ଭୁବନେଶ୍ୱର: ଓଡ଼ିିଶାର ପ୍ରଥିତଯଶା ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂ ଆଉ ନାହାନ୍ତି। ଆଜି ଭୁବନେଶ୍ୱର ଭିଏସଏସ ନଗରସ୍ଥିତ ତାଙ୍କ ବାସଭବନରେ ୮୬ ବର୍ଷ ବୟସରେ ଶ୍ରୀ ସିଂଙ୍କ ପରଲୋକ ଘଟିଛି। ଶ୍ରୀ ସିଂହଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କୁ ଭଲପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିି ତାଙ୍କର ଶେଷ ଦର୍ଶନ କରିଛନ୍ତି।

Advertisment

୧୯୩୩ ମସିହା ମେ ମାସ ୨୮ ତାରିଖରେ ଜନ୍ମିତ ନାରାୟଣ ପ୍ରସାଦ ସିଂ ‘ରସରାଜ’ ନାମରେ ବେଶ୍‌ ପରିଚିତ ଥିଲେ। ବହୁ ଲୋକପ୍ରିୟ ଗୀତର ରଚୟିତା ଶ୍ରୀ ସିଂ ପ୍ରଥମେ  କଟକ ଆକାଶବାଣୀ ପାଇଁ ଗୀତ ରଚନା କରିଥିଲେ । ପରେ ସେ ସିନେମା ଜଗତକୁ ପ୍ରବେଶ କରିଥିଲେ। ସେ ଏକ ଶହରୁ ଊର୍ଧ୍ୱ ଚଳଚିତ୍ର ପାଇଁ ଗୀତ ରଚନା କରିଥିବା ବେଳେ ତାଙ୍କର ବହୁ ଗୀତ ଏବେ ବି ଓଡ଼ିିଶାର ସହରରୁ ପଲ୍ଲୀ ଯାଏଁ ଲୋକେ ଶୁଣିବାକୁ ଭଲ ପାଆନ୍ତି।  ଗୀତ ରଚନା ସମୟରେ ଅାକର୍ଷଣୀୟ ଶବ୍ଦ ପ୍ରୟୋଗ କରିବାରେ ଅତ୍ୟନ୍ତ ଧୂରୀଣ ଏହି ଅନନ୍ୟ ଗୀତିକାର ଗତ କିଛି ଦିନ ହେବ ବୃକକ୍‌ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ।

publive-image
ରସରାଜ ନାରାୟଣ ପ୍ରସାଦ ସିଂହଙ୍କ କାଳଜୟୀ ଗୀତ ମଧ୍ୟରୁ ‘ଏ ତ କଳିକାଳ ରୀତି ବିପରୀତ ଭାଇ.ରେ.., ‘ଉଡ଼ି ଉଡ଼ି ଯା’ରେ ଗୁଡ଼ି..’,  ‘ଜୀବନ ଯମୁନାରେ ଜୁଆର ଉଠେରେ..,’ ‘ରତନୀ ଗଜ ଗମନୀ..’ , ‘ଚୋରା ଚୋରା ପ୍ରୀତି ଆସ ସାଥୀ ଡାକେ ଜୋଛନା..’, ‘ସପନର ପଥେ ପଥେ ..’ ଏବେ ବି କେଉଁଠି ବାଜିଲେ ଶ୍ରୋତାମାନେ ଆନମନା ହୋଇଯାଆନ୍ତି। ସ୍ୱର୍ଗତ ରାସରାଜ ନାରାୟଣ ପ୍ରସାଦ ସିଂହଙ୍କ ଅବର୍ତ୍ତମାନରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ମତପ୍ରକାଶ ପାଇଛି।

ରାସରାଜ୍‌ ନାରାୟଣ ପ୍ରସାଦ ସିଂଙ୍କ ଜନ୍ମ କଟକ ଜିଲ୍ଲା ଅସୁରେଶ୍ୱର ନିକଟବର୍ତ୍ତୀ କୋଇଲ ଗ୍ରାମରେ ୧୯୩୩ ମସିହା ମଇ ୨୮ରେ ହୋଇଥିଲା। ସେ ବାଲ୍ୟକାଳରୁ ପିତା ବିହାରୀଲାଲ ସିଂଙ୍କୁ ହରାଇଥିଲେ। ପାଠପଢ଼ା ଶେଷ ପରେ ୧୯୫୦ରେ ଚାକିରି ଜୀବନ ଆରମ୍ଭ କରନ୍ତି ନାରାୟଣ ପ୍ରସାଦ। ଏହି ସମୟରେ ସେ ସାହିତ୍ୟ ରଚନାରେ ମନୋନିବେଶ କରନ୍ତି। ନବରବି, ଡଗର, ଆସନ୍ତାକାଲି ଆଦି ପତ୍ରପତ୍ରିକାରେ ତାଙ୍କ ଗଳ୍ପ ଓ କବିତା ପ୍ରକାଶିତ ହୁଏ। ୧୯୫୫ ବେଳକୁ ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି ଗୀତିକବିତା ରଚନାରେ ନିଜକୁ ନିୟୋଜିତ କରନ୍ତି। ଏହାପରେ ତାଙ୍କର ଗୀତରଚନା ଆକାଶବାଣୀରୁ ଆରମ୍ଭ ହୋଇ ସିନେମା, ଗ୍ରାମଫୋନ୍‌ ରେକର୍ଡ, ଦୂରଦର୍ଶନ ଓ କ୍ୟାସେଟକୁ ପରିବ୍ୟାପ୍ତ ହୋଇଥିଲା। ଦୀର୍ଘ ୭୦ ବର୍ଷର ସୃଜନ ସାଧନା ଭିତରେ ସେ ୭୦୦ରୁ ଊର୍ଧ୍ୱ ଗୀତିକବିତା ରଚନା କରିଛନ୍ତି।

ଜଣେ ଦକ୍ଷ ଗୀତିକାର ଭାବେ ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି ରସରାଜ। ସିନେ-ଗୀତ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ ସାମଗ୍ରୀକ ସାଧନା ଲାଗି ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ତାଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଚ ସମ୍ମାନ ଲାଭ କରିଛନ୍ତି। ଏଥିସହ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇବା ସହ ଉତ୍କଳ ସାହିତ୍ୟ ସମାଜ ଓ ଗୀତିକବି ସମାଜ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।