କଲେଜ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ, ତଦନ୍ତ ପାଇଁ ୟୁଜିସି ଚିଠି

କଟକ : ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ ହୋଇଛି। ବିଏ ଏଲ୍‌ଏଲ୍‌ବି ତୃତୀୟ ବର୍ଷର ଛାତ୍ର ଗୌତମ ଲେଙ୍କା ପଞ୍ଚମ ବର୍ଷର ୫ ଜଣ ଛାତ୍ରଙ୍କ ବିରୋଧରେ ସିଧାସଳଖ ୟୁଜିସିକୁ ଏହି ଅଭିଯୋଗ କରିଛନ୍ତି। ପ୍ରାୟ ବର୍ଷେ ଧରି ଉକ୍ତ ଛାତ୍ରମାନେ ଗୌତମଙ୍କୁ ବିଭିନ୍ନ ସମୟରେ ର‍୍ୟାଗିଂ କରି ହଇରାଣ କରିଆସୁଥିଲେ। ଏହା ବିରୋଧରେ ତୃତୀୟ ବର୍ଷର ସବୁ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ତେଣୁ ତାଙ୍କ ପ୍ରତି ହୋଇଥିବା ଘଟଣାକୁ ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ଅପେକ୍ଷା ସିଧାସଳଖ ୟୁଜିସିକୁ ଅଭିଯୋଗ କରିଥିବା ଗୌତମ କହିଛନ୍ତି। ପରେ ୟୁଜିସିରୁ କଲେଜ ଅଧ୍ୟକ୍ଷ, ମାଲଗୋଦାମ ଥାନା ଓ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟକୁ ଏ ବିଷୟରେ ମେଲ୍‌ ପଠାଯାଇଥିବା ଜଣାପଡ଼ିଛି। ଘଟଣା ବିଷୟରେ ଜାଣିବା ପାଇଁ ଆସନ୍ତାକାଲି ପୁଲିସ୍‌ ଗୌତମଙ୍କୁ ଥାନାକୁ ଡକାଇଛି। ଏସଂକ୍ରାନ୍ତରେ ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ନନ୍ଦ କହିଛନ୍ତି ଯେ ଉଭୟ ଅଭିଯୋଗ ବିଷୟରେ ସେ ଜାଣିଛନ୍ତି। ଯେହେତୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକ୍ରମ ରହିଛି, ତେଣୁ ଏହି ମାମଲା ଉପରେ ସୋମବାର ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର