କାର୍ତିକ ପରେ ମା’ ଲକ୍ଷ୍ମୀ ଓ ନାରାୟଣଙ୍କ ନୂଆ ପ୍ରତିମା ପ୍ରତିଷ୍ଠା

ଅଁଳା ନବମୀ ଓ ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ସମେତ ଅନ୍ୟ ସ୍ଥାନରେ ସ୍ଥାପିତ ମା’ ଲକ୍ଷ୍ମୀ, ପ୍ରଭୁ ନାରାୟଣ, ବାମନ ଓ ମଦନମୋହନଙ୍କ ପ୍ରତିମା କାର୍ତିକ ପରେ ବଦଳାଯିବ। ଏହି ଚାରି ପ୍ରତିମା ନଷ୍ଟ ହୋଇ ଯାଇଥିବାରୁ ଏହା ବଦଳରେ ୧୯୭୨ ମସିହାରୁ ନିର୍ମିତ ହୋଇ ରହିଥିବା ମା’ ଲକ୍ଷ୍ମୀ, ନାରାୟଣ, ବାମନ ଓ ମଦନମୋହନଙ୍କ ନୂଆ ପ୍ରତିମା ପ୍ରତିଷ୍ଠା କରାଯିବ। ଆସନ୍ତା ୨୦ ତାରିଖରେ ବିଭିନ୍ନ ନିଯୋଗ ସହ ବୈଠକ ପରେ କେବେ ଓ କେଉଁ ତାରିଖରେ ଚାରି ନୂଆ ମୂର୍ତିଙ୍କୁ ପ୍ରତିଷ୍ଠା କରାଯିବ ତାହା ସ୍ଥିର ହେବ। ସେହିପରି ମହାପ୍ରଭୁଙ୍କ ଶେଯ ଓ ଅନ୍ୟାନ୍ୟ ଜିନିଷ ରଖିବା ପାଇଁ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା, ଶ୍ରୀମନ୍ଦିରରେ ଅଁଳାନବମୀ, ପଞ୍ଚୁକ ନୀତି ପାଳନ, ଶୃଙ୍ଖଳିତ ଦର୍ଶନ ଏବଂ ଭକ୍ତଙ୍କୁ ଖରାରୁ ସୁରକ୍ଷା ଦେବା ପାଇଁ ଅସ୍ଥାୟୀ ସେଡ୍ କରାଯିବ ବୋଲି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅଁଳା ନବମୀ ଓ ପଞ୍ଚୁକରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଅବସରରେ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରତିବର୍ଷ ବିବାଦ ମୁଣ୍ଡ ଟେକିଥାଏ। ତେବେ ଚଳିତ ବର୍ଷ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜିର ବୈଠକରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅସ୍ଥାୟୀ ସେଡ୍ କରିବାକୁ ପୂର୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏହି କାମ ଆରମ୍ଭ ହେବ। ଖରା ଯୋଗୁ ଭକ୍ତମାନେ ଅନେକ ସମୟରେ ଦର୍ଶନ ବେଳେ କଲବଲ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମାସେ ଭିତରେ ଅସ୍ଥାୟୀ ସେଡ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ ଭିଡ଼ ଦେଖି ଏହାର ଆଶ୍ରୟ ନେଇ ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗତବର୍ଷ ଅଁଳାନବମୀ ଓ ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ୪୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ଚଳିତ ବର୍ଷ ବି ସେହିଭଳି ଦର୍ଶନ ବ୍ୟବସ୍ଥା କରିବା ଲାଗି ଆଇଜି ଓ ଏସ୍‌ପିଙ୍କୁ କୁହାଯାଇଛି। ଭଣ୍ଡାର ମେକାପଙ୍କ ପାଇଁ ସ୍ଥାୟୀ ଘର ନଥିବାରୁ ମହାପ୍ରଭୁଙ୍କ ଶେଯ ଓ ଅନ୍ୟାନ୍ୟ ଲାଗି ଜିନିଷ ଅନ୍ୟତ୍ର ରଖାଯାଉଛି। ଏଥି ପାଇଁ ଶ୍ରୀମନ୍ଦିର ପରିସରରେ ସ୍ବତନ୍ତ୍ର ଗୃହ ନିର୍ମାଣ କରାଯିବ। ଡିସେମ୍ବର ୧ରୁ ଏଠାରେ ଦିଅଁଙ୍କୁ ସ୍ଥାପନ ପରେ ଶେଯ ଓ ଅନ୍ୟାନ୍ୟ ଜିନିଷ ରଖାଯିବ। ଯାତ୍ରୀଙ୍କ ଦର୍ଶନ ସୁବିଧା ଦୃଷ୍ଟିରୁ ଜଗମୋହନ, ମୁଦୁଲି ଦ୍ବାରଠାରେ ରହିଥିବା ଆଲମିରା ସବୁକୁ ହଟାଇ ନୂଆ ଘରେ ରଖାଯିବ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲାଗିବ ସେଡ୍
ମହାପ୍ରଭୁଙ୍କ ଶେଯ ଓ ଅନ୍ୟାନ୍ୟ ଜିନିଷ ରଖିବା ପାଇଁ ସ୍ବତନ୍ତ୍ର ଗୃହ

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ମା’ ଲକ୍ଷ୍ମୀ (ଶ୍ରୀଦେବୀ), ନାରାୟଣ, ବାମନ ଓ ମଦନ‌ ମୋହନଙ୍କ ନୂଆ ମୂର୍ତି ୧୯୭୨ ମସିହାରୁ ନିର୍ମିତ ହୋଇ ରହିଥିବା ବେଳେ ଏହାକୁ ପ୍ରତିଷ୍ଠା ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଏ ନେଇ ୨୦୧୫ରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଲାଗି ପାରୁନଥିଲା। ନିକଟରେ ସେବାୟତମାନେ ଏ ନେଇ ଆମିକସ୍‌କ୍ୟୁରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଏ ସଂକ୍ରାନ୍ତରେ ପୂଜାପଣ୍ଡା ସେବକ ଓ ଦେଉଳ ପୁରୋହିତଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ୨୦ ତାରିଖରେ ତଳୁଚ୍ଛ, ଭିତରଚ୍ଛୁ, ପାଟ୍ଟଯୋଶୀ ସେବକ ଆଦିଙ୍କ ସହ ଆଲୋଚନା ପରେ କେବେ ଚାରି ମୂର୍ତି ପ୍ରତିଷ୍ଠା େହବେ ସେ ନେଇ ନିଷ୍ପତ୍ତି ‌ନିଆଯିବ। ସେହିଭଳି ଅଁଳା ନବମୀ ଓ ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି। ଧାଡ଼ିରେ ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ ଚାହିଁଲେ ମୁଦୁଲି ଦ୍ବାର, ପଣ୍ଡାଦ୍ବାର ଓ ଘଣ୍ଟାଦ୍ବାର ଦେଇ ବାହାରକୁ ବାହାରି ପାରିବେ। ଏହାବାଦ୍ ବାହାରକୁ ବାହାରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ସତ୍ୟନାରାୟଣ ବାଟ ଓ ଏଠାରେ ଥିବା ବ୍ୟାରିକେଡକୁ ଖୋଲି ଦିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର