ମହାନଦୀ ଗଣ୍ଡରେ ଏମିତି ଚାଲିଛି ବିଦ୍ୟୁତ କାମ

କଟକ: ଅକାତ କାତ ପାଣି | ମହାନଦୀର ଏହି ଗଣ୍ଡରେ କିନ୍ତୁ ଚାଲିଛି ନିରନ୍ତର କାମ | ବଡ଼ିଭୋରରୁ ସୂର୍ଯ୍ୟାସ୍ତ, ଆପଣଙ୍କ ଘରକୁ ଆଲୋକ ଦେବାକୁ ପରିଶ୍ରମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକ | ପ୍ରଚଣ୍ଡ ଖରାରେ ଦେହରୁ ଗମଗମ ଝାଳକୁ ମହାନଦୀ ପିଇଯାଉଛି | ଫନି ଦ୍ୱାରା ଭାଙ୍ଗିପଡିଥିବା ଏହି ବିଦ୍ୟୁତ ଗ୍ରୀଡ଼କୁ ସଜାଡିବାରେ ଲାଗିପଡିଛନ୍ତି | କଟକର ବିଡାନାସୀ-ଚୌଦ୍ୱାରର ମହାନଦୀ ମଝିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲର ତତ୍ୱାବଧାନରେ ଏଭଳି କାମ ଚାଲିଥିବା ବେଳେ ରାଜ୍ୟ ବାହାରର ଶ୍ରମିକମାନେ ବି ଲାଗିପଡିଛନ୍ତି | କାରଣ ମହାନଦୀ ଦେଇ ଯାଇଥିବା ୧୩୨ କେଭିର ଏହି ଲାଇନ କଟକ-ଚୌଦ୍ୱାର ଅଂଚଳ ପାଇଁ ବହୁ ଗୁରୁତ୍ୱ ରଖେ |

ଶରୀରରେ ରଶି ଖଣ୍ଡେ ଖଣ୍ଡେ ବାନ୍ଧି ଓଜନିଆ ଇଲେକ୍ଟ୍ରି ଖୁମ୍ବ ଧରି ଯୋଡ଼ିବାରେ ଲାଗିଛନ୍ତି | ଜାଣିଛନ୍ତି ସେମାନଙ୍କୁ ହୁଏତ କେହି ଜାଣିପାରିବେନି | କିନ୍ତୁ କେତେ ଶୀଘ୍ର ଲୋକଙ୍କ ଘରେ ବିଜୁଳିବତୀ ପହଞ୍ଚିବ ଆଉ ଓଠରେ ହସ ଖେଳିବ ସେ ପ୍ରୟାସରେ ଏବେ ଏହି  ମଣିଷ | ଭାବିନାହାନ୍ତି ଏତେ ପାଣିରେ ବୁଡି ରହି କାମ କରିବାରେ ବିପଦ ଅଛି କି? କେବଳ ଭାବିଛନ୍ତି ପୁନଃନିର୍ମାଣ ଓଡ଼ିଶାର ପ୍ରୟାସରେ କିଭଳି କିଛି କରିପାରିବେ ଯେଉଁସବୁ ଅଂଚଳକୁ ବିଦ୍ୟୁତ ଯାଇପାରିନି କିଭଳି ଶୀଘ୍ର ପହଞ୍ଚିବ |

ସମ୍ବନ୍ଧିତ ଖବର