‘ଦାରୁକୁ ପୋଲା କହିବା ମହାପାପ’

ପୁରୀ : ତିନି ବର୍ଷ ପରେ ପୁଣି ଚେଇଁଛି ଦାରୁ କଳି। ବିଶ୍ବନିୟନ୍ତାଙ୍କୁ ନେଇ କୋଟି କୋଟି ହିନ୍ଦୁଙ୍କ ବିଶ୍ବାସ ଓ ଭାବାବେଗ ଜଡ଼ିତ ହୋଇ ରହିଥିବା ବେଳେ କିଛି ସେବକ ଓ ରାଜନୈତିକ ବ୍ୟକ୍ତି ବି‌ଶେଷ ତିନି ବର୍ଷ ପରେ ପୁରୁଣା କଳିକୁ ଜୀବନ ‌େଦଇଛନ୍ତି। ଦାରୁ ଦିଅଁ ହୋଇ ରତ୍ନ ସିଂହାସନରେ ପୂଜା ପାଇବା ପରେ ମଧ୍ୟ ମହାପ୍ରଭୁଙ୍କ ଦାରୁକୁ ପୋଲା କହି କୋଟି କୋଟି ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଉଛି। ଧର୍ମ ଓ ବିଶ୍ବାସକୁ ପଛରେ ପକାଇ ରାଜନୈତିକ ଫ‌ାଇଦା ନେବାକୁ ପ୍ରୟାସ କରୁଛନ୍ତି। ଏଭଳି କହିବା ମହାପାପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ପ୍ରସଙ୍ଗ ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ନେଇ ଉଠିଛି। ଦାରୁ ପୋଲା ଥିଲା, ଟଙ୍କା କାରବାର କଥା କହି ବିଶ୍ବାସ ଭାଙ୍ଗିବାକୁ ପ୍ରୟାସ କରାଯାଉଥିବା ବୁଦ୍ଧିଜୀବୀ ଓ ଗବେଷକ ମତ ରଖିଛନ୍ତି। ମହାପ୍ରଭୁଙ୍କ ଏମାନେ କ’ଣ ବୋଲି ଭାବିଛନ୍ତି କହି କିଛି ମଠ ମହନ୍ତ ଗର୍ଜିବା ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ଗୋପନୀୟତାକୁ ବାରମ୍ବାର ନଷ୍ଟ କରାଯାଉଛି। ବ୍ରହ୍ମ ବିଭ୍ରାଟ ଅବହେଳା ପ୍ରସଙ୍ଗ ଦର୍ଶାଇ ଜଣେ ମହାରଣା ସେବକଙ୍କୁ ପ୍ରଶାସନ ନୋଟିସ ଜାରି କରିବା ପରେ ସେ ମହାପ୍ରଭୁଙ୍କ ଦାରୁ ପାଇଁ ଟଙ୍କା କାରବାର ହୋଇଛି, ଦାରୁ ପୋଲା ଥିଲା କହି ପୁରୁଣା ବିବାଦକୁ ତାଜା କରିଛନ୍ତି।

ଶ୍ରୀ ମହାରଣା ଯେଉଁ ଟଙ୍କା କାରବାର କଥା କହିଛନ୍ତି ସେ ସଂପର୍କରେ ତାଙ୍କ ପାଖରେ କ’ଣ ପ୍ରମାଣ ଅଛି? ଏ କଥା ସେ ଆଗରୁ କାହିଁକି କହୁନଥିଲେ? ମହାପ୍ରଭୁଙ୍କ ଦାରୁ ଚିହ୍ନଟ ବେଳେ ଦାରୁ ଭିତରେ ପୋଲା ବାହାରିବ ବୋଲି ‌ଦଇତାମାନେ କେମିତି ଜାଣିଥାନ୍ତେ? ଯଦି ପୋଲା ବାହାରିଲା, ତାହା ମହାପ୍ରଭୁଙ୍କ ଗୁପ୍ତ ନୀତି ଥିଲା, ଏହାକୁ ପ୍ରଘଟ କରାଗଲା କାହିଁକି? ମହାରଣା ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୋଟିସ୍‌ ହେବାରୁ ସେ ଏଭଳି କଥା କହିବା କେତେ ଦୂର ଗ୍ରହଣୀୟ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ନେଇ ଆଜି ପୁରୀର କିଛି ବୁଦ୍ଧିଜୀବୀ, ଗବେଷକ କ୍ଷୋଭ ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଗୁପ୍ତ ନୀତିକୁ ବାରମ୍ବାର ‌ପ୍ରଘଟ କରିବା ସମୀଚିନ ନୁ‌ହେଁ ବୋଲି ମତ ରଖିଛନ୍ତି।

ଗଜପତି ମହାରାଜ: ବ୍ରହ୍ମ ବିଭ୍ରାଟ ଏବଂ ତଦ୍‌ଜନିତ ଘଟଣାବଳୀ ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ରହିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ତଦନ୍ତ କରୁଛନ୍ତି। କେବଳ ସେ ହିଁ ଏହାର ଉତ୍ତର ଦେଇ ପାରିବେ। ଏ ପ୍ରସଙ୍ଗ‌ରେ ମୁଁ କିଛି କହିବା ଅନୁଚିତ ହେବ।

