ଲୋୟର ସୁକତେଲ କାମ ବନ୍ଦକୁ ବର୍ଷେ ପୂରିଲା : ବାହାରି ପାରିଲାନି ସମାଧାନ ରାସ୍ତା

୫ ବର୍ଷ ହେଲା ମାଟି ବନ୍ଧ କାମ ହେଉନି, ଆରମ୍ଭ ହୋଇନି କେନାଲ କାମ

ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଠପ୍‌ ହୋଇ ପଡ଼ିଛି। ଦେଖୁ ଦେଖୁ କାମ ବନ୍ଦ ହେବାର ବର୍ଷେ ପୂରି ଯାଇଛି। ଏପଟେ ଜିଲ୍ଲା ପ୍ରଶାସନ ସମାଧାନର ରାସ୍ତା ଏ ପର୍ଯ୍ୟନ୍ତ ବାହାର କରିପାରି ନାହିଁ। ପ୍ରକଳ୍ପର ଗୋଟିଏ ପରେ ଗୋଟିଏ କାମ ବନ୍ଦ ହୋଇ ଏବେ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି।

ସ୍ପିଲୱେ କାମ ୨୦୧୮ ଜୁଲାଇ ମାସ ୧୯ ତାରିଖ ଯାଏଁ ଚାଲୁ ରହିଥିଲା। ହେଲେ ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ଓ ଏକାଥରକୁ ଆରଆର ଟଙ୍କା ପ୍ରଦାନ କରାଯାଉ ବୋଲି ପ୍ରକଳ୍ପରେ ବିସ୍ଥାପିତ ହେବାକୁ ଥିବା କିଛି ଗାଁ ଲୋକ ଦାବି ଉଠାଇଥିଲେ। ଏହାସହ କ୍ଷତିପୂରଣ ପ୍ରଦାନରେ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ କରିଥିଲେ। ପ୍ରଥମେ କ୍ଷତିପୂରଣ ଓ ତାପରେ କାମ ହେଉ ବୋଲି ଦାବି କରିଥିଲେ। ଫଳରେ ବର୍ଷେ ହେଲା ସ୍ପିଲୱେ କାମ ଆଉ ହେଉ ନାହିଁ। ଏହାରି ଭିତରେ ବଲାଙ୍ଗୀରର ବୁଦ୍ଧିଜୀବୀ କାମ ଆରମ୍ଭ କରିବାକୁ ବୁଡ଼ି ଅଂଚଳ ଗସ୍ତ କରିଥିଲେ। କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା। ଆବାହକ ଲଳିତ ନାୟକଙ୍କ ନେତୃତ୍ୱରେ ବଲାଙ୍ଗୀରର ବିଭିନ୍ନ ସଂଗଠନ କର୍ମକର୍ତ୍ତା ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲା ପ୍ରଶାସନ ସହ ତ୍ରିପାକ୍ଷିକ ବୈଠକ ବସିଥିଲା। ଏକାଧିକ ବୈଠକ ବସିଲା ପରେ ବି ସମାଧାନ ରାସ୍ତା ଫିଟି ନଥିଲା। କିଛି ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ୨୦୧୩ ଆଇନ ଅନୁସାରେ ଏସଗ୍ରେସିଆ ରାଶିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ସରକାରଙ୍କୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ବି କାମ ଆରମ୍ଭ ହେଲା ଭଳି କୌଣସି ନିଷ୍ପତ୍ତି ପ୍ରଶାସନ ନେଇପାରୁ ନାହିଁ।

