ପୁଣି ଚର୍ଚ୍ଚାରେ ଦାରୁ କଳି : ବିଶ୍ବକର୍ମାଙ୍କ ଗୁରୁତର ଅଭିଯୋଗ ଦାରୁ ଚିହ୍ନଟରେ ହୋଇଛି ଟଙ୍କା କାରବାର

ସବୁ କଳିର ମୂଳ ଦଇତା ସେବକ

ପୁରୀ : ନବକଳେବର ବ୍ରହ୍ମ ପରିବର୍ତନ ମହାବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ଏହି ପ୍ରସଙ୍ଗଟି ପୁଣି ବିେସ୍ଫାରକ ପରିସ୍ଥିତି ସୃଷ୍ଟି କଲାଣି। ବିଭ୍ରାଟ ପାଇଁ ବିଶ୍ବକର୍ମା ମହାରଣା ସେବକ ଦଇତାପତିଙ୍କୁ ଦାୟୀ କରିଛନ୍ତି। କହିଛନ୍ତି, ଶ୍ରୀ ବିଗ୍ରହମାନଙ୍କ ପାଇଁ ଯେଉଁ ଦାରୁ ଚୟନ ହୋଇଥିଲା, ସେଥିରେ ପଇସା କାରବାର ହୋଇଛି। ବିଶ୍ବକର୍ମା ମହାରଣା ସେବକ ଏଭଳି ଅଭିଯୋଗ ଶ୍ରୀଜଗନ୍ନାଥଙ୍କୁ ନେଇ କୋଟି କୋଟି ହିନ୍ଦୁଙ୍କ ମଧ୍ୟରେ ଥିବା ଧାର୍ମିକ ବିଶ୍ବାସ, ଭା‌ବାବେଗକୁ ଆଘାତ ପହଞ୍ଚିଛି।

ନୋଟିସ ପହଞ୍ଚିବା କ୍ଷଣି ମହାରଣା ‌ସେବକ ତଥା ସୁଭଦ୍ରାଙ୍କ ଦେବଦଳନ ରଥର ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣା ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ସବୁ କଳିର ମୂଳ ହେଉଛନ୍ତି ଦଇତା ସେବକ। ଯିଏ ଟଙ୍କା ଦେଲା, ଦାରୁ ସେଠାରୁ ଆସିଲା। ଦଇତା ସେବକ ଟଙ୍କା ନେଇ ମହାପ୍ରଭୁଙ୍କ ଦାରୁ ଚିହ୍ନଟ କରିଥିଲେ। ଫଳରେ ଭଲ ଦାରୁ ବଦଳରେ ୪ଟି ପୋଲା ଦାରୁ ଆସିଥିଲା। ଦାରୁ ଖରାପ ପଡ଼ିବାରୁ ବିଗ୍ରହ ନିର୍ମାଣରେ ବିଳମ୍ବ ଘଟିଥିଲ‌ା, ବାରମ୍ବାର ଚଉପଟ ବି ବଦଳିଥିଲା। ତଥାପି ମହାରଣା ସେବକ ଠିକ୍ ସମୟରେ ବିଗ୍ରହ ନିର୍ମାଣ କରିଥିଲେ। ଖୋଳତାଡ କଲେ ସତ କଥା ବାହାରିବ ।

ମହାପ୍ରଭୁଙ୍କ ଦାରୁ ପୁରୀ-କଟକ ଜିଲ୍ଲାରୁ ଅଣାଯାଇଥାଏ। ଜଗତସିଂହପୁରରୁ କେମିତି ଦାରୁ ଆସିଲା ବୋଲି କୃଷ୍ଣଚନ୍ଦ୍ର ପ୍ରଶ୍ନ କରିଛନ୍ତି। ନବ‌କଳେବର ସମୟରେ ସେ ଦାରୁ ପୋଲା ବୋଲି କହିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ବିଶ୍ବକର୍ମା କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗକୁ ଦଇତା ନି‌ଯୋଗର ସହ ସଂପାଦକ ବିନାୟକ ଦାସ ମହାପାତ୍ର ଖଣ୍ଡନ କରିଛନ୍ତି। କହିଛନ୍ତି, ଦଇତାମାନେ ଦାରୁ ଚିହ୍ନଟ ପ୍ରକ୍ରିୟା ଠିକ୍‌ ଭାବେ କରିଛନ୍ତି। କୃଷ୍ଣଚନ୍ଦ୍ର ନିଜେ ବିଗ୍ରହ ନିର୍ମାଣ ନକରି ତାଙ୍କ ପିଲାଙ୍କୁ ପଠାଇଥିଲେ। ବିଗ୍ରହ ନିର୍ମାଣ କାର୍ଯ୍ୟରେ ତାଙ୍କଠୁ ଯେମିତି ସହଯୋଗ ମିଳିବା କଥା ତାହା ମିଳିନଥିଲା। ନୂଆ ଅନଭିଜ୍ଞ ପିଲାମାନେ କାମ କରିଥିବା‌ରୁ ସମସ୍ୟା ଉପୁଜିଥିଲା। ଏବେ ଦୋଷୀ କରାଯାଇଥିବାରୁ ସେ ଜାଣିଶୁଣି ଏଭଳି କଥା କହୁଛନ୍ତି।

ସମ୍ବନ୍ଧିତ ଖବର