ଅନୁଗୁଳ/ବନ୍ତଳା : ଆଜିକୁ ସପ୍ତାହେ ପୂରିଛି ‘ସୁନ୍ଦରୀ’ ମିସନ। ବାଘୁଣୀକୁ କାବୁ କରିବାରେ ଆଦୌ ସଫଳତା ମିଳିନାହିଁ। ସାତକୋଶିଆ ଜଙ୍ଗଲ ଭିତରେ ବାଘୁଣୀ ପିଛା କରି ଓୟୁଏଟି, ଶିମିଳିପାଳ ଏବ˚ ନନ୍ଦନକାନନର ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ ଫେଲ୍ ମାରିଥିବାବେଳେ ଆଜି ଅପରାହ୍ଣରେ ମଧୢପ୍ରଦେଶ କାହ୍ନା ଏବ˚ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଦୁଇ ଜଣ ଦକ୍ଷ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ ସନ୍ଦୀପ ଅଗ୍ରଵାଲ ଓ ଅଖିଳେଶ ମିଶ୍ର ଆସି ଅନୁଗୁଳରେ ପହଞ୍ଚିଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ଆଉ କିଛି କର୍ମଚାରୀ ମଧୢ ଆସି ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ସୁନ୍ଦରୀ’ ସହିତ ମୁହାଁମୁହିିଁ ହେବା ପୂର୍ବରୁ ବିଶେଷଜ୍ଞମାନେ ସନ୍ଧ୍ୟାରେ ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଗତ ସପ୍ତାହେ ହେଲା ‘ସୁନ୍ଦରୀ’ ପଛରେ ପଡ଼ିଥିବା ଓଡ଼ିଶା ଟିମ୍ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବିଶେଷ କରି ବର୍ତ୍ତମାନ ବାଘୁଣୀର ଗତିବିଧି, ସ୍ଥାନୀୟ ଅଞ୍ଚଳର ଭୌଗୋଳିକ ସ୍ଥିତି ସମ୍ପର୍କରେ ମଧୢପ୍ରଦେଶ ଟିମ୍ ଅବଗତ ହୋଇଛନ୍ତି। ବର୍ତ୍ତମାନ ବାଘୁଣୀ ଅସନବାହାଳ-ବଡ଼କ୍ଷେତା ମଧୢବର୍ତ୍ତୀ ଜଳେଶ୍ବର ଜଙ୍ଗଲରେ ରହିଛି। ଆସନ୍ତାକାଲି ଉଭୟ ବିଶେଷଜ୍ଞ ସାତକୋଶିଆ ଜଙ୍ଗଲକୁ ଯିବେ ବୋଲି ସାତକୋଶିଆ ଡିଏଫ୍ଓ ରାମା ସ୍ବାମୀ ପି. କହିଛନ୍ତି।
ଦକ୍ଷ ବିଶେଷଜ୍ଞ ପହଞ୍ଚିବା ପରେ ସାତକୋଶିଆ ବନବାସୀ ଯଦିଓ ଆଶ୍ବସ୍ତ ହୋଇଛନ୍ତି, କିନ୍ତୁୁ ‘ସୁନ୍ଦରୀ’କୁ ଧରା ନଯିବା ପର୍ଯ୍ୟନ୍ତ କାହାକୁ ଭରସା କରି ପାରୁନାହାନ୍ତି। ‘ସୁନ୍ଦରୀ’ ପୂର୍ବରୁ ଯେଉଁ ବାନ୍ଧବଗଡ଼ ଜଙ୍ଗଲରେ ରହୁଥିଲା ତାହା ସମତଳ ଅଞ୍ଚଳ ହୋଇଥିବା ବେଳେ ସାତକୋଶିଆ ଜଙ୍ଗଲ ତା’ଠାରୁ ଭିନ୍ନ। ଏଠାରେ ପୋଷା ହାତୀ ବି ନାହିଁ। ଏଭଳି ସ୍ଥିତିରେ ମଧୢପ୍ରଦେଶ ବିଶେଷଜ୍ଞ କେଉଁ କୌଶଳ ଆପଣେଇ ‘ସୁନ୍ଦରୀ’କୁ କାବୁ କରିବେ ତାହା ଉପରେ ସଭିଁଙ୍କ ନଜର ରହିଛି।