ସୂଚନାଯୋଗ୍ୟ ଯେ, ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ବଲାଙ୍ଗୀରରେ ତୀବ୍ର ଆନ୍ଦୋଳନ ହୋଇଥିଲା। ରାଜ୍ୟ ସରକାର ଚାପଗ୍ରସ୍ତ ହେବା ପରେ ୨୦୧୩ ମସିହା ଏପ୍ରିଲ ମାସରେ କାମ ଆରମ୍ଭ କରିଥିଲେ। ବିସ୍ଥାପିତଙ୍କ ପ୍ରବଳ ବିରୋଧ ସତ୍ୱେ ମାଗୁରବେଢ଼ାଠାରେ ପୁଲିସ ଉପସ୍ଥିତିରେ କାମ ଆରମ୍ଭ ହୋଇଥିଲା। ଏବେ ଡ୍ୟାମ ନିକଟ ଗାଁ ପରଧିଆପାଲି ସହ ଆଉ କିଛି ଗାଁର ଲୋକଙ୍କ ବିରୋଧ ଯୋଗୁଁ କାମ ବନ୍ଦ ହୋଇ ପଡ଼ି ରହିଛି। ଓସିସି କମ୍ପାନିର ସ୍କିଲଡ ୱାର୍କର ସବୁ ମଧ୍ୟ ଅନ୍ୟ ସ୍ଥାନକୁ କାମ କରିବାକୁ ଚାଲିଗଲେଣି। ଅନ୍ୟପଟେ ପ୍ରକଳ୍ପରେ ହେବାକୁ ଥିବା କେନାଲ କାମ ଏଯାଏଁ ଆରମ୍ଭ ହୋଇ ନାହିଁ। ପାଇପ ଲାଇନରେ କେନାଲ କରିବାକୁ ପ୍ରସ୍ତାବ ହେଲାଣି। ତାହା ମଂଜୁରି ଅପେକ୍ଷାରେ ରହିଛି। ବର୍ତ୍ତମାନ ପ୍ରକଳ୍ପରେ ସମୁଦାୟ ୧୨୮୫ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ସେଥିମଧ୍ୟରୁ ୮୮୩ କୋଟି ଟଙ୍କା ଜମି ଅଧିଗ୍ରହଣ ଓ ଥଇଥାନ ବାବଦକୁ ଖର୍ଚ୍ଚ ହୋଇଛି। ସେ ଯାହା ବି ହେଉ ବାଦ ବିବାଦ ଭିତରେ କାମ ଚାଲୁ ରହିଥିଲା। କେତେବେଳେ ସପକ୍ଷବାଦୀଙ୍କ ଆନ୍ଦୋଳନ ତ ଆଉ କେତେବେଳେ ବିପକ୍ଷବାଦୀଙ୍କ ଆନ୍ଦୋଳନ। ଏବେ କିନ୍ତୁ ସେତେ ପରିମାଣରେ ବିରୋଧ ନାହିଁ। ଡ୍ୟାମ ସାଇଡରେ ଥିବା ଚାରିରୁ ପାଞ୍ଚ ଖଣ୍ଡ ଗାଁର ସମସ୍ୟା ସମାଧାନ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ବହୁ ଦିନ ଧରି କାମ ବନ୍ଦ ହେବା ଫଳରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କୁ ଲୋକେ ଦାୟୀ କରିବାକୁ ଆରମ୍ଭ କଲେଣି।

୧୯୯୬ ମସିହାରେ ପ୍ରକଳ୍ପଟି ମଂଜୁର ପାଇଥିବା ବେଳେ ଝୁଲି ରହିଥିଲା। ବହୁ ଆନ୍ଦୋଳନ ପରେ କାମ ହୋଇଥିଲା। ତାହା ଏବେ ବନ୍ଦ ପଡ଼ିବା ପରେ ପୁଣି ଏକ ବିଶାଳ ଜନ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ଏ ନେଇ ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପି ରାଉତଙ୍କ କହିବା ହେଲା, ପ୍ରକଳ୍ପ କାମକୁ ବିରୋଧ ହେଉଛି। ବିସ୍ଥାପିତ ରାଜି ହେଲେ ଶୀଘ୍ର କାମ ହୋଇପାରିବ। ସମାଧାନର ରାସ୍ତା ଖୋଜା ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର