କୋଭିଡ୍ ବାହାନା ! ଉଠାଇ ନେବେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଯେଉଁଠି ୬୦ ବର୍ଷ ଧରି ରହିଛି, ସେଇଠି ଭିତ୍ତିଭୂମି ଅଛି

ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି

ଭୁବନେଶ୍ବର/କୁଆଖିଆ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ଏକତଳା ମୌଜାରେ ୬୦ ବର୍ଷ ହେବ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ଏବଂ ଶତାଧିକ ଗ୍ରାମକୁ ସ୍ବାସ୍ଥ୍ୟସେବା ଯୋଗାଉଛି। ତେବେ କ’ଣ ପାଇଁ ଏକତଳା ମୌଜାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉଠାଇବାକୁ ସିଡିଏମ୍‌ଓ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି, ତା’ ପଛର ରହସ୍ୟ ବୁଝିପଡ଼ୁନି। ଯେଉଁଠି ସ୍ବାସ୍ଥ୍ୟକେନ୍ଦ୍ର ଅଛି ସେଠାରେ ଜାଗା ଓ ଅନ୍ୟ ଭିତ୍ତିଭୂମି ରହିଛି, କିନ୍ତୁ ସେସବୁ ପ୍ରତି ଦୃଷ୍ଟି ଦିଆଯାଉନି। କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଫସିଛି ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଏକରକମ ଟାର୍ଗେଟ କରି ଆଖି ବୁଜି ବେଆଇନ କାର୍ଯ୍ୟ କରିଚାଲିଛି।

ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଇଣ୍ଡିଆନ୍ ପବ୍ଲିକ୍ ହେଲ୍‌ଥ ଷ୍ଟାଣ୍ଡାର୍ଡ (ଆଇପିଏଚ୍‌ଏସ୍‌) ଢାଞ୍ଚାରେ ଗଢ଼ିବା ପାଇଁ ୨୦୧୨ ମସିହାରେ ସ୍ଥାନୀୟ ମଧୁବନ କ୍ରିୟାନୁଷ୍ଠାନ କମିଟି ଓ ରାମରାଜା କ୍ଲବ୍ ପକ୍ଷରୁ ମିଳିତ ଭାବେ କେନ୍ଦ୍ରର ଉପା ସରକାର ଓ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ପରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ ଜରିଆରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଯେତେବେଳେ ଗୋଟିଏ ପରେ ଗୋଟିଏ ବିଲ୍ଡିଂ ନିର୍ମାଣ ବ୍ୟୟବରାଦକୁ ମଞ୍ଜୁରୀ ଦିଆଗଲା, ଦେଖିବାକୁ ମିଳିଲା ସେହି ଅର୍ଥ ଏକତଳା ମୌଜାର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଖର୍ଚ୍ଚ ହେଉନାହିଁ। ବିଶେଷ ଅନୁସନ୍ଧାନରୁ ସେତେବେଳେ ତାହା ବାଟମାରଣା କରାଯାଇଥିବା ଜଣାପଡ଼ିଥିଲା ଏବଂ ରାମରାଜା କ୍ଲବ୍ ତରଫରୁ ଭିଜିଲାନ୍ସ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରାଯାଇଥିଲା। ଗନ୍ଧଣ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଧର ବିଶ୍ବାଳ ଓ ପଞ୍ଚାୟତବାସୀ, ସେପରି ବେଆଇନ କାର୍ଯ୍ୟର ପ୍ରତିବାଦ ତତ୍କାଳୀନ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ନିକଟରେ କରିଥିଲେ। ଏପରି ଦୁର୍ନୀତିମୂଳକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଜରିଆରେ ସିଡିଏମ୍ଓଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ମାଗିଥିଲେ।

ତେବେ ରାଜ୍ୟ ସରକାରଙ୍କଠାରୁ ପ୍ରଥମରୁ ଅନୁମତି ନେଇ ନଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ପ୍ରକ୍ରିୟା ବେଆଇନ୍ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ଲିଖିତ ମତ ଦେଇଥିଲେ। ପ୍ରଶ୍ନ ଉଠୁଛି, ଯାଜପୁର ଜିଲ୍ଲା ପ୍ରଶାସନ କ’ଣ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କଠୁ ଊର୍ଦ୍ଧ୍ବରେ? ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯାଜପୁର ଜିଲ୍ଲା ପ୍ରଶାସନ କ’ଣ ପାଇଁ ଅନ୍ଧାରି ଶାସନ ଚଳାଇଛି?

ସୂଚନା ଦିଆଯାଇପାରେ, ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭୂସମ୍ପତ୍ତି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରଠାରୁ ଯଥେଷ୍ଟ କମ୍। ମାତ୍ର ଧର୍ମଶାଳା ଓ ଯାଜପୁର ରୋଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ତ ଅନ୍ୟତ୍ର ଉଠାଇ ନିଆଯାଉ ନାହିଁ? ବରଂ ଅଳ୍ପ ଜାଗାରେ ବହୁ ତଳ ପ୍ରାସାଦ କରି ଏହି ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ସଜଡ଼ା ଯାଇଛି। କିନ୍ତୁ ମଧୁବନ ମେଡିକାଲ୍ ବେଳକୁ କ’ଣ ବିଗିଡ଼ିଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନ୍ୟତ୍ର ଉଠାଇ ନେବା ଭଳି ହୀନ ଚକ୍ରାନ୍ତକୁ ଯଦି ବନ୍ଦ କରାନଯାଏ, ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର