ଲୋକଲଜ୍ଜାରୁ ଜୀବନ ହାରିଲେ ପ୍ରେମୀଯୁଗଳ

ମାସକ ମଧ୍ୟରେ ମଲେଣି ୩ ଯୋଡ଼ି

ପାଇକସାହି : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତରେ କୁମୁରି ଗ୍ରାମରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୬ ମାସ ପୂର୍ବରୁ ଗ୍ରାମରୁ ପଳାଇ ଯାଇଥିବା ଦୁଇ ବିବାହିତ ପ୍ରେମୀଯୁଗଳ ଶନିବାର ଦିନ ଗ୍ରାମକୁ ଫେରିବା ପରେ ପରିବାର ଲୋକଙ୍କ ବିରୋଧ ସାଂଗକୁ ଲୋକଲଜ୍ଜା ଯୋଗୁଁ ଆତ୍ମହତ୍ୟା କରିବାର ବାଟ ବାଛି ନେଇଥିଲେ। ଗାଁ ମୁଣ୍ଡରେ ଥିବା ଏକ ଆମ୍ବ ଗଛରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଛନ୍ତି। ମୃତ ପ୍ରେମିକ ପ୍ରେମିକା ହେଲେ ଡଲାସିଙ୍ଗା ଗ୍ରାମର ମଧୁ ସାହୁ (୩୪) ଓ କୋଠଭୂଇଁ ଗ୍ରାମର ଶାନ୍ତି ପ୍ରଧାନ (୩୭)। ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କର ଦୁଇଟି ଲେଖାଏଁ ସନ୍ତାନ ରହିଥିବା ଜଣାପଡ଼ିଛି।

ଡଲାସିଙ୍ଗା ନିବାସୀ ମଧୁ ସାହୁ ପଡ଼ିଶା ଗାଁ କୋଠଭୂଇଁକୁ ଯିବା ଆସିବା ଭିତରେ ଶାନ୍ତି ପ୍ରଧାନଙ୍କ ସହିତ ତାଙ୍କ ପରିଚୟ ହୋଇଥିଲା। ଧୀରେ ଧୀରେ ଘନିଷ୍ଠତା ବଢ଼ିଥିଲା। ପ୍ରାୟ ଏକ ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏ ସଂପର୍କରେ ଶାନ୍ତିଙ୍କ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଘଟଣା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେ‌େବ ନିଜ ପିଲାଛୁଆ ଥିବା ସତ୍ତ୍ବେ ୬ ମାସ ତଳେ ସେମାନେ ଘରୁ ପଳାଇ ଯାଇ ଅନ୍ୟତ୍ର ଏକାଠି ରହୁଥିଲେ। ଗତ ଶନିବାର ଦିନ ଏହି ପ୍ରେମୀଯୁଗଳ ରଜ ଉପଲକ୍ଷେ ଡଲାସିଙ୍ଗା ଗ୍ରାମକୁ ଆସିଥିଲେ। ତେବେ ଆଜି ସକାଳେ ଉଭୟଙ୍କ ଝୁଲନ୍ତା ଶବ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ସ୍କୁଟି (ଓଡି ୧୯ ଏଚ୍ ୧୩୩୦)ସହ ମଦ ‌ବୋତଲ ଓ ସୁଇସାଇଡାଲ ନୋଟ୍ ପଡ଼ିଥିବା ଦେଖାଯାଇଥିଲା। ‘ ଆ‌େମ‌ ଭୁଲ୍ କାମ କରିବାରୁ ଲୋକେ ଆମକୁ ଛି.. ଛି ..କଲେ। ଲୋକ ଲଜ୍ଜା ସହି ନପାରି ଆମେ ଆତ୍ମହତ୍ୟା କରୁଛୁ। ଆମର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’ ବୋଲି ସୁଇସାଇଡ୍‌ ନୋଟରେ ଲେଖାଥିଲା। ପ୍ରେମୀଯୁଗଳ ମଦ୍ୟପାନ ପରେ ସ୍କୁଟି ‌ଉପରେ ଆମ୍ବ ଗଛକୁ ଚଢ଼ି ଦଉଡି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଶାନ୍ତିଙ୍କ ବାପଘର ଲୋକେ ତାଙ୍କ ଶବ ନେଇଥିବା ବେଳେ ମଧୁଙ୍କ ଶବ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ମଧୁଙ୍କ ଭାଇଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ଏହା ‌ହେଉଛି ଅବୈଧ ପ୍ରେମ ଓ ପରକୀୟା ପ୍ରୀତିକୁ ନେଇ ପ୍ରେମୀଯୁଗଳଙ୍କ ତୃତୀୟ ଆତ୍ମହତ୍ୟା ଘଟଣା। ଏହା ପୂର୍ବରୁ ବଅଁରପାଳ ଥାନା ଚଉରିଡ଼ିହ ଗ୍ରାମର ବିଭୂତି ସାହୁ ଓ ବିବାହିତା ମହିଳା ପ୍ରୀତି ନାୟକ ଗତ ମାସ ୧୮ ତାରିଖ ସମ୍ବଲପୁର-ଅନୁଗୁଳ ରେଳପଥରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଗତ ୨୫ ତାରିଖ ଦିନ ପୁଣି କୁମଣ୍ଡ ଗ୍ରାମର ରଞ୍ଜନ ସାହୁ(୪୦) ଓ ତାଙ୍କ ଶଳାଭାଉଜ ବାଲୁଅକଟା ଗ୍ରାମର ସସ୍ମିତା ସାହୁ(୩୫) ଓରଫ ସୁଜାତା କୁମଣ୍ଡ ନିକଟରେ ଏକ ସଂଗରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର