ମହାଶିବରାତ୍ରିରେ ଓଡ଼ିଶାର ଶିବାଳୟ ଚଳଚଞ୍ଚଳ, ଜାଣନ୍ତୁ କେଉଁଠି କେତେବେଳେ ଉଠିବ ମହାଦୀପ

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ପବିତ୍ର ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଓଡ଼ିଶାର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । ଭଜନ ଓ କୀର୍ତ୍ତନରେ ଶୈବପୀଠଗୁଡ଼ିକ ଉତ୍ସବ ମୁଖର ହୋଇଉଠିଛି। ଶିବ ମନ୍ତ୍ର ଜପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଶେଷ ଭାବେ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, କଟକ ଜିଲ୍ଲାର ବାବା ଧବଳେଶ୍ୱର, ପୁରୀସ୍ଥିତ ଲୋକନାଥ, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ରଶେଖର, ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣି ଓ ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ଶିବରାତ୍ରି ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଏତଦ୍‌ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଶିବ ମନ୍ଦିରଗୁଡ଼ିକରେ ମଧ୍ୟ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ରାଜ୍ୟର ବିଭିନ୍ନ ଶିବମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି। ଶିବଭକ୍ତମାନେ ମହାଦୀପକୁ ଅପେକ୍ଷା କରିଛନ୍ତି। ରାତି ପ୍ରାୟ ୧୦ଟାରୁ ମହାଦୀପ ଉଠିବା ଆରମ୍ଭ ହୋଇ ଭୋର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।

ଶ୍ରୀ ଲିଙ୍ଗରାଜ, ଭୁବନେଶ୍ୱର

ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ଭୋରଠାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସନ୍ଧ୍ୟା ପର ଠାରୁ ଏବେ ମନ୍ଦିର ପରିସର ଲୋକାରଣ୍ୟ ହୋଇଛି। ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ରାତି ୧୦ଟାରେ ମହାଦୀପ ଉଠାଯିବାକୁ ଚୂଡ଼ାନ୍ତ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହପରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ବାବା ଲୋକନାଥ, ପୁରୀ

ପୁରୀସ୍ଥିତ ବାବା ଲୋକନାଥ ମନ୍ଦିରରେ ଆଜି ଦିନ ସାରା ପ୍ରାୟ ୨ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ମାନସିକଧାରୀମାନେ ମୌନ ବ୍ରତ ରଖିଛନ୍ତି। ନିର୍ଜଳା ଉପବାସ ପାଳିଛନ୍ତି। ମନ୍ଦିରରେ ଜାଗର ଜାଳି ମାନସିକ ପୂରଣ କରିଛନ୍ତି। ବିଳମ୍ବିତ ରାତ୍ରିରେ ହରିହର ଭେଟ ଓ ମହାଦୀପ ଉଠିବା ପରେ ବାବା ଲୋକନାଥଙ୍କ ଦର୍ଶନ କରି ଭକ୍ତମାନେ ନିଜ ନିଜ ଘରକୁ ଫେରିଯିବେ। ଜିଲ୍ଲା ପ୍ରଶାସନ, ସେବାୟତ ନିଯୋଗ ଓ ମନ୍ଦିର ପରିଚାଳନା କମିଟି ତରଫରୁ ମିଳିଥିବା ସୂଚନା ଅନୁସାରେ ରାତି ୩ଟାରେ ମହାଦୀପ ଉଠିବା ପାଇଁ ନୀତି ଚୂଡ଼ାନ୍ତ ହୋଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ୬୦ରୁ ଅଧିକ ଅଫିସର ଓ ୨୨ ସେକସନ ଫୋର୍ସ ମୁତୟନ ହୋଇଛନ୍ତି।

ବାବା ଧବଳେଶ୍ୱର, ଆଠଗଡ଼ (କଟକ)

ଆଠଗଡ଼ସ୍ଥିତ ବାବା ଧବଳେଶ୍ୱରରେ ଆଜି ରାତି ୧ଟାରେ ମହାଦୀପ ଉଠିବା ନେଇ ମନ୍ଦିର କମିଟି ତରଫରୁ ଚୂଡାନ୍ତ ହୋଇଛି। ଆଜି ସକାଳୁ ମହାପ୍ରଭୁଙ୍କ ବଡ଼ସିଂହାର ବେଶକୁ ପ୍ରାୟ ୨୦ ହଜାର ଭକ୍ତ ଦର୍ଶନ କରିଥିଲେ। ରାତି ତୃତୀୟ ପ୍ରହର (ପ୍ରାୟ ସାଢ଼େ ୧୨ଟା)ରେ ଠାକୁରଙ୍କୁ ମାଣ୍ଡୁଅ ଭୋଗ ଅର୍ପଣ କରାଯିବ। ରାତି ସାରା ମନ୍ଦିରରେ ଶିବ ଧୂନ ଚାଲିବ ।

ଶ୍ରୀଶ୍ରୀଚନ୍ଦ୍ରଶେଖର, କପିଳାସ, ଢେଙ୍କାନାଳ

‘ଶ୍ରୀ ଶ୍ରୀ ଚନ୍ଦଶେଖର’ ମନ୍ଦିରରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଢ଼େଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଓ ଏସ୍‌ପି ଅନୁପମା ଜେମ୍ସଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଶିବରାତ୍ରିଲାଗି ସେଠାରେ ପହଞ୍ଚିଛନ୍ତି । ଭୋର ୩ଟା ୫୫ରେ ବେଢ଼ା ପୂଜା ଅନୁଷ୍ଠିତ ହେବ। ଏହା ପରେ ୪ଟା ୨୦ ପୂର୍ବରୁ ମହାଦୀପ ଉଠାଯିବାକୁ ସ୍ଥିର ହୋଇଛି। ତା’ପରେ ହରିହର ଭେଟ ହେବ।

ଆଖଣ୍ଡଳମଣି, ଆରଡି, ଭଦ୍ରକ

ଭଦ୍ରକ ଜିଲ୍ଲାର ଆରଡିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ଭୋର ୫ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।

ବିମଳେଶ୍ୱର, ହୁମା (ସମ୍ବଲପୁର)

ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ମଧ୍ୟ ଆଜି ସନ୍ଧ୍ୟାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ମହାନଦୀ କୂଳରେ ଥିବା ଏହି ମନ୍ଦିରରେ ଆଜି ଭୋରରୁ ଭକ୍ତମାନେ ପହଞ୍ଚିଥିଲେ। ହୁମା ମନ୍ଦିରର ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ହେଉଛି ହୋତାବରଣ। ରାତି ସାଢ଼େ ୧୦ଟାରେ ଏଠାରେ ରୁଦ୍ରାଭିଷେକ ହେବ। ସେହିଭଳି ଭୋର ୪ଟାରେ ମହାଦୀପ ଉଠିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି। ହୁମାରେ ଜାଗର ମେଳା ୭ ଦିନ ଯାଏଁ ଚାଲିବ।

ଗୁପ୍ତେଶ୍ୱର, କୋରାପୁଟ

ଗୁପ୍ତେଶ୍ୱରଙ୍କ ଦର୍ଶନ କରିବାକୁ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡର ବସ୍ତର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାରୁ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଓ ଭକ୍ତ ଜାଗର ପାଳିଛନ୍ତି। ରାତି ପ୍ରାୟ ସାଢ଼େ ୨ଟାରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର