ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା : ମୃତ୍ୟୁ ପୂର୍ବରୁ ଫୋନ୍ କରି ଝିଅ ଦେଲା ସୂଚନା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କଇଠଡ଼ା ପଞ୍ଚାୟତ କମଳାପୁର ଗ୍ରାମ କାଶୀ ବିଶ୍ବନାଥ ଶୈବ ପୀଠ ସଂଲଗ୍ନ ଜଙ୍ଗଲରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଝରିପଦର ଗ୍ରାମର ଏସ.ଦିବାନା ରେଡ୍ଡୀ (୨୭) ଓ ‌ଚୈତନ୍ୟପୁର ଗ୍ରାମର ଲକ୍ଷ୍ମୀ ରେଡ୍ଡୀ (୧୯)। ଉଭୟ କୀଟନାଶକ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଦିଗପହଣ୍ଡି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଲକ୍ଷ୍ମୀ ଓ ଦିବାନା ପରସ୍ପରକୁ ଭଲ ପାଉଥିଲେ। ଆଜି ସକାଳେ ଔଷଧ କିଣିବାକୁ କହି ଦିଗପହଣ୍ଡି ଆସି ଆଉ ଘରକୁ ଫେରି ନ ଥିଲେ। ଅପରାହ୍ନ ୨ଟାରେ ଘରକୁ ଲକ୍ଷ୍ମୀ ଫୋନ୍ କରି କହିଥିଲେ ସେ ଦିବାନାଙ୍କ ସହ କାଶୀ ବିଶ୍ବନାଥ ଶୈବପୀଠରେ ଆତ୍ମହତ୍ୟା କରୁଛି। ଏହା ଜାଣିବା ପରେ ଲକ୍ଷ୍ମୀଙ୍କ ବାପା ରଘୁ ସଂଗେ ସଂଗେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ସନ୍ଧ୍ୟା ବେଳେ ଉଭୟଙ୍କ ଶବ ମନ୍ଦିର ସଂଲଗ୍ନ ଜଙ୍ଗଲ ପାଖରୁ ଉଦ୍ଧାର କରାଯାଇଥିଲା। ପୁଲିସ ଶବକୁ ଜବତ କରିବା ସହ ବ୍ରହ୍ମପୁର ବଡ଼ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧିତ ଖବର