ଡକ୍ଟର ନରେଶ ଦାସ (ଗବେଷକ): ମହାପ୍ରଭୁଙ୍କ ଗୋପନ ନୀତିକୁ ପଦାରେ ପକାଇବା ମହାପାପ। ଦାରୁ ଦିଅଁ ହୋଇ ପୂଜା ପାଇ ସାରିବା ପରେ ପୁରୁଣା କଥାକୁ ନେଇ ଆଉ ବିବାଦ ହେବା ଉଚିତ୍ ନୁହେଁ। ମହାପ୍ରଭୁ ବିଶ୍ବାସର ପ୍ରତୀକ। ତାଙ୍କ ବିଗ୍ରହକୁ ପୋଲା କୁହାଯିବା ଏବଂ ଟଙ୍କା କାରବାର ହୋଇଛି ବୋଲି କହିବା ଠିକ ନୁହେଁ। ମହାପ୍ରଭୁଙ୍କ ନେଇ ରାଜନୀତି କରିବା ଦ୍ବାରା ଏହା ଭକ୍ତଙ୍କ ବିଶ୍ବାସକୁ ଆଘାତ ଦେଉଛି।

ରବିନ୍ଦ୍ରନାଥ ପ୍ରତିହାରୀ (ବରିଷ୍ଠ ପ୍ରତିହାରୀ ସେବକ): ଦାରୁ ଦିଅଁ ହେଲା ପରେ ପୋଲା କହିବା ଆଦୌ ଗ୍ରହଣୀୟ ନୁହେଁ। ମହାପ୍ରଭୁଙ୍କ ଘଟ ପରବର୍ତ୍ତନ ହୋଇ ବ୍ରହ୍ମ ସଂସ୍ଥାପନ ହେବା ପରେ ସେ ଦିଅଁ ହୋଇ‌ଗଲେ। ନବ‌ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ବି ଦେଲେ। ବର୍ତ୍ତମାନ ଏପ୍ରକାର ଚର୍ଚ୍ଚା କରି ଭକ୍ତଙ୍କ ବିଶ୍ବାସକୁ ଆଘାତ ଦିଆନଯାଉ। ତିନି ବର୍ଷ ତଳର ପୁରୁଣା ପ୍ରସଙ୍ଗକୁ ଏହିଠାରେ ହିଁ ବନ୍ଦ କରାଯାଉ।

ବିନାୟକ ଦାସ ମହାପାତ୍ର (ବିଶ୍ବାବସୁ): ଦାରୁ ଫିକ୍ସିଂକୁ ନେଇ ଆଲୋଚନା ବନ୍ଦ କରାଯାଉ। ଏହା ମହାପ୍ରଭୁଙ୍କ ପ୍ରତି ଅପମାନ। ଜଗନ୍ନାଥଙ୍କ ଦାରୁ ରଘୁନାଥପୁର ଖରିପଡିଆରୁ ଆସିଥିଲା। ଯାହାଙ୍କ ବାଡିରୁ ଏ ଦାରୁ ଚିହ୍ନଟ କରାଯାଇଥିଲା ସେ ଜଣେ ଗରିବ ଲୋକ। ଦାରୁ ପାଇଁ ସେ କେମିତି ଅର୍ଥ ଦେଲେ? ସେହିଭଳି ସାରଳାଙ୍କ ପୀଠରୁ ମଧ୍ୟ ଦାରୁ ଆସିଥିଲା। ମନ୍ଦିର କମିଟି ‌କାହିଁକି ଟଙ୍କା ଦେବ? ଅଢଙ୍ଗଗଡରୁ ବାହାରିଥିବା ଦାରୁ ଏକ ମନ୍ଦିର ପାଖରୁ ଚିହ୍ନଟ ହୋଇଥିଲା। ସୁତରାଂ ଦାରୁ ଚିହ୍ନଟରେ କୌଣସି ଫିକ୍ସିଂ, ଟଙ୍କା କାରବାର ହେବା କଥା ଭିତ୍ତିହୀନ।

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର (ଗବେଷକ): ବିବାଦ ଘାଣ୍ଟିବା ଦ୍ବାରା ପରମ୍ପରା ନଷ୍ଟ ହେଉଛି। ଗୋଟିଏ ଦାରୁରେ ବି ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରାଯାଇପାରିବ। ନବକଳେବରରେ ଯାହା କିଛି ଘଟିଲା ମହାପ୍ରଭୁଙ୍କ ଇଚ୍ଛାରେ ହିଁ ହୋଇଛି। ତେଣୁ ଏକ ପୁରୁଣା ବିବାଦକୁ ବାରମ୍ବାର ବ୍ୟବଚ୍ଛେଦ କରିବା ଓ ଘାଣ୍ଟିବା ଦ୍ବାରା ଆମ ସଂସ୍କୃତି, ପରମ୍ପରା ଓ ଗୌରବ ନଷ୍ଟ ହେଉଛି। ଇଷ୍ଟଙ୍କ ମର୍ଯ୍ୟାଦାହାନି କରାଯାଉଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ଗୋଟିଏ ଦାରୁରେ ନିର୍ମାଣ ହେବାର ପୂର୍ବରୁ ଶାସ୍ତ୍ରୀୟ ପ୍ରମାଣ ରହିଛି। ଯଦି ଗୋଟିଏ ଦାରୁ ଠିକ୍‌ ପଡିଲା ନାହିଁ, ଅନ୍ୟ ଦାରୁରେ ବିଗ୍ରହ ନିର୍ମାଣ କରିବାରେ କିଛି ସମସ୍ୟା ନାହିଁ। ଏହାକୁ ନେଇ ଏତେ ବାଦ ବିବାଦ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର