ବିଧାନସଭାରେ ମଧୁବାବୁ ଓ ଭୀମଭୋଇ

ବଲାଙ୍ଗୀର ମେଡିକାଲ କଲେଜକୁ ଭୀମଭୋଇଙ୍କ ନାମରେ କରିବାକୁ ପ୍ରସ୍ତାବ, ମଧୁବାବୁଙ୍କୁ ଭାରତ ରତ୍ନ ଓ ତାଙ୍କ ଜନ୍ମପୀଠକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ଦାବି

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପରିସରରେ ମାନବବାଦୀ କବି ଏବଂ ସଂସ୍କାରକ ଭୀମଭୋଇଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ତାଙ୍କ ନାମରେ ବଲାଙ୍ଗୀର ମେଡ଼ିକାଲ କଲେଜର ନାମକରଣ କରାଯାଉ। କେବଳ ସେତିକି ନୁହେଁ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ, ତାଙ୍କ ନାମରେ ମଧୁବାବୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ, ଜନ୍ମସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ଲାଗି ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ଦାବି ଉଠିଛି।

ଆଜି ଶୂନ୍ୟକାଳରେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ଆଜି ହେଉଛି, ସନ୍ଥକବି ଭୀମଭୋଇଙ୍କର ଜନ୍ମତିଥି। ଭୀମଭୋଇ କେବଳ ରେଢାଖୋଲ ନୁହେଁ, ଓଡ଼ିଶାର ଗର୍ବ ଗୌରବ। ମିଳିତ ଜାତିସଂଘରେ ତାଙ୍କର କିମ୍ବଦନ୍ତୀ ବାଣୀ ମଧ୍ୟରୁ ଅନ୍ୟତମ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ…ସ୍ଥାନ ପାଇଛି। ତାଙ୍କ ରଚନାବଳୀକୁ ଅନେକ ଭାଷାରେ ଅନୁବାଦ ମଧ୍ୟ କରାଯାଇଛି। ଏଭଳି ଜଣେ ମହାପୁରୁଷଙ୍କ ସ୍ମୃତି ରକ୍ଷା ପାଇଁ ବିଧାନସଭାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ଶ୍ରୀ ପୂଜାରୀ ଦାବି କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ମହେଶ ସାହୁ ପ୍ରମୁଖ ସନ୍ଥକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନେବା ଲାଗି ମତ ଦେଇଥିଲେ। ବାଚସ୍ପତି କହିଥିଲେ, ଏ ନେଇ ସେ ବୈଠକ ଡାକିବେ।

ଅନ୍ୟପଟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବଲାଙ୍ଗୀର ମେଡିକାଲ କଲେଜକୁ ଇତିମଧ୍ୟରେ ଏମ୍‌ସିଆଇ ଅନୁମତି ମିଳିଛି। ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ହେବ। ରାଜ୍ୟ ସରକାର ବଲାଙ୍ଗୀର ମେଡିକାଲ କଲେଜକୁ ଭୀମଭୋଇଙ୍କ ନାମରେ ନାମକରଣ କରନ୍ତୁ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ଓଡ଼ିଶାର ନୁହଁନ୍ତି ସମଗ୍ର ଦେଶର ଗୌରବ। ରାଜ୍ୟପାଇଁ ତାଙ୍କର ଅବଦାନ କିଛି କମ୍‌ ନୁହେଁ। ଏଣୁ ଉତ୍କଳ ଗୌରବଙ୍କୁ ଭାରତ ରତ୍ନ ଦେବା ପାଇଁ ପ୍ରସ୍ତାବ ଦିଆଯିବାର ଆବଶ୍ୟକତା ରହିଛି। ସେହିପରି କଟକରୁ ନୂଆଦିଲ୍ଲୀକୁ ଏକ ଏକ୍ସପ୍ରେସ ଟ୍ରେନ୍‌ ମଧୁବାବୁଙ୍କ ନାମରେ ଚଳାଚଳ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଶ୍ରୀ ମିଶ୍ର ସରକାରଙ୍କୁ ନିବେଦନ କରିଥିଲେ। ତାଙ୍କ ଜନ୍ମସ୍ଥଳୀକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା ଲାଗି ଶ୍ରୀ ମିଶ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ସରକାରୀ ଦଳ ପକ୍ଷରୁ ମଧ୍ୟ ସମର୍ଥନ ମିଳିଥିଲା।

ସମ୍ବନ୍ଧିତ ଖବର