡରେ ମ୍ୟୁନିସିପାଲ ମାର୍କେଟର ଉଚ୍ଛେଦ ସ୍ଥାନରେ ଦୁଇଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥ ବଲ୍ଲଭ ଓ ଜେଲରୋଡ୍‌ର ଖାଲିସ୍ଥାନରେ ଚାରିଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଯଦି ଭିଡ଼ ବଢ଼େ, ତେବେ ତାଳବଣିଆ ପଡ଼ିଆକୁ ପାର୍କିଂ ପାଇଁ ଗାଡ଼ି ପଠାଯିବ ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ କହିଛନ୍ତି। ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ବୋଇତ ବନ୍ଦାଣ ପାଇଁ ପୁରୀ ବେଳାଭୂମିରେ ଅଘଟଣକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଜଣ ଡିଏସପିଙ୍କୁ ଏହାର ତତ୍ତ୍ବାବଧାନ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର