ବିଷ ପିଇଲେ ପ୍ରେମୀଯୁଗଳ

ପୁରୀ : ବିବାହ ପୂର୍ବରୁ ଏବଂ ପରେ ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିବା ପ୍ରେମୀ ଯୁଗଳ ଶେଷରେ ବିଷ ପିଇ ଜୀବନ ହାରିଛନ୍ତି। ଏକାଠି ମରିବାର ସଂକଳ୍ପ ନେଇଥିବା ଏହି ପ୍ରେମୀଯୁଗଳଙ୍କ ମଧ୍ୟରୁ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଜୀବନମରଣ ସହିତ ଯୁଝୁଛନ୍ତି।

ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ପଣସପଦା ସାମନ୍ତ ସାହିର ପବିତ୍ର ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ (୩୩) ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଆଜି ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ସନ୍ଧ୍ୟାରେ ସୁଷମା ଅରଖକୁଦାସ୍ଥିତ ଏକ ଜଙ୍ଗଲରେ ପଡିଥିବା ଖବର ପାଇ ପରିବାର ଲୋକେ ସେଠାକୁ ଯିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୁଷମାଙ୍କ ସହିତ ତାଙ୍କ ସମ୍ପର୍କୀୟ ପାଇକ ସାହିର ମକା ଓରଫ ମନୋଜ ଦଳାଇ (୩୫) ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସମସ୍ତେ ହତବାକ୍ ହୋଇ ଯାଇଥିଲେ। ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ଜିଲ୍ଲା ଚିକିତ୍ସାଳୟରେ ସୁଷମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମକାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର