ଫଳ ବାହାରିବା ପୂର୍ବରୁ ରାଜ୍ୟରେ ଜୋର ଧରିଲା ଅଙ୍କକଷା : କିଏ ଗଢ଼ିବ ସରକାର ?

ଭୁବନେଶ୍ୱର: କାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପରେ ଆରମ୍ଭ ହୋଇଯିବ ବୁଥ ବାହୁଡ଼ା ମତ ଆଧାରରେ ଚର୍ଚ୍ଚା । ୨୩ରେ ମତଗଣନା ହେବା ପୂର୍ବରୁ କିଏ ବାଜିମାତ କରିବ, କିଏ ସରକାର ଗଢ଼ିବ, କିଏ କିଙ୍ଗମେକର ସାଜିବ, ଆଞ୍ଚଳିକ ଦଳର ଭୂମିକା କ’ଣ ହେବ? ଏ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେବ। ତେବେ ନିଜ ନିଜ ହିସାବରେ ନେତା ରାଜନୈତିକ ଅଙ୍କ କଷା ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ ପ୍ରାର୍ଥୀ ବୋଲି ଗତକାଲି ସୂର୍ଯ୍ୟ ପାତ୍ର କହିବା ପରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି । ବିଜେଡିର ଦୁଇ ବରିଷ୍ଠ ନେତା ସୂର୍ଯ୍ୟ ପାତ୍ରଙ୍କ ସହ ସ୍ୱର ମିଳାଇଥିବା ବେଳେ ଦାମ ରାଉତ କଟାକ୍ଷ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ ପ୍ରାର୍ଥୀ ବୋଲି ସୂର୍ଯ୍ୟ ପାତ୍ର କହିବା ପରେ ତାଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ ଓ ପ୍ରସନ୍ନ ଆଚାର୍ଯ୍ୟ । ଚାର ଚାରି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତବର୍ଷର ଜଣେ ଲୋକପ୍ରିୟ ନେତା ହୋଇପାରିଛନ୍ତି ବୋଲି କହିଛନ୍ତି ଦୁଇ ନେତା ।

ସେପଟେ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟକୁ ବିଜେପି ନେତା ଦାମ ରାଉତ କଟାକ୍ଷ କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି ନବୀନ ପ୍ରଧାନମନ୍ତ୍ରୀ ହେଲେ ସୂର୍ଯ୍ୟ ପେଟ୍ରୋଲିୟମ ମନ୍ତ୍ରୀ ହେବେ ବୋଲି ଭାବୁଛନ୍ତି । ଅନ୍ୟପଟେ ୟୁପିଏ ସରକାର ଗଢ଼ିଲେ ନବୀନ ସମର୍ଥନ ଦେବେ ବୋଲି ଆଶା ବାନ୍ଧି ବସିଛନ୍ତି ରାଜ୍ୟର କଂଗ୍ରେସର ତୁଙ୍ଗ ନେତା । ତେବେ କେନ୍ଦ୍ରରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ, ଆଞ୍ଚଳିକ ଦଳଗୁଡିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆକଳନ ଚାଲିଛି । ଏପରି ସ୍ଥିତି ଉପୁଜିଲେ ଜାତୀୟ ଦୃଶ୍ୟପଟରେ ବିଜେଡିର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ନେତା ଅଙ୍କ କଷୁଛନ୍ତି ।

ସମ୍ବନ୍ଧିତ ଖବର