ସରିଲା ମା’ମଙ୍ଗଳାଙ୍କ ଝାମୁଯାତ୍ରା, ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ର ପର୍ବର ପ‌ଞ୍ଚମ ତଥା ଶେଷ ମଙ୍ଗଳବାର ଅବସରରେ ଆଜି ପ୍ରସିଦ୍ଧ ଝାମୁଯାତ୍ରା ମହାସମାରୋହରେ ଶେଷ ହୋଇଛି। ଏହି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପାରମ୍ପରିକ ପ୍ରଥା ଅନୁଯାୟୀ ରାତି ୩ଟାରେ ପାଳିଆ ସେବକମାନେ ମା’ମଙ୍ଗଳାଙ୍କୁ ଦିବ୍ୟ ସୁବାସିତ ଜଳରେ ସ୍ନାନ କରାଇଥିଲେ। ଏହା ପରେ ମଙ୍ଗଳ ଆଳତି, ବଲ୍ଲଭ ଏବଂ ସୂର୍ଯ୍ୟପୂଜା କରାଯାଇ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସାହାଣ ମେଳା କରାଯାଇଥିଲା। ଭକ୍ତମାନଙ୍କୁ ବ୍ୟାରିକେଡ୍ ମାଧ୍ୟମରେ ଧାଡିରେ ମନ୍ଦିର ମଧ୍ୟକୁ ଛଡା ଯାଇଥିଲା। ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଝଙ୍କଡ ଶାରଳା ପୀଠରୁ ଆସିଥିବା ୧୦ରୁ ଅଧିକ ଘଣ୍ଟ ପାଟୁଆମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠରୁ ପାଣି ତୋଳି ମନ୍ଦିରରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ମାନସିକଧାରୀ କାଳସିଆମାନେ ମନ୍ଦିର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ଅଗ୍ନିପୂର୍ଣ୍ଣ ଗର୍ତ୍ତରେ ଝାମୁ ଚାଲିଥିଲେ। ସଧବା ମହିଳାମାନେ ନିଜ ପରିବାରର ମଙ୍ଗଳା କାମନା କରି ବେଢା ମଧ୍ୟରେ ପନ୍ତ୍ରେଇ ପୂଜା କରିଥିଲେ। ପରମ୍ପରା ଅନୁଯାୟୀ ତୃତୀୟ ପାଳିଠାରୁ ଆରମ୍ଭ ହୋଇଥିବା ମଙ୍ଗଳାଙ୍କ ପ୍ରସିଦ୍ଧ କାଳିକା ନୃତ୍ୟ ଆଜି ପଞ୍ଚମ ପାଳିରେ ଶେଷ ହୋଇଥିଲା। ଭକ୍ତଙ୍କୁ କାଳିକା ବେଶରେ ସଜ୍ଜିତ କରାଯାଇ ତାଙ୍କୁ ଖଣ୍ତା ଆଦି ଅସ୍ତ୍ରଶସ୍ତ୍ର ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। କାଳିକାମାନେ ଘଣ୍ଟ ମର୍ଦ୍ଦଳ ତାଳେ ତାଳେ ମନ୍ଦିରକୁ ୩ ଥର ପରିକ୍ରମା କରିବା ପରେ ମନ୍ଦିର ବାହାରